୨୦୨୪ ନିର୍ବାଚନ ପାଇଁ ଜୟନାରାୟଣଙ୍କ ‘ଧାନ’ ଉପାଖ୍ୟାନ । କଂଗ୍ରେସ ମାରିଲା ପ୍ରଶ୍ନବାଣ, ବିଜେଡି କହିଲା ବିଜେପି ଦେଖୁଛି ଦିବାସ୍ୱପ୍ନ ।

145

କନକ ବ୍ୟୁରୋ : ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି , ଫସଲ ହେବ, ୨୦୨୪ରେ ଫସଲ କାଟିବୁ । ଜୋରଦାର ଲଢେଇ ହେବ, ୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ ।  ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିବା ପରେ ଓଡ଼ିଶା ଫେରି କିଛି ଏମିତି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଉ ଜୟନାରାୟଣଙ୍କ ଏହି ବୟାନ ଏବେ ଓଡ଼ିଶା ରାଜନୀତିକୁ ଉଷ୍ମ କରିଛି ।

ବିଜେପିର ଫାୟାର ବ୍ରିଗେଡ ନେତା ଭାବେ ଜଣାଶୁଣା ଜୟନାରାୟଣ ୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆଉ ଏଭଳି ଦମ୍ଭୋକ୍ତି ପଛରେ ରହିଛି ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଜୟନାରାୟଣଙ୍କ ଭେଟଘାଟ । ଦୀର୍ଘ ୧ ଘଣ୍ଟାର ଆଲୋଚନାରେ ଓଡ଼ିଶା ବିଜେପିର ସ୍ଥିତି ବାବଦରେ ଅବଗତ କରିଛନ୍ତି ଜୟନାରାୟଣ । ଆଉ ଏହି ସ୍ଥିତିରେ ସୁଧାର ଆଣି କିଭଳି ସରକାର ଗଢାଯିବ ସେନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଠାରୁ ମିଳିଛି ସହଯୋଗର ପ୍ରତିଶ୍ରୁତି ।

ଜୟନାରାୟଣଙ୍କ ଏଭଳି ଦମ୍ଭୋକ୍ତିକୁ ବାଏଁ ବାଏଁ ଉଡାଇଦେଇଛି ବିଜେଡି । ଦଳର ବିଧାୟକ ସରୋଜ ମେହେର କହିଛନ୍ତି, ୨୦୧୯ରେ ମଧ୍ୟ ମିଶନ ୧୨୦ ସ୍ୱପ୍ନ ଦେଖିଥିଲେ, ଫଳାଫଳ କଣ ହେଲା । ୨୦୨୪ ପାଇଁ କେବଳ ବାହାସ୍ପୋଟ ମାରିବା ସହ ଦିବାସ୍ୱପ୍ନ ଦେଖୁଛି ବିଜେପି । ନବୀନ ପଟ୍ଟନାୟକଙ୍କ ଉପରେ ହିଁ ରାଜ୍ୟବାସୀଙ୍କ ଆଶା  ଓ ବିଶ୍ୱାସ ରହିଛି ।

ଜୟନାରାୟଣଙ୍କ ଦମ୍ଭୋକ୍ତିକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି  କହିଛନ୍ତି, ସାର କିଏ ବୁଣିବ ଓ ଧାନ କିଏ କାଟିବ ତାହା ୨୦୨୪ରେ ଜଣାପଡିବ । ଧାନ ଗଛ ତ ରହିବନି, ବିଜେପି ଧାନ କଣ କାଟିବ? ଏଭଳି ତୁ ତୁ ମେଁ ମେଁ ଭିତରେ ୨୦୨୪ ପାଇଁ ଏବେଠୁ କମର କଷିଲେଣି ରାଜ୍ୟର ୩ ପ୍ରମୁଖ ଦଳ । କଂଗ୍ରେସ ଓଡ଼ିଶାରେ ଭାରତ ଯୋଡ ଯାତ୍ରା କରି ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଅନ୍ୟପଟେ ଶାସକ ବିଜେଡି ଓ ବିରୋଧୀ ବିଜେପି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ତୁଙ୍ଗ ନେତାଙ୍କୁ ଗୁରୁଦାୟିତ୍ୱ ଦେଇ  ସଙ୍ଗଠନକୁ ତୃଣମୂଳସ୍ତରରେ ଆହୁରି ଶକ୍ତିଶାଳୀ କରି ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛନ୍ତି ।