କେମିତି ରହିଛି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି : ବିରୋଧୀ ଅଭିଯୋଗ ଆଣିଲେ, ମନ୍ତ୍ରୀ ଜବାବ ଦେଲେ ।

88

କନକ ବ୍ୟୁରୋ : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଛି, ଆଇନଶୃଙ୍ଖଳାରେ ସରକାରଙ୍କର ନିୟନ୍ତ୍ରଣ ନାହିଁ, ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି । ତେବେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କେମିତି ରହିଛି ସେ ବାବଦରେ ଗୃହରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ବିରୋଧୀ ଆଣିଥିବା ଅଭିଯୋଗର ଉତ୍ତର ରଖି ଗୃହରାଷ୍ଟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେଯାଏଁ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି । ପୂର୍ବଭଳି କୌଣସି ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିନି । ନିୟମ ଅନୁସାରେ ମେଳା ମହୋତ୍ସବ ଓ ପୂଜା ପାର୍ବଣ ବେଶ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଛି । ଏପରିକି ମହାମାରୀ କରୋନା ସମୟରେ ଏତେ ଦିନ ଧରି ଲକଡାଉନ ରହିଥିଲେ ମଧ୍ୟ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ । ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।

ରାଜ୍ୟରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଘଟିନାହିଁ ଏବଂ ମାଓ ମୁକାବିଲାରେ ସୁଧାର ଆସିଛି । ୧୫ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ୫ଟି ଜିଲ୍ଲା ଅନୁଗୁଳ, ବୌଦ୍ଧ, ଦେଓଗଡ, ନୟାଗଡ, ସମ୍ବଲପୁର ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ ରହିଛି । ପୋଲିସର ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଫଳରେ ଚଳିତବର୍ଷ ୩ ଜଣ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି, ୨୫ ଜଣ ଗିରଫ ହୋଇଛନ୍ତି ଓ ୧୫ ଜଣ ଆତ୍ମସମର୍ପଣ କରିଛନ୍ତି ।

ସରକାର ସବୁବେଳେ ଆଇନ ଶୃଙ୍ଖଳା ରକ୍ଷା ଓ ଲୋକଙ୍କ ଧନ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିର ନିୟମିତ ସମୀକ୍ଷା କରାଯାଇ ରାଜ୍ୟବାସୀଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଉଛି । ଏପରିକି ପୋଲିସର ସମୟ ଉପଯୋଗୀ ପଦକ୍ଷେପ ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇ ଦିଆଯାଇପାରୁଛି । ତେଣୁ ବିରୋଧୀ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କୁ ଯେଉଁଭଳି ଟାର୍ଗେଟ କରୁଛନ୍ତି ତାହା ସମ୍ପୂର୍ଣ୍ଣ ନିରାଧାର ବୋଲି କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।