କମଳା ଚାଷ ପାଇଁ ଦେବଗଡ କୁଣ୍ଢେଇଗୋଳାର ରହିଛି ସ୍ୱତନ୍ତ୍ର ପରିଚୟ । ବର୍ଷକୁ ୨ ହଜାର ମେଟ୍ରିକ ଟନ୍ କମଳା ହେଉଛି ଅମଳ

748

କନକ ବ୍ୟୁରୋ : ଓଡ଼ିଶାର ନାଗପୁର ଭାବେ ପରିଚିତ ଦେବଗଡ଼ ଜିଲ୍ଲାର କୁଣ୍ଢେଇଗୋଳା ପଂଚାୟତ । କମଳା ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଯୋଗୁଁ କୁଣ୍ଢେଇଗୋଳା ଅଂଚଳର ପ୍ରାୟ ୨୦ଟି ଗାଁର ଚାଷୀ କମଳା ଚାଷ କରିଛନ୍ତି । ବର୍ଷକୁ ୨ଥର କମଳା ଅମଳ ହେଉଥିବା ବେଳେ ପ୍ରତିବର୍ଷ ଏହି ଅଂଚଳରୁ ୨ହଜାର ମେଟ୍ରିକ ଟନ୍ କମଳା ଉତ୍ପାଦନ ହେଉଛି । ଅମଳ ହେଉଥିବା କମଳା ସମ୍ବଲପୁର, ଅନୁଗୁଳ. କଟକ, ଭୁବନେଶ୍ୱରକୁ ବିକ୍ରି ପାଇଁ ପଠାଯାଉଛି । ହେଲେ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଠାରୁ ବ୍ୟବସାୟୀ ମାନେ କମ୍ ମୂଲ୍ୟରେ କିଣୁଛନ୍ତି । ଫଳରେ ଅକ୍ଳାନ୍ତ ପରିଶ୍ରମ କରି ଚାଷ କରିଥିବା ଚାଷୀ କ୍ଷତି ସହୁଥିବା ଅଭିଯୋଗ ହୋଇଛି ।

ରିଆମାଳ ବ୍ଲକ କୁଣ୍ଢେଇଗୋଳା ଅଂଚଳରେ ପ୍ରାୟ ୪୦୦ ହେକ୍ଟର ଜମିରେ ଚାଷୀ କମଳା ଚାଷ କରିଛନ୍ତି । ୨ଶହ ହେକ୍ଟରରୁ ଉଦ୍ଦ୍ୱର୍ ଜମିରୁ କମଳା ଅମଳ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରାୟ ୨୦୦ ହେକ୍ଟର ଜମିରେ ନୂତନ କମଳା ବଗିଚା ସୃଷ୍ଟି କରାଯାଇଛି । ମହାରାଷ୍ଟ୍ର ନାଗପୁର କମଳା ସହ ସମକକ୍ଷ କୁଣ୍ଢେଇଗୋଳା ଅଂଚଳ କମଳାର ଚାହିଦାକୁ ଦେଖି ପ୍ରତି ବର୍ଷ ନୂତନ ଚାଷୀ କମଳା ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଚାଷୀ ମାନେ ମଧ୍ୟ ନିଜ ନିଜ ବଗିଚାରେ ୮ ରୁ ୧୦ ଜଣ ଶ୍ରମିକଙ୍କୁ ନିଜ ବଗିଚାରେ ନିୟୋଜିତ କରି ସେମାନଙ୍କୁ ରୋଜଗାରକ୍ଷମ କରାଇଛନ୍ତି ।

ତେବେ ଚାଷୀଙ୍କ ଉତ୍ପାଦିତ କମଳା ବିକ୍ରୀ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା କରାଗଲେ ଅନେକ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହୋଇଛି ।