କନକ ବ୍ୟୁରୋ : ନିଜ ଗଡରେ ବାରମ୍ବାର ବିରୋଧର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀ । ଚନ୍ଦାହାଣ୍ଡି ପର ଝରିଗାଁରେ ରମେଶ ମାଝୀଙ୍କୁ ବିରୋଧ କରାଯାଇଛି । ଇଛାପୁର ପଂଚାୟତ ଧୁମାମ ଗାଁକୁ ପ୍ରଚାରରେ ଯାଇଥିବାବେଳେ ଶତାଧିକ ଗ୍ରାମବାସୀ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି ।

Advertisment

ସୂଚନା ଅନୁସାରେ, ଝରିଗାଁ ଇଛାପୁର ପଂଚାୟତ ଅନ୍ତର୍ଗତ ଧୁମାମ ଗାଁ ଦେଇ ସାଂସଦ ନିଜ କର୍ମୀଙ୍କ ସହ ଶୋଭାଯାତ୍ରା କରିବା ସହ ନିର୍ବାଚନ ପ୍ରଚାର କରୁଥିଲେ । ସେହି ସମୟରେ ଗାଁର କିଛି ଲୋକ ହାତରେ ଠେଙ୍ଗା ଓ ବାଡି ଧରି ତୀବ୍ର ବିରୋଧ କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଗ୍ରାମବାସୀଙ୍କ ଆକ୍ରୋଶରୁ ବର୍ତିବା ପାଇଁ ଶାସକ ଦଳର ନେତା ଓ କର୍ମୀମାନେ ପ୍ରାଣବିକଳରେ ଗାଡି ଧରି ଚମ୍ପଟ ମାରିଥିଲେ ।

ପଂଚାୟତ ଘର ଉଦଘାଟନ ପାଇଁ ଆସିନଥିବାବେଳେ ଏବେ କାହିଁକି ଆସିଛନ୍ତି ବୋଲି ପଚାରିଥିଲେ ଲୋକେ । ବୁଧବାର ନିଜ ବ୍ଲକ ଚନ୍ଦାହାଣ୍ଡିରେ ରାତିରେ ପ୍ରଚାର କରୁଥିବାବେଳେ ବିରୋଧ କରିଥିଲେ ଗ୍ରାମବାସୀ । ତେବେ ପ୍ରଶ୍ନ ଉଠୁଛି ସାଂସଦ ରମେଶ ମାଝୀଙ୍କୁ ତାଙ୍କ ନିଜ ସଂସଦୀୟ କ୍ଷେତ୍ରରେ ଏତେ ବିରୋଧ କାହିଁକି କରାଯାଉଛି । ଏହା ଲୋକଙ୍କ ଆକ୍ରୋଶ ନାଁ ପଛରେ କୌଣସି ରାଜନୈତିକ ଷଡଯନ୍ତ୍ର ରହିଛି ।