କନକ ବ୍ୟୁରୋ : ରାଜଧାନୀର ଏକ ଘରୋଇ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ । ଭୁବନେଶ୍ୱରର କେୟାର ହସ୍ପିଟାଲ ନାଁରେ ଅଭିଯୋଗ ଆସିଛି । ଏହି ହସ୍ପିଟାଲ ମାଲିକଙ୍କ ପାକିସ୍ତାନ ସହ ଲିଙ୍କ ଅଛି ବୋଲି ଆଜି ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି, ସଂପୃକ୍ତ ମାଲିକଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏ ଯାଏଁ ଏହି ହସପିଟାଲକୁ ଏନଓସି ମିଳିନାହିଁ । କିପରି ଏହା ବିକ୍ରି ହେଲା ବୋଲି ଶୂନ୍ୟକାଳରେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।
କେଉଁ ପରିସ୍ଥିତିରେ ଅପରାଧୀ ବ୍ୟକ୍ତିଙ୍କୁ ଏହା ବିକ୍ରି କରାଗଲା ବୋଲି ସେନେଇ ଗୃହରେ ଉତ୍ତର ରଖିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଆଉ ବିରୋଧୀ ଦଳ ନେତାଙ୍କ ସ୍ୱରରେ ସ୍ୱର ମିିଳାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସଂପୃକ୍ତ ବ୍ୟକ୍ତି ଏବେ ଜେଲରେ ଅଛନ୍ତି, ତାଙ୍କୁ କିଭଳି ଏହା ବିକ୍ରି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ତାରା । ସରକାର ଏହି ହସ୍ପିଟାଲ ପାଇଁ ୨୦ ଏକର ଜମି ବି ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଅନୁସନ୍ଧାନ କରି ଉତ୍ତର ରଖିବାକୁ ଦାବି କରିଛନ୍ତି ତାରାପ୍ରସାଦ ବାହିନୀପତି ।