ଯୋଜନା ବୋର୍ଡକୁ ସାଇନବୋର୍ଡର ଟ୍ୟାଗ୍ ଦେଲେ ବିରୋଧୀ । ସଞ୍ଜୟଙ୍କ ନିଯୁକ୍ତି ପରେ ବିରୋଧୀ କହିଲେ, ଥଇଥାନ କେନ୍ଦ୍ର ପାଲଟିଛି ବୋର୍ଡ । ନିଯୁକ୍ତି ଚାଲିଛି କିନ୍ତୁ ୧୩ ବର୍ଷ ହେଲା ବସୁନି ବୈଠକ ।

156

କନକ ବ୍ୟୁରୋ : ରାଜ୍ୟ ଯୋଜନା ବୋର୍ଡରେ ଉପାଧ୍ୟକ୍ଷ ଭାବେ ସଂଜୟ ଦାସବର୍ମାଙ୍କ ନିଯୁକ୍ତି ପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି, ରାଜ୍ୟ ଯୋଜନା ବୋର୍ଡ ଏକ ସାଇନବୋର୍ଡରେ ପରିଣତ ହୋଇଛି । ଗତ ୧୩ ବର୍ଷ ହେଲା ଯୋଜନା ବୋର୍ଡର କୌଣସି ହେଲେ ବୈଠକ ବସିନାହିଁ । ଏପଟେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ନୀତି ଆୟୋଗ ଢାଂଚାରେ ରାଜ୍ୟ ଯୋଜନା ବୋର୍ଡ କାମ କରିବ ।

ବେଶ କିଛି ଦିନ ଧରି ଖାଲି ପଡିଥିବା ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ସଂଜୟ ଦାସବର୍ମା । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଯୋଜନା ବୋର୍ଡର କାର୍ଯ୍ୟକାରିତା ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ । ରାଜ୍ୟର ବିକାଶ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ସରକାରୀ ଯୋଜନାଗୁଡିକ କିପରି ଉପର ସ୍ତରରୁ ତଳ ସ୍ତର ଯାଏଁ ପହଁଚିବ, ସେ ନେଇ କାର୍ଯ୍ୟ କରିଥାଏ ଯୋଜନା ବୋର୍ଡ । ହେଲେ ବିଡ଼ମ୍ବନାର ବିଷୟ ହେଉଛି, ୨୦୦୭ ମସିହାରୁ ଏପର୍ଯ୍ୟନ୍ତ ଥରଟିଏ ବସିନାହିଁ ରାଜ୍ୟ ଯୋଜନା ବୋର୍ଡର ବୈଠକ ।

ପାଖାପାଖି ୧୩ ବର୍ଷ ଧରି ଯୋଜନା ବୋର୍ଡର ବୈଠକ ବସିନଥିବା ବେଳେ ଉପାଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଉଛି । ଯୋଜନା ବୋର୍ଡ କେବଳ ସାଇନ ବୋର୍ଡରେ ପରିଣତ ହୋଇଛି ବୋଲି କଂଗ୍ରେସ କଟାକ୍ଷ କରିଥିବା ବେଳେ ଦଳୀୟ ନେତାଙ୍କୁ ଥଇଥାନ କରିବା ପାଇଁ ବୋର୍ଡରେ ନିଯୁକ୍ତି ଦିଆଯାଉଛି ବୋଲି କହିଛି ବିଜେପି ।

୧୯୬୯ରେ ଗଠନ ହୋଇଥିଲା ଯୋଜନା ବୋର୍ଡ । ୨୦୧୦ରେ ଏହାର ପୁନର୍ଗଠନ ହୋଇଥିଲା । ଯୋଜନା ବୋର୍ଡରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବ୍ୟତୀତ ୧୫ ଜଣ ସଦସ୍ୟ ରହିବେ । ବୋର୍ଡର କାର୍ଯ୍ୟକାଳ ୫ ବର୍ଷ । ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ହୋଇଥିବା ବେଳେ ଉପାଧ୍ୟକ୍ଷଙ୍କୁ ମିଳିଥାଏ କ୍ୟାବିନେଟ୍ ପାହ୍ୟା । ମେ’ ୨୦୦୩ ଓ ଅକ୍ଟୋବର ୨୦୦୭ରେ ହୋଇଥିଲା ବୋର୍ଡର ବୈଠକ । ମେ’ ୨୦୧୮ରେ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିଲେ ସରକାର ।

ଗୋଟିଏ ପଟେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ନିଯୁକ୍ତ କରୁଛନ୍ତି ସରକାର, ଅନ୍ୟପଟେ ଯୋଜନା ବୋର୍ଡକୁ ନିତି ଆୟୋଗ ଢାଂଚାରେ ଗଢ଼ିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାକି ରହିଥିବା କହିଛନ୍ତି, ଯୋଜନା ଓ ସଂଯୋଜନା ମନ୍ତ୍ରୀ । ଯଦି ନିତି ଆୟୋଗ ଢାଂଚାରେ ରାଜ୍ୟ ଯୋଜନା ବୋର୍ଡକୁ ପୁନର୍ଗଠନ କରାଯାଏ, ତେବେ ଏହି ବୋର୍ଡ ଏବେ କି’ କାର୍ଯ୍ୟ କରିବ, ତାହା ଉପରେ ପ୍ରଶ୍ନଚିହ୍ନ ଲାଗିଛି ।