କେମିତି ହେଉଛି କରୋନା ମୁକାବିଲା? ବିଧାନସଭାରେ ବିରୋଧୀ କହିଲେ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, କୋମାରେ ସରକାର । ରୋଗୀଙ୍କୁ ଚିକିତ୍ସା ମିଳୁନି, ଖାଲି ଶ୍ରେୟ ନେବାକୁ ଚାହିଁ ବସିଛନ୍ତି ସରକାର । 

141

କନକ ବ୍ୟୁରୋ : ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କରୋନାକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ  ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆଣିଛନ୍ତି । କେବଳ କରୋନା ମୁକାବିଲାରେ ନୁହେଁ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜୟନାରାୟଣ ।  ମନ୍ତ୍ରୀଙ୍କ ଉତର ବାସସ୍ତ ତଥ୍ୟ ଠାରୁ ବହୁତ ଦୂରରେ। ସରକାର ଶ୍ରେୟ ନେବାକୁ ଚାହିଁ ବସିଛନ୍ତି, ଖାଲି ପ୍ରବଚନ ଦେଉଛନ୍ତି ।  ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ହସ୍ପିଟାଲ ନେଲେ ୨-୩ ଦିନ ପରେ ଛାଡିଦେଲେ। କିଡନୀ, ହାର୍ଟ ରୋଗୀଙ୍କୁ ଭର୍ତ୍ତି କରାଗଲା ଦେଖିବାକୁ କେହି ଗଲେନି। ଲୋକ ମରି  ଯାଉଛନ୍ତି। ଜ୍ଵର ହେଉଛି, କୋଭିଡ ନଥିବା ରିପୋର୍ଟ ଅଛି କିନ୍ତୁ ହସ୍ପିଟାଲ ଆଡ଼ମିଟ କରୁନାହାନ୍ତି। ଏଭଳି ଅଭିଯୋଗ ଆଣି ସରକାରଙ୍କ କରୋନା ମୁକାବିଲା ଉପରେ ପ୍ରଶ୍ନବାଚୀ ଛିଡା କରିଛନ୍ତି ଜୟନାରାୟଣ ।

ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଗୃହରେ ସରକାର ଯେଉଁ ତଥ୍ୟ ରଖିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ  । ଫୋନ୍ କଲେ ବି ଉପଯୁକ୍ତ ଚିକିତ୍ସା ମିଳୁନି । ରାଜ୍ୟରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ରୂପେ ଗମ୍ଭୀର, ସରକାର ଖାଲି ବାହାବା ନେବା ପାଇଁ ଏଭଳି କହୁଛନ୍ତି। ମେଡିକାଲରେ କୋଭିଡ କଥା ଛାଡ଼ନ୍ତୁ ଅଣ କୋଭିଡଙ୍କୁ ଚିକିତ୍ସା ମିଳୁନି। ମେଡିକାଲରେ ସିଟ ନାହିଁ। ସରକାର କୋମାରେ ରହିଛନ୍ତି। ନରସିଂହଙ୍କ ଏଭଳି ଅଭିଯୋଗ ଗୃହରେ ସରକାରଙ୍କୁ ଅଡୁଆରେ ପକାଇଛି । କଂଗ୍ରେସ ବିଧାୟକ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଡାକ୍ତର କରୋନା ରୋଗୀଙ୍କ ପାଖକୁ ଯାଉ ନାହାନ୍ତି, ତାହେଲେ କେମିତି ଚିକିତ୍ସା ହେବ । ବେଡ ନାହିଁ, ଆମ୍ବୁଲାନ୍ସ ନାହିଁ । କିନ୍ତୁ ଏଥିରେ ସଫଳ କରୋନା ମୁକାବିଲାର କଥା କହି ବାହାବା ନେଉଛନ୍ତି ସରକାର । ରାଜ୍ୟରେ କରୋନାର ବାସ୍ତବ ସ୍ଥିତି ଜାଣିବା ପାଇଁ ମନ୍ତ୍ରୀ ବାହାରକୁ ଆସି ବୁଲିବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସତ କଣ ଜାଣନ୍ତୁ ।