କାହିିଁକି ଭୁଶୁଡ଼ିଥିଲା ବମିଖାଲ ଓଭରବ୍ରିଜ ! ବିରୋଧୀ ବଖାଣିଲେ ପୂରା କାହାଣୀ, ଦାମ ମାରିଲେ ତେରଛା ବାଣ

28

କନକ ବ୍ୟୁରୋ : ବମିଖାଲ ଓଭରବ୍ରିଜ୍ ଭୁଶୁଡିିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ଆଜି ଦୁର୍ଘଟଣାସ୍ଥଳରେ ପହଂଚି ବୁଲି ଦେଖିବା ସହ ନବୀନ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତ ସେପ୍ଟେମ୍ବରରେ ଗୋଟିଏ ଦୁର୍ଘଟଣା ଘଟିବାପରେ ବି ଠିକା ସଂସ୍ଥା ସହ କାହିଁକି ଚୁକ୍ତି ବାତିଲ ହେଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସମାନ ଢଙ୍ଗରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କଠାରୁ ଜବାବ ଚାହିଁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏପଟେ ବିଜେଡି କହିଛି ଦୁର୍ଘଟଣା ପାଇଁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଓ ଠିକାସଂସ୍ଥା ପଣ୍ଡା ଇନଫ୍ରାର ମାଲିକ ଗିରଫ ହେବା ଘଟଣା ବିରୋଧୀଙ୍କୁ ସନ୍ତୁଷ୍ଟ କରିନାହିଁ । ଆଜି ଦୁର୍ଘଟଣାସ୍ଥଳ ବୁଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାରମ୍ବାର ବ୍ରିଜ ଭୁଶୁଡି ଲୋକଙ୍କ ମୃତ୍ୟୁ ଫଳରେ ଯେଉଁ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି ତାକୁ ଦୂର କରିବା ଲାଗି ଏକ ବିଶ୍ୱାସନୀୟ ସଂସ୍ଥା ମାଧ୍ୟମରେ ଏହାର ଯାଂଚ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ସେପଟେ ଗତ ସେପ୍ଟେମ୍ବରରେ ପ୍ରଥମ ଦୁର୍ଘଟଣା ପରେ ପୁଣି ଦ୍ୱିତୀୟଥର କାହିଁକି ଭୁଶୁଡିଲା ପୋଲ, ତାର କାରଣ ସଂପର୍କରେ ଟ୍ୱିଟ କରି କେତୋଟି ଦିଗ ଉପରେ ଆଲୋକପାତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ତାଙ୍କ ଟ୍ୱିଟରେ ଦୁର୍ଘଟଣାର କାରଣ ଲେଖିଛନ୍ତି । ଆପଣ ଜାଣନ୍ତି କାହିଁକି ଦ୍ୱିତୀୟ ଦୁର୍ଘଟଣା ଘଟିଲା ? କାରଣ ସେପ୍ଟେମ୍ବର ଦୁର୍ଘଟଣା ପରେ ୩ଟି ଘଟଣା ଘଟିଲା ।
୧- ଘରୋଇ ନିର୍ମାଣ ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି ଏବଂ କାମ ଜାରି ରଖିବାକୁ କୁହାଗଲା
୨- ଏପରିକି ନିଲମ୍ବିତ ସରକାରୀ ଅଧିକାରୀଙ୍କୁ ପୁଣିଥରେ କାମରେ ଅବସ୍ଥାପିତ କରାଗଲା
୩- ଠିକା ସଂସ୍ଥା ନିର୍ମାଣର ମୂଳ ନିୟମକୁ ଉଲ୍ଲଂଘନ କଲେ

କେବଳ ବିରୋଧୀ ନୁହନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ମଧ୍ୟ ସାଧାରଣରେ ହେଉଥିବା ଅଭିଯୋଗକୁ ଆଧାର କରି ବିଭାଗୀୟ ଯନ୍ତ୍ରୀମାନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ରାଜଧାନୀର ଛାତି ଉପରେ ୮ମାସରେ ଦୁଇଦୁଇଟି ଦୁର୍ଘଟଣା ଓ ଲୋକଙ୍କ ପ୍ରାଣହାନୀ ରାଜ୍ୟ ରାଜନୀତିରେ ଏକ ବଡ ପ୍ରସଙ୍ଗ ପାଲଟିଯାଇଛି ।