ଓଡିଶା ଉପକୂଳରେ ଘୂର୍ଣ୍ଣିବଳୟର ପ୍ରଭାବ । ଆହୁରି ଦୁଇ ଦିନ ପ୍ରବଳ ବର୍ଷା, ୧୦ ଜିଲ୍ଲାକୁ ଅରେଂଜ୍ ୱାର୍ଣ୍ଣିଂ

2,650

କନକ ବ୍ୟୁରୋ : ପଶ୍ଚିମବଙ୍ଗ-ଓଡିଶା ସୀମାନ୍ତ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ଓଡିଶାରେ ବର୍ଷା ଲାଗି ରହିବ । ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଉତର ଓ ପଶ୍ଚିମ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ , ଆଜି ଓ ଆସନ୍ତାକାଲି ପାଇଁ ୧୦ଟି ଜିଲ୍ଲାକୁ ଅରେଂଜ୍ ୱାର୍ଣ୍ଣିଂ ଜାରି କରିଛି । ଆଜି ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡା, ଢେଙ୍କାନାଳ, ମୟୂରଭଂଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ଏଥିସହ ଅନୁଗୁଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର ଓ ଝାରସୁଗୁଡାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ଝାଡଖଣ୍ଡ ଆଡକୁ ଆଗ୍ରସର ହେଉଥିବାରୁ ଆସନ୍ତାକାଲିଠାରୁ ଉପକୂଳ ଓଡିଶାରେ ବର୍ଷା କମିବ । ତେବେ ଉତର ଓ ପଶ୍ଚିମ ଓଡିଶାରେ ବର୍ଷା ଲାଗି ରହିବ । ବିଶେଷ କରି ମୟୂରଭଂଜ, କେଉଁଝର, ସୁନ୍ଦହଗଡ, ଝାରସୁଗୁଡା ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ଏସବୁ ଜିଲ୍ଲାପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।