ବାବୁଙ୍କ ପାଇଁ ମୁହାଁମୁହିଁ ହେଲେ ନେତା । ବାବୁଙ୍କ ସହ ମନ୍ତ୍ରୀଙ୍କ ଫଟୋ ଦେଖାଇ ବର୍ଷିଲେ ବିରୋଧୀ । ବିରୋଧୀଙ୍କ ଅଭିଯୋଗ, ରାଜ୍ୟରେ ଚାଲିଛି ଅଫିସର୍ ରାଜ୍

110

କନକ ବ୍ୟୁରୋ: ବିଧାନସଭାରେ ‘ଅଫିସର’ ଝଡ । ବାବୁଙ୍କ ପାଇଁ ଶାସକ-ବିରୋଧୀ ମୁହାଁମୁହିଁ । ରାଜ୍ୟରେ ଅଫିସରଙ୍କ ରାଜ ଚାଲିଥିବା ଅଭିଯୋଗ କରି ଶୂନ୍ୟକାଳରେ ଉଭୟ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଛନ୍ତି । ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଥିବା ବିରୋଧୀ ଅଭିଯୋଗ କରି ହଙ୍ଗାମା କରିଛନ୍ତି । ସେପଟେ ଗୃହ ଭିତରେ ଏହାକୁ କାଉଣ୍ଟର କରିଛି ଶାସକ ଦଳ ।

  • ବାବୁଙ୍କ ପାଇଁ ନେତା ମୁହାଁମୁହିଁ
  • ‘ରାଜ୍ୟରେ ଚାଲିଛି ଅମଲା ଶାସନ’
  • ଦେଖାଇଲେ ନେତା-ଅଫିସରଙ୍କ ଫଟୋ

ଦୁଇଟି ଫଟୋକୁ ନେଇ ଆଜି ବିଧାନସଭାରେ ତମ୍ବିତୋଫାନ । ରାଜ୍ୟରେ ଅଫିସରଙ୍କ ରାଜ ଚାଲିଥିବା ଅଭିଯୋଗ କରି ଶୂନ୍ୟକାଳରେ ହଟ୍ଟଗୋଳ କରିଥିଲେ ଉଭୟ କଂଗ୍ରେସ ଓ ବିଜେପି । ଏହାକୁ ନେଇ ଶାସକ-ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଥିବା ବେଳେ ଗୃହ ବାହାରେ ମନ୍ତ୍ରୀ-ଅଫିସରଙ୍କ ଫଟୋ ଦେଖାଇ ବର୍ଷିଛନ୍ତି ବିରୋଧୀ । କୋଇଡ଼ା ବିଡିଓ ପ୍ରସଙ୍ଗ ଉଠାଇ ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ସରକାରୀ ଅଫିସରଙ୍କ ଦ୍ୱାରା ଅପମାନିତ ହେଉଛନ୍ତି ଜନପ୍ରତିନିଧି । ଏହାପରେ ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଭେଟିବା ପ୍ରସଙ୍ଗ ଉଠାଇ ବର୍ଷିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

  • ଗଣତନ୍ତ୍ରରେ ମନ୍ତ୍ରୀ ହେଉଛନ୍ତି ସରକାର
  • କର୍ମଚାରୀ ସରକାରଙ୍କ ପାଖକୁ ଯିବା କଥା
  • ରାଜ୍ୟରେ ଗଣତନ୍ତ୍ର ନୁହେଁ ଅମଲାତନ୍ତ୍ର ଶାସନ ଚାଲିଛି
  • ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିବାରୁ କ୍ଷମା ମାଗନ୍ତୁ ମନ୍ତ୍ରୀ

ତେବେ ଗୃହ ଭିତରେ ଏହାକୁ କାଉଣ୍ଟର କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଏହାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଗୃହର ମଧ୍ୟଭାଗକୁ ଆସି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ହୋହଲ୍ଲା କରିଥିଲେ । ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଫଟୋ ଦେଖାଇ ନାରାବାଜି କରିବା ସହ ହଙ୍ଗାମା କରିଥିଲେ । ନିରଞ୍ଜନ ପୂଜାରୀ ଅଫିସରଙ୍କୁ ନମସ୍କାର କରୁଥିବା ଅଭିଯୋଗ ଆଣିଲେ ବିରୋଧୀ । ସେପଟେ ନିଜ ନିଜ ସ୍ଥାନରେ ଛିଡା ହୋଇ ନାରାବାଜି କରିଥିଲେ ଶାସକ ଦଳ । ତେଣୁ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁତଲବି ଘୋଷଣା କରିଥିଲେ ବାଚସ୍ପତି ।

କେବଳ ଗୃହ ଭିତରେ ନୁହେଁ, ବାହାରେ ମଧ୍ୟ ନେତା ଓ ଅଫିସରଙ୍କ ଫଟୋ ଦେଖାଇ ହୋହଲ୍ଲା କରିଥିଲା ଭାରତୀୟ ଜନତା ପାର୍ଟିର ନେତା । ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଫଟୋ ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ ବିଜେପି ବିଧାୟକ । ଡ୍ରାଇଭରଙ୍କ ସହ ଆଲୋଚନା ବେଳେ ପରିବହନ ମନ୍ତ୍ରୀ କାହିଁକି ଉପସ୍ଥିତ ନଥିଲେ ପ୍ରଶ୍ନ ଉଠାଇ ରାଜ୍ୟରେ ବିଚିତ୍ର ଶାସନ ଚାଲିଛି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।