‘କରୋନା ଠାରୁ ବଡ ମହାମାରୀ ବେକାରୀ’ । ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ।

155

କନକ ବ୍ୟୁରୋ : ବେକାରୀ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ବିବୃତି । କରୋନା ମହାମାରୀ ଠୁ ବଡ଼ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା । ପ୍ରିୟା ପ୍ରୀତିରେ ଚାଲିଛି ରାଜ୍ୟର ନିଯୁକ୍ତି ପ୍ରକ୍ରିୟା । ୧୮ ଲକ୍ଷ ଯୁବକ ଯୁବତୀ ରାଜ୍ୟରେ ବେକାର ହୋଇ ବୁଲୁଥିବା ବେଳେ ରାଜ୍ୟ ସରକାର ଅବସର ପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦେଉଛନ୍ତି । ସ୍ୱଳ୍ପ ଦକ୍ଷିଣାରେ ଏମାନଙ୍କୁ ନିଯୁକ୍ତି ଦେଉଛନ୍ତି । ବେକାର ଯୁବକ ଯୁବତୀ ଭସ୍ମାଷୁରରେ ପରିଣତ ହେଲେଣି । ଏହି ମାନେ ସରକାରଙ୍କୁ ବୁଡାଇ ଦେବେ ।

କରୋନା ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଲେ । ନା ତାଙ୍କର ସ୍କିଲ ମ୍ୟାପିଂ କରାଗଲା ନା ନିଯୁକ୍ତି ଦିଆଗଲା । ଯେଉଁଥିପାଇଁ ସ୍ଥିତିରେ ଟିକିଏ ସୁଧାର ଆସିବା ମାତ୍ରେ ଏହି ପ୍ରବାସୀ ମାନେ ପୁଣିଥରେ ନିଯୁକ୍ତି ଆଶାରେ ବାହାରକୁ ଚାଲିଗଲେ । ଯେତିକି ଦକ୍ଷତା ବିକାଶ ତାଲିମ ଦିଆଯାଇଛି ସେଥି ମଧ୍ୟରୁ ୩୧ ପ୍ରତିଶତ ପିଲା ମାନେ ନିଯୁକ୍ତି ପାଇଁ ଅଯୋଗ୍ୟ । ଏଥିରୁ ଜଣାପଡୁଛି ରାଜ୍ୟରେ ଦକ୍ଷତା ବିକାଶ ବିଭାଗ କିପରି କାର୍ଯ୍ୟ କରୁଛି ବୋଲି କହିଛନ୍ତି ମୋହନ ।

ସେହିଭଳି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ରାଜ୍ୟରେ ଯୁବକ ଯୁବତୀ ମାନେ ଚାକିରୀ ନ ପାଇ ମାଓବାଦୀ ସଂଗଠନରେ ସାମିଲ ହେଉଛନ୍ତି । ବିଭିନ୍ନ ଆଇଟି ଶିଳ୍ପକୁ ୫୦ ଏକର ଜାଗା ଭୁବନେଶ୍ୱରରେ ଦିଆଗଲା । ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଗଲା । ମାତ୍ର ୧୫ ପ୍ରତିଶତ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାରୁ ଅଧିକ ଲୋକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ନିଯୁକ୍ତି କେବଳ କାଗଜ କଲମରେ । ମନ୍ତ୍ରୀ ବିଧାନସଭାରେ ଗୋଲାପି ଚିତ୍ର ଦେଖାଉଛନ୍ତି ବୋଲି କହିଛନ୍ତି ତାରା । ସେହିଭଳି କେନ୍ଦ୍ର ସରକାରଙ୍କ ଟାର୍ଗେଟ କରିବାକୁ ଯାଇ ତାରା କହିଛନ୍ତି, ସରକାର ବର୍ଷକୁ ୨ କୋଟି ଚାକିରି ଦେବେ ବୋଲି କହିଥିଲେ । ଆଉ ସେହି ହିସାବରେ ୭ ବର୍ଷରେ ୧୪ କୋଟି ଚାକିରି ସରକାର ଦେବା କଥା । କିନ୍ତୁ କେନ୍ଦ୍ର ସରକାରଙ୍କ ସେହି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ତାରା ।

ଅନ୍ୟପଟେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ରାଜ୍ୟ ସରକାର ଯୁବକ ଯୁବତୀମାନଙ୍କ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଆଇ.ଟି.ଆଇ , ପଲିଟେକିନିକ, ଓ ଇଂଜିନିୟରିଂ ତାଲିମରେ ପ୍ରୋତ୍ସାହିତ କରାଯାଉଛି। ୪୯ଟି ସରକାରୀ ଆଇ.ଟି.ଆଇରେ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରାଯାଇଛି। ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ସରକାର ବଦ୍ଧ ପରିକର ବୋଲି ଦକ୍ଷତା ଓ ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉତ୍ତରରେ କହିଛନ୍ତି।