କେନ୍ଦ୍ରାପଡ଼ାରେ ହେବନି ତ କେନ୍ଦୁଝରର ପୁନରାବୃତ୍ତି ? ଆର୍ସେଲର ମିତ୍ତଲର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ।

191

କନକ ବ୍ୟୁରୋ: ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ଭିତରେ ହୋଇଥିବା ଚୁକ୍ତି ଯଦି ବାସ୍ତବତା ରୂପ ନିଏ, ତେବେ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ଓଡ଼ିଶାର ଶିଳ୍ପ ସ୍ୱପ୍ନ ଆହୁରି ଦୁଇ ପାଦ ଆଗକୁ ଯିବ । ଖଣିଜ ସମ୍ପଦ ପରିପୂର୍ଣ୍ଣ ଓଡ଼ିଶା ପାଇଁ ୫୦ ହଜାର କୋଟିର ପୁଞ୍ଜିନିବେଶ ଏବଂ ୧୨ ମିଲିୟନ୍ ଟନ୍ର ଇସ୍ପାତ ପ୍ରକଳ୍ପ ନିଶ୍ଚିତ ଭାବେ ବିକାଶ ଧାରାକୁ ଆଗେଇ ନେଇପାରିବ । କିନ୍ତୁ ଆଶଙ୍କା ଏଇଥି ପାଇଁ ରହିଛି, କାରଣ ଠିକ୍ ଏଭଳି ଏକ ଚୁକ୍ତି କରି ଓହରି ଯାଇଥିଲା ଆର୍ସେଲର ମିତ୍ତଲ ।

କେନ୍ଦ୍ରାପଡ଼ାରେ ହେବନି ତ କେନ୍ଦୁଝର କାହାଣୀର ପୁନରାବୃତ୍ତି? ଚୁକ୍ତି କରି ପୂର୍ବ ଭଳି ଓହରି ଯିବନି ତ ଆର୍ସେଲର ମିତ୍ତଲ? ଠିକ୍ ଏହି ଭଳି କିଛି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ୨୦୦୬ ମସିହାରେ କେନ୍ଦୁଝରରେ ୧୨ ମିଲିୟନ୍ ଟନ୍ର ଇସ୍ପାତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲା ବିଶ୍ୱର ସର୍ବବୃହତ ଇସ୍ପାତ ନିର୍ମାତା ଆର୍ସେଲର ମିତ୍ତଲ । ହେଲେ ଜମି ଅଧିଗ୍ରହଣ ଓ ଖଣି ସମସ୍ୟା, କାରଣ ଯୋଗୁଁ ୨୦୧୩ରେ କଂପାନୀ ଚୁକ୍ତିରୁ ଓହରିଯାଇଥିଲା । ଆଉ ଏଥିପାଇଁ ଏହି ଏମ୍ଓୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିରୋଧୀ ।

ତେବେ ରାଜନୀତିର ବୟାନବାଜି ଭିତରେ କିନ୍ତୁ ୨୦୧୯ ମସିହାରେ କେନ୍ଦୁଝର ଠାକୁରାଣୀ ଲୁହାପଥର ଖଣି ଆର୍ସେଲର ମିତ୍ତଲକୁ ମିଳିଛି । ଆଉ ଏହା ପରେ କେନ୍ଦ୍ରାପଡ଼ାରେ ୧୨ ମିଲିୟନ୍ ଟନ୍ କ୍ଷମତା ସମ୍ପନ୍ନ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଟା ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି । କିନ୍ତୁ ପୂର୍ବରୁ ପସ୍କୋ ଭଳି ପ୍ରକଳ୍ପ ଫେରିଯିବା ଘଟଣା ଅନେକ ସମୟରେ ନୂଆ ପ୍ରକଳ୍ପକୁ ଆଶଙ୍କା ସୃଷ୍ଟି କରୁଛି । ୨୦୦୫ରେ ଝାଡ଼ଖଣ୍ଡ ଏବଂ ୨୦୧୦ରେ କର୍ଣ୍ଣାଟକରେ ମଧ୍ୟ ଇସ୍ପାତ ପ୍ରକଳ୍ପ ଆର୍ସେଲର ମିତ୍ତଲ ଚୁକ୍ତି କରିଥିବା ସତ୍ୱେ ଆଗକୁ ବଢ଼ିପାରିନଥିଲା ।

ତେବେ ବଡ଼ କଥା ହେଉଛି, ଏହି ଚୁକ୍ତି ସ୍ୱାକ୍ଷରିତ ହେବାର କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବଡ଼ ପ୍ରକଳ୍ପ ହେବା ନେଇ ସଙ୍କେତ ଦେଇଥିଲେ । ଆଉ ଏହି ଚୁକ୍ତିକୁ ନେଇ ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ ବେଶ ଉତ୍ସାହିତ ଅଛନ୍ତି ।