କନକ ବ୍ୟୁରୋ : ଗତ କିଛି ଦିନ ହେବ ବିକ୍ଷୋଭକାରୀଙ୍କ ଗର୍ଜନରେ ଏମିତି କମ୍ପୁଛି ଭୁବନେଶ୍ୱରର ଲୋୟର ପିଏମଜି । କିଏ ସ୍ଥାୟୀ ଚାକିରୀ ପାଇଁ ସ୍ୱର ଉଠାଉଛି ତ ଆଉ କିଏ ଦରମା ବୃଦ୍ଧି ପାଇଁ ଗର୍ଜୁଛି । ବିଧାନସଭା ଭିତରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବାବେଳେ, ବିକ୍ଷୋଭକାରୀଙ୍କୁ ସମର୍ଥନ ଦେବା ପାଇଁ ଧାରଣାସ୍ଥଳକୁ ଆସିଛନ୍ତି ବିରୋଧୀ ନେତା । ବିଧାନସଭାରୁ ସିଧା ଆସିଛନ୍ତି ଧାରଣାସ୍ଥଳକୁ । ମୌଳିକ ଅଧିକାର ସମେତ ସଂପୂର୍ଣ କ୍ଷମତା ଦାବିରେ ଆନ୍ଦୋଳନ ଚଳାଇଥିବା ସରପଂଚମାନଙ୍କୁ ସମର୍ଥନ ଜଣାଇଛି ରାଜ୍ୟ କଂଗ୍ରେସ । ସରପଂଚଙ୍କ ଲଢେଇରେ ସାମିଲ ହେବା ସହ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

Advertisment

ଭୁବନେଶ୍ୱର ମାଷ୍ଟର କ୍ୟାଂଟିନରେ ଶିକ୍ଷକ ସଂଘ ଶକ୍ତି ପ୍ରଦର୍ଶନ କରିଛି । ୬ ବର୍ଷ ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ସାମିଲ କରି ଦରମା ବୃଦ୍ଧି କରିବା ଓ ପୁରୁଣା ପେନସନ୍ ଲାଗୁ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲର ହଜାର ହଜାର ଶିକ୍ଷକ ଗର୍ଜନ କରିଛନ୍ତି । ଶିକ୍ଷକଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ରାଜ୍ୟ ବିଜେପି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆନ୍ଦୋଳନରେ ଯୋଗ ଦେଇ ରାଜ୍ୟ ସରକାର ବିରୋଧରେ ବର୍ଷିଛନ୍ତି ।

ସ୍ଥାୟୀ ପଟ୍ଟା ଦାବିରେ ମହାକାଳପଡାର ଶତାଧିକ ଲୋକ ଧାରଣାରେ ବସି ରାଜ୍ୟସରକାରଙ୍କ ବିରୋଧରେ ବର୍ଷିଥିଲେ । ୧୯୪୭ -୪୮ ବେଳକୁ ପୂର୍ବବଙ୍ଗର କିଛି ବଙ୍ଗୀୟ ପରିବାର ଓଡିଶା ଚାଲିଆସିଥିଲେ । କିଛି ଦିନ ପରେ ରାଜ୍ୟ ସରକାର ଜମି ପଟ୍ଟା ଦେଇଥିଲେ । ପରବର୍ତି ସମୟରେ ତାହା ଜଙ୍ଗଲ କିସମ ହୋଇଯାଇଥିବାରୁ ଏହାର କିଣା ବିକା କରିବାରେ ଅସମର୍ଥ ହେଉଛନ୍ତି ଲୋକେ । ଏଥିପାଇଁ ସ୍ଥାୟୀ ପଟ୍ଟା ଦେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଏହି ଆନ୍ଦୋଳନକୁ ବିଜେପି ସମେତ କଂଗ୍ରେସ ବି ସମର୍ଥନ ଦେଇଛି । କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଧାରଣାସ୍ଥଳରେ ଆନ୍ଦୋଳକାରୀଙ୍କ ସହ ଆଲୋଚନା କରିଛନ୍ତି ।

ବିଧାନସଭା ବାହାରେ ଗର୍ଜନ କରୁଥିବା ବିକ୍ଷୋଭକାରୀଙ୍କ କଥା ସରକାର ଶୁଣିନଥିବାବେଳେ ବିରୋଧୀ ଦଳ ଧାରଣାସ୍ଥଳକୁ ଆସି ସମର୍ଥନ କରିବା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।