ହାଜତ ମୃତ୍ୟୁ ଓ ସ୍କୁଲ ବନ୍ଦ ପ୍ରସଙ୍ଗରେ ଶାସକ ଦଳକୁ ଘେରିଲେ ବିରୋଧୀ । ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ହୋଇପାରେ ଜୋରଦାର ଚର୍ଚ୍ଚା

62

କନକ ବ୍ୟୁରୋ : ହାଜତ ମୃତ୍ୟୁ ଓ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭା ପ୍ରଥମାର୍ଦ୍ଧରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହାଜତ ମୃତ୍ୟୁ ଓ ସ୍କୁଲ ବନ୍ଦ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ । ଏହାପରେ ଗୃହକୁ ଦିନ ୩ଟା ଯାଏ ମୁଲତବୀ କରିଥିଲେ ବାଚସ୍ପତି । ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ହୋଇପାରେ ଜୋରଦାର ଚର୍ଚ୍ଚା ।

ବିଧାନସଭା ଶୀତ ଅଧିବେସନର ଦ୍ୱିତୀୟ ଦିନରେ ଆରମ୍ଭରୁ ବିରୋଧୀ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି । ଏହି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଡଶ ଟିପ୍ପଣୀ କରିଛନ୍ତି । ନରସିଂହ କହିଛନ୍ତି ରାଜ୍ୟରେ ଜଙ୍ଗଲ ରାଜ ଚାଲିଛି । ସେହିପରି କେବଳ ନିଲମ୍ବନ କଲେ ଚଳିବ ନାହିଁ ହାଜତ ମୃତ୍ୟୁ ପ୍ରସଙ୍ଗରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ସେପଟେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି । ସେପଟେ ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି ଯେ, ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା । ଏହାକୁ ଗୁରୁତର ସହ ବିଚାର କରିବା ଆବଶ୍ୟକ । ତେବେ ଏ ପ୍ରସଙ୍ଗ କୋର୍ଟରେ ବିଚାରଧୀନ ଅଛି ତେଣୁ ଏହା ଉପରେ ଆଲୋଚନା ହେଲେ ଘଟଣା ପ୍ରଭାବିତ ହେବାର ସମ୍ଭାବନା ଅଛି ବୋଲି ଅମର ଶତପଥି କହିଛନ୍ତି ।

ରାଜ୍ୟରେ ୟୁପି ସ୍କୁଲ ବନ୍ଦ ନେଇ ବିଧାନସଭାରେ ହଟ୍ଟଗୋଳ । ବାଚସ୍ପତିଙ୍କ ରୁଲିଂ ପରେ ବି ଗୃହରେ କଂଗ୍ରେସ ଓ ବିଜେପି ସଭ୍ୟ ହୋହାଲ୍ଲା କରିବାରୁ ଗୃହକୁ ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ତାରା ବିହୀନିପତି କହିଛନ୍ତି ଯେ, ନିଷ୍ପତି ପ୍ରତ୍ୟାହାର ନହେଲେ ସେ ଆତ୍ମହୂତି ଦେବେ ଏବଂ ବେକ କାଟି ମରିବେ । ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ଆଲୋଚନା କରିବା ସହ ସର୍ବଦଳୀୟ ବୈଠକ କରାଯାଉ, ଏବଂ ବୈଠକକୁ ମନ୍ତ୍ରୀ ଆସନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି ।

ୟୁପି ସ୍କୁଲ ବନ୍ଦ ନେଇ ପ୍ରଥମେ ବାଚସ୍ପତି ରୁଲିଂ ଆଣିଥିଲେ । କାଲି ଗୃହରେ ମନ୍ତ୍ରୀ ଏନେଇ ଉତର ରଖିବେ ବୋଲି କୁହାଯାଇଥିଲା । ହେଲେ ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ବାଚସ୍ପତି ପୁଣି ରୁଲିଂ ଆଣିଥିଲେ । କାଲି ସୁଦ୍ଧା ଗୃହରେ ସ୍କୁଲ ବନ୍ଦ ନେଇ ଗଣ ଶିକ୍ଷା ମନ୍ତ୍ରୀ ଉତର ରଖିବେ ବୋଲି ରୁଲିଂ ଆଣିଯାଇଥିଲା । ରୁଲିଂ ପରେ ବି ବିରୋଧୀ ହଟ୍ଟଗୋଳ କରିବାକୁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍କୁଲ ବନ୍ଦ ହେବା ପ୍ରସଙ୍ଗ ଗୃହରେ ଉଠାଇଥିଲେ ।

ସରକାର ନିର୍ଦ୍ଦେଶ ଦିଅନ୍ତୁ ସ୍କୁଲ ବନ୍ଦ ନହେଉ । ପିଲା ଏତେ ଦୂର କେମିତି ପଢିବାକୁ ଯିବେ । ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ପଳାଇବ ବୋଲି ନରସିଂହ କହିଥଲେ । ସେହିପରି ବିରେଧୀ ଦଳ ଉପନେତା ବିଷ୍ଣୁ ସେଠୀ ୧୪ ହଜାର ସ୍କୁଲ ବନ୍ଦ ହେଲେ ପିଲା କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ୟୁପି ସ୍କୁଲ ବନ୍ଦ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି ।

ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ । ୧୪ ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ୭ ହଜାର ୭ ଶହ ୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ କରାଯିବ । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ରାଜ୍ୟ ସରକାରଙ୍କ ଉଦେଶ୍ୟ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।