ଚାଷୀ ଆନ୍ଦୋଳନ ସମର୍ଥନରେ ଅଭିନବ ପ୍ରତିବାଦ, ୫ ଏକର ଫସଲ ନଷ୍ଟ କଲେ ୟୁପିର ଜଣେ ଚାଷୀ । ଭିଡିଓ ହେଉଛି ଭାଇରାଲ

98

କନକ ବ୍ୟୁରୋ : କୃଷି କାନୁନକୁ ବିରୋଧ କରିବା ପାଇଁ ଉତ୍ତରପ୍ରଦେଶର ଜଣେ ଚାଷୀ ଅଭିନବ ଉପାୟ ଆପଣାଇଛନ୍ତି । କୃଷି କାନୁନକୁ ବିରୋଧ କରି କୃଷକ ଜଣଙ୍କ ନିଜ ଜମିରେ ଥିବା ଫସଲକୁ ନଷ୍ଟ କରିଦେଇଛନ୍ତି । ବିଜନୋରର ଚାନ୍ଦପୁର ଅଞ୍ଚଳରେ ଜଣେ ଚାଷୀ ନିଜର ୫ ଏକର ଗହମ କ୍ଷେତରେ ଟ୍ରାକ୍ଟର ଚଳାଇ ତାକୁ ନଷ୍ଟ କରିଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏନେଇ ସ୍ଥାନୀୟ ଜିଲ୍ଲା ଅଧ୍ୟକ୍ଷ ଦିଗମ୍ବର ସିଂ କହିଛନ୍ତି କି କୃଷି କାନୁନକୁ ବିରୋଧ କରି ବିଜନୋରରେ ଏବେ ଫସଲ ନଷ୍ଟ କରିବା ଅଭିଯାନ ଆରମ୍ଭ ହୋଇଛି ।

କହିରଖୁ କି କୃଷି ଆଇନକୁ ବିରୋଧ କରି ୩ ମାସ ହେବ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ଶନିବାର ଦିନ ଚାନ୍ଦପୁର ତହସିଲ କୁଲଚାନା ଗ୍ରାମର ଚାଷୀ ମୋହିତ କୁମାର ଟ୍ରାକ୍ଟର ନେଇ ନିଜର ୫ ଏକ ଜମିରେ କରିଥିବା ଗହମ ଚାଷକୁ ନଷ୍ଟ କରିଦେଇଛନ୍ତି ।
ଏହି ଖବର ପାଇବା ପରେ ସ୍ଥାନୀୟ ନାଏବ ତହସିଲଦାର ବ୍ରଜେଶ କୁମାର କୁଲଚାନା ଗ୍ରାମରେ ପହଂଚି ନଷ୍ଟ ହୋଇଥିବା ଫସଲକୁ ଦେଖିବା ସହ ମୋହିତଙ୍କ ସହିତ କଥା ହୋଇଥିଲେ । ମୋହିତ କହିଥିଲେ କି ସେ କୃଷି ଆଇନକୁ ବିରୋଧ କରି ଏଭଳି କରିଛନ୍ତି । ଏହାସହ ଫସଲର ଉଚିତ୍ ଦାମ ମିଳୁ ନଥିବା ନେଇ ସେ ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ । ଏହା ଶୁଣିବା ପରେ ତହସିଲଦାର କହିଥିଲେ କି ଏଭଳି କରିବା ଅନୁଚିତ୍ । ଯାହାଦ୍ୱାରା ତୁମ ନିଜର କ୍ଷତି ହେଉଛି । ଯଦି କିଛି ଅଭିଯୋଗ ଅଛି ତାହା ମୋତେ କୁହନ୍ତୁ ଓ ମୁଁ ତାକୁ ସରକାରଙ୍କ ପାଖରେ ପହଂଚାଇବାକୁ ଚେଷ୍ଟା କରିବି ବୋଲି ତହସିଲଦାର କହିଥିଲେ ।

କହିରଖୁ କି ଆନ୍ଦୋଳନ ଯେତେ ଦିନ ବଢୁଛି, ବିରୋଧ କରିବାର ତରିକା ବି ବଦଳୁଛି । କିଛିଦିନ ଆଗରୁ ଏକ ମହାପଂଚାୟତରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ରାକେଶ ଟିକାୟତ କହିଥିଲେ କି ସରକାର ଯଦି କୃଷି ଆଇନକୁ ପତ୍ୟାହାର ନ କରନ୍ତି ତେବେ କୃଷକ ମାନେ ଚାଷ କରିଥିବା ଫସଲ ଅମଳ ନ କରି ନଷ୍ଟ କରିଦେବେ । ଯାହାର ଉତ୍ତରପ୍ରଦେଶରୁ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।