କନକ ବ୍ୟୁରୋ : ସ୍କୁଲରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ କେତେ ? ଏହାକୁ ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଗତକାଲି ରାତିରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ୩ରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପ୍ରି-ସ୍କୁଲ ନାମଲେଖା କରାଯିବ ।

Advertisment

ପ୍ରଥମ ଶ୍ରେଣୀ ଲାଗି ବୟସ ସୀମା ୫ରୁ ୭ ବର୍ଷ ମଧ୍ୟରେ ଧାର୍ଯ୍ୟ ହୋଇଛି । ଗତ ମାର୍ଚ୍ଚ ସୁଦ୍ଧା ୫ରୁ ୭ ବର୍ଷ ବୟସର କୌଣସି ବି ଛାତ୍ରଛାତ୍ରୀଙ୍କ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ । ତେବେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ପିଲାଙ୍କୁ ୫ ବର୍ଷ ନା ୬ ବର୍ଷ ପରେ ପ୍ରଥମ ଶ୍ରେଣୀରେ ଆଡମିଶନ କରାଯିବ ତାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ଭିନ୍ନ ରହିଛି । କେନ୍ଦ୍ର ନୂଆ ଶିକ୍ଷାନୀତି ନୂଆ ନିର୍ଦ୍ଦେଶାନାମା ଅନୁସାରେ ୬ବର୍ଷ ପୂରିଲେ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯିବାକୁ ନିର୍ଦ୍ଦେଶ ରହିଛି ।

ଜାତୀୟ ଶିକ୍ଷା ନୀତି-୨୦୨୦କୁ ଅଧିକାଂଶ ରାଜ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି। ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ଲାଗି ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ନିୟମ ରହିଛି । ଦିଲ୍ଲୀ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା ପରି ରାଜ୍ୟରେ ସର୍ବନିମ୍ନ ବୟସ ୫ ବର୍ଷ ରଖାଯାଇଛି । ଯେ‌ତେବେଳେ କି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ସର୍ବନିମ୍ନ ବୟସ ୫ ବର୍ଷ ଓ ୬ ବର୍ଷ କରିଛନ୍ତି । ସେହିପରି ବିଦେଶରେ ଜର୍ମାନୀ, ଇଟାଲି, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନରୱେରେ ସ୍କୁଲ ଯିବାର ସର୍ବନିମ୍ନ ବୟସ ୬ ବର୍ଷ, ସ୍ୱିଜରଲ୍ୟାଣ୍ଡ, ସ୍ୱିଡେନ, ବୁଲଗେରିଆ, ଫିନ୍‌ଲ୍ୟାଣ୍ଡ ଓ ଆୟାର୍ଲାଣ୍ଡ ପରି ଦେଶରେ ସର୍ବନିମ୍ନ ବୟସ ୪ ବର୍ଷ ଧାର୍ଯ୍ୟ ହୋଇଛି । କେତେକ ଦେଶରେ ପ୍ରି-ସ୍କୁଲ ପାଇଁ ସର୍ବନିମ୍ନ ବୟସ ୩ ବର୍ଷ ରଖାଯାଇଛି ।