କୃଷକ ଆନ୍ଦୋଳନ : ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧିଙ୍କ ପୟାସ । ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ, ଶରଦ ପାୱାରଙ୍କ ସହ ୫ ନେତା

138

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆସନ୍ତାକାଲି ବିରୋଧୀଦଳର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଆଇ (ଏମ୍) ମହାସଚିବ ସୀତାରାମ ୟେଚୁରୀଙ୍କ ସମେତ ୫ ଜଣ ନେତା ବୁଧବାର ସଂନ୍ଧ୍ୟା ୫ ଟାରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିନିଧି ମଣ୍ଡଳୀରେ ଅନେକ ନେତା ଥିବା ବେଳେ କୋଭିଡ-୧୯ କଟକଣା ପାଇଁ କେବଳ ୫ ଜଣ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଅନୁମତି ମିଳିଛି । ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ । ଅନୁମାନ କରାଯାଉଛି ଯେ ଏହି ଭେଟ ବେଳେ କୃଷି କାନୁନକୁ ନେଇ ଆଲୋଚନା ହୋଇପାରେ ।
କହିରଖୁ କି କୃଷକ ମାନେ ଦୀର୍ଘ ୧୩ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତିା ସେମାନେ ସରକାର କୃଷି କାନୁନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏନେଇ ଆସନ୍ତାକାଲି ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ୬ଷ୍ଠ ଥର ପାଇଁ ଆଲୋଚନା ହେବା ଯାହାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ସୂଚନା ଥାଉକି କୃଷକ ମାନେ ଆନ୍ଦୋଳନକୁ ଆସିବା ପରେ ଏପର୍ଯ୍ୟନ୍ତ ସରକାରଙ୍କ ସହ ୫ ଥର ବୈଠକ କରିସାରିଲେଣି । ହେଲେ ବୈଠକ ପରେ ବୈଠକ ଚାଲିଥିଲେ ବି କୌଣସି ନିସ୍କର୍ଷ ବାହାରିପାରୁ ନାହିଁ । କାଲି ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆଜି ୧୪ ଜଣ କୃଷକ ନେତାଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସଂନ୍ଧ୍ୟା ୭ ଟା ବେଳେ ଏହି ବୈଠକ ବସିବ ବୋଲି ଭାରତୀୟ କିଷାନ ସଂଗଠନର ମୁଖ୍ୟ ରାକେଶ ଟିକାୟତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆଜି ବି ଆମେ ଆମ ଦାବି ଉପରେ ଦୃଢ ରହିଛୁ । ଆଶା କରୁଛୁ ଯେ ଗୃହମନ୍ତ୍ରୀ ଏନେଇ କିଛି ସକାରତ୍ମକ ମନୋଭାବ ପୋଷଣ କରିବେ ।