ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ଖୋଲାଖୋଲି ନିୟମର ଉଲଂଘନ । ଜାତୀୟକରଣ ବ୍ୟାଙ୍କ ବଦଳରେ କାହିଁକି ଘରୋଇ ବ୍ୟାଙ୍କ୍ରେ ଜମା ହେଲା ଶ୍ରୀମନ୍ଦିର ଟଙ୍କା? ଉତରଦାୟୀ ରହିବେ କି ନିଷ୍ପତି ନେଇଥିବା ବାବୁ

422

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ଭିତରେ ପ୍ରଶ୍ନ ଉଠିଛି, ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଏହି ବେସରକାରୀ ବ୍ୟାଙ୍କରେ ରଖିବାକୁ କାହିଁକି ନିଷ୍ପତି ନିଆଯାଇଥିଲା । ଏଥିପାଇଁ କିଏ ଦାୟୀ । କାହାକୁ ଉତରଦାୟୀ କରାଯିବ । ଯେତେବେଳେ ସାମାନ୍ୟ ଟ୍ରାଫିକ୍ ନିୟମ ଉଲଘଂନ ପାଇଁ ଗାଡ଼ି ଚାଳକମାନେ ଲକ୍ଷ ଲକ୍ଷ ଟଙ୍କାର ଜୋରିମାନା ଗଣିବାକୁ ବାଧ୍ୟ ହେଉଛନ୍ତି, ସେତେବେଳେ ୫୪୫ କୋଟି ଟଙ୍କାକୁ ନେଇ ସୃଷ୍ଟି ହୋଇଥିବା ଅସ୍ଥିରତା ପାଇଁ ସଂପୃକ୍ତ ବାବୁଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ?

ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ଆଜି ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ଏକ ଅନିଶ୍ଚିତା ଭିତରକୁ ଠେଲି ଦେଇଛି, ୟେସ୍ ବ୍ୟାଙ୍କରେ ଜମା ଥିବା ଟଙ୍କାକୁ ୟୁକୋ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ଆରବିଆଇକୁ ନିବେଦନ କରାଯାଉଛି, ଠିକ୍ ସେତିକିବେଳେ ପ୍ରଶ୍ନ ଉଠୁଛି, ଏଭଳି ସ୍ଥିତି ଆସିଲା କାହିଁକି?

ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ସ୍ଥାପନ, କାର୍ଯ୍ୟକାରିତା ଏବଂ ଅର୍ଥ ପରିଚାଳନା ଆଇନ୍ ୧୯୮୩ର ଚ୍ୟାପ୍ଟର ୨ର ଚତୁର୍ଥ ଅନୁଚ୍ଛେଦର ଧାରା ୬ରେ ଉଲ୍ଲେଖ ଅଛି-ଶ୍ରୀଜଗନ୍ନାଥ ମନ୍ଦିରକୁ ଦାନ ଆକାରରେ ମିଳୁଥିବା ନଗଦ, ଚେକ୍, ଡ୍ରାପ୍ଟ ତଥା ଅନ୍ୟାନ୍ୟ ରାଶି ସ୍ଥାନୀୟ ଅଂଚଳରେ ଥିବା ଜାତୀୟକରଣ ବ୍ୟାଙ୍କର ଜମା ଖାତାରେ ଯଥାଶୀଘ୍ର ଜମା କରାଯିବ । ପରିଚାଳନା ନିମୟରେ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ସ୍ପଷ୍ଟ ଲେଖାଯାଇଥିଲେ ସୁଦ୍ଧା- ଘରୋଇ ବ୍ୟାଙ୍କକୁ ବାଛିଲା କିଏ?

ଯେତେବେଳେ ସାମାନ୍ୟ ଟ୍ରାଫିକ୍ ନିୟମ ଉଲଘଂନ ପାଇଁ ଗାଡ଼ି ଚାଳକ ତଥା ଗାଡ଼ି ମାଲିକମାନେ ଲକ୍ଷ ଲକ୍ଷ ଟଙ୍କାର ଜୋରିମାନା ଗଣିବାକୁ ବାଧ୍ୟ ହେଉଛନ୍ତି, ସେତେବେଳେ ୫୪୫ କୋଟି ଟଙ୍କାକୁ ସୃଷ୍ଟି ହୋଇଥିବା ଅସ୍ଥିରତା ପାଇଁ ସଂପୃକ୍ତ ବାବୁଙ୍କ ବିରୋଧରେ କାହିଁକି ହେବ ନାହିଁ କାର୍ଯ୍ୟାନୁଷ୍ଠାନ? କାରଣ, ଅର୍ଥ ପରିଚାଳନା ନିୟମରେ ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖିବାକୁ ସ୍ପଷ୍ଟ ସୂଚନା ଦିଆଯାଇଥିଲେ ସୁଦ୍ଧା ଘରୋଇ ବ୍ୟାଙ୍କରେ ରଖାଯାଇଛି ଶ୍ରୀଜଗନ୍ନାଥଙ୍କ ଟଙ୍କା । ଅର୍ଥାତ୍ ଖୋଲାଖୋଲି ନିୟମର ଉଲଂଘନ କରାଯାଇଛି । ଯେଉଁ କଥାକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।ଆଶ୍ଚର୍ଯ୍ୟର କଥା ହେଉଛି, ୟେସ ବ୍ୟାଙ୍କରେ ସଙ୍କଟ ଚାଲିଥିବା ବେଳେ ୨୦୧୯ରେ ପୁଣି ଥରେ ଅର୍ଥସଚିବ ୟେସ ବ୍ୟାଙ୍କର ନାଁ ଥାଇ ଆଉ ଏକ ତାଲିକା ଜାରି କରିଥିଲେ ।

ଜାଣିଶୁଣି ବୁଡାଇଦେଲେ ଜଗନ୍ନାଥଙ୍କ ଟଙ୍କା? ୨୦୧୮ମସିହା ଅଗଷ୍ଟ ମାସ ବେଳକୁ ଅନିୟମିତତା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ସ୍କାନରକୁ ଆସି ସାରିଥିଲା ୟେସ ବ୍ୟାଙ୍କ । ହେଲେ ଏହାପରେ ବି ଭାଙ୍ଗିନଥିଲା, ଶ୍ରୀମନ୍ଦିର ପ୍ରଶାସନର ନିଦ । ଡୁବୁଥିବା ଏକ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରହିଲା କାହିଁକି? ତିରୁପତି ମନ୍ଦିର ଟଙ୍କା ଯେତେବେଳେ ୟେସ୍ ବ୍ୟାଙ୍କରୁ ଉଠାଗଲା ଶ୍ରୀମନ୍ଦିରର ଟଙ୍କା ବ୍ୟାଙ୍କରେ ରହିଲା କାହିଁକି? ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ପଛରେ କ’ଣ ଥାଇପାରେ କାରଣ? ଘରୋଇ ବ୍ୟାଙ୍କରେ ବର୍ଷ ବର୍ଷ ଧରି ଟଙ୍କା ରଖିଥିବା ବାବୁମାନେ ହାତ ଚିକ୍କଣ କରିଛନ୍ତି ନା ନାହିଁ? ସେ ସଂପର୍କରେ ତଦନ୍ତ ହେବା ଜରୁରୀ ।