ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ । ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ମିଳିବନି ଅନୁସୂଚିତ ଜାତି ତାଲିକାରେ ସ୍ଥାନ

468

କନକ ବ୍ୟୁରୋ: ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ମିଳିବନି ଅନୁସୂଚିତ ଜାତି ତାଲିକାରେ ସ୍ଥାନ । ଏନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ଜାତି ଆଧାରରେ ଭେଦଭାବ ଖ୍ରୀଷ୍ଟିଆନ ଓ ମୁସଲମାନ ସମାଜରେ ନାହିଁ । ଏହି ଦୁଇ ଧର୍ମର ଦଳିତଙ୍କ ପ୍ରତି ଅତୀତରେ ପାତରଅନ୍ତର କରାଯାଇଥିବାର ପ୍ରମାଣ ନାହିଁ, ତେଣୁ ସେମାନଙ୍କୁ ଅନୁସୂଚିତ ଜାତି ତାଲିକାରେ ରଖିବାର ଯଥାର୍ଥତା ନାହିଁ ।

  • ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ
  • ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ମିଳିବନି ଅନୁସୂଚିତ ଜାତି ତାଲିକାରେ ସ୍ଥାନ

ଦଳିତ ହିନ୍ଦୁଙ୍କ ପରି ଅନ୍ୟ ଧର୍ମର ଦଳିତଙ୍କୁ ମିଳିବ ଅନୁସୂଚିତ ଜାତି ତାଲିକାରେ ସ୍ଥାନ । ବିଶେଷକରି ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ପ୍ରସଙ୍ଗ ଉଠାଇ ସୁପ୍ରମିକୋର୍ଟରେ ଏକ ଆବେଦନ କରାଯାଇଥିଲା । ସେଣ୍ଟର ଫର ପବ୍ଲିକ ଇଣ୍ଟେରେଷ୍ଟ ଲିଟିଗେସନ, ସିପିଆଇଏଲ ନାମକ ଏନଜିଓ ଏହି ଆବେଦନ କରିଥିଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଗୁରୁବାର ସତ୍ୟପାଠ ଦାଖଲ କରିଛି । ଏଥିରେ ଦର୍ଶାଯାଇଛି ଯେ, ଅନୁସୂଚିତ ଜାତିର ଚିହ୍ନଟକରଣ ଏକ ନିର୍ଦ୍ଦିଷ୍ଟ ସାମାଜିକ କଳଙ୍କ ଉପରେ ଆଧାରିତ, ଯାହା ସମ୍ବିଧାନର ଅନୁସୂଚିତ ଜାତି ସମ୍ପର୍କିତ ଆଦେଶନାମାରେ ରହିଛି । ଜାତି ଆଧାରରେ ଭେଦଭାବ ଖ୍ରୀଷ୍ଟିଆନ ଓ ମୁସଲମାନ ସମାଜରେ ନାହିଁ । ଏହି ଦୁଇ ଧର୍ମର ଦଳିତଙ୍କ ପ୍ରତି ଅତୀତରେ ପାତରଅନ୍ତର କରାଯାଇଥିବାର ପ୍ରମାଣ ନାହିଁ, ତେଣୁ ସେମାନଙ୍କୁ ଅନୁସୂଚିତ ଜାତି ତାଲିକାରେ ରଖିବାର ଯଥାର୍ଥତା ନାହିଁ ।

ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ଅନୁସୂଚିତ ଜାତି ବର୍ଗରେ ନେବା ସପକ୍ଷରେ ଜଷ୍ଟିସ୍ ରଙ୍ଗନାଥ ମିଶ୍ର କମିଶନ ଯେଉଁ ରିପୋର୍ଟ ଦେଇଥିଲେ, ତାହା ଗ୍ରହଣୀୟ ନୁହେଁ ବୋଲି ଏହି ସତ୍ୟପାଠରେ କୁହାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ଏହି ସତ୍ୟପାଠକୁ ଉଭୟ ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ପକ୍ଷରୁ ସମାଲୋଚନା କରାଯାଇଛି । ସେପଟେ ବିଜେପି ବିଧାୟକ ମୋହନ ମାଝି କେନ୍ଦ୍ର ସରକାରଙ୍କ ସତ୍ୟପାଠ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ତେବେ ମୋଦୀ ସରକାରଙ୍କ ଏହି ସତ୍ୟପାଠ ପରେ ସୁପ୍ରିମକୋର୍ଟ ଏହା ଉପରେ କେଉଁ ନିଷ୍ପତି ନେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି ।