କୃଷି ବିଲ ପ୍ରତିବାଦରେ ବିରୋଧୀଙ୍କ ବିକ୍ଷୋଭ : ପ୍ରଧାନମନ୍ତ୍ରୀ କହିଲେ, ବନ୍ଦ ହେବନି ମଣ୍ଡି ବ୍ୟବସ୍ଥା, ଚାଷୀ ଯେଉଁଠି ଚାହିଁବେ ବିକ୍ରି କରିପାରବେ ଅମଳ ଶସ୍ୟ ; ବିରୋଧୀଙ୍କ ଅଭିଯୋଗ ଏମଏସପିଙ୍କ ନେଇ ରହିଛି ଦ୍ୱନ୍ଦ୍ୱ

333

କନକ ବ୍ୟୁରୋ : କୃଷି ବିଲ ସଂସଦର ଉଭୟ ସଦନରେ ପାରିତ ହେବା ପରେ ବିଭିନ୍ନ ରାଜନୈତିକ ଦଳ ବିରୋଧ ଜାରି ରଖିଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ କୃଷକଙ୍କୁ ଅଧିକାରୀ ଦେବା ପାଇଁ ଏକ ଐତିହାସିକ ବିଲ୍ ବୋଲି ସେ କହିଛନ୍ତି । ଏଥିସହ ଏମଏସପିକୁ ନେଇ ଦ୍ୱନ୍ଦ୍ୱ ଥିବା ବିରୋଧୀ ଦଳ ମାନେ ଅଭିଯୋଗ କରୁଥିବାବେଳେ ମୋଦି କହିଛନ୍ତି ଆମ ଦେଶରେ ଏପର୍ଯ୍ୟନ୍ତ ଶସ୍ୟ ବିକ୍ରି ପାଇଁ ଯେଉଁ ବ୍ୟବସ୍ଥା ଚାଲି ଆସୁଛି ସେସବୁ ଜାରି ରହିବ । ବନ୍ଦ ହେବନି ମଣ୍ଡି, ଚାଷୀ ଯେଉଁଠି ଚାହିଁବେ ସେଠି ସେମାନଙ୍କ ଉତ୍ପାଦିତ ଶସ୍ୟ ବିକ୍ରି କରିପାରିବେ ।

ସଂସଦରେ କୃଷି ବିଲ ପାରିତ ହେବା ପ୍ରତିବାଦରେ ରାଜ୍ୟରେ ଯୁବ କଂଗ୍ରେସର ନିଆରା ପ୍ରତିବାଦ କରିଛି । ଯୁବ କଂଗ୍ରେସ ସଭାପତିଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତା ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ପ୍ରତିବାଦ କରିଛନ୍ତି । ମହାମାରୀ ସମୟରେ କୃଷି ବିଲ୍ ଆଣି କେନ୍ଦ୍ର ସରକାର ଦେଶର ଅନ୍ନଦାତା କୃଷକ ପରିବାର ପ୍ରତି କୁଠାରଘାତ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଏହା ଆଇନରେ ପରିଣତ ହେଲେ ଦେଶରେ ପୁଣି ଥରେ ଜମିଦାରୀ ପ୍ରଥା ପ୍ରତିଷ୍ଠା ହେବ ବୋଲି ବିକ୍ଷୋଭକାରୀ କହିଛନ୍ତି । ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୃଷକ ପରିବାରକୁ ନିଜର କିଛି ପୁଞ୍ଜିପତି ବନ୍ଧୁକୁ ବିକ୍ରି କରିଦେବାକୁ ଚାହୁଁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଏହି ବିଲ୍ ଲୋକସଭାରେ ପାସ୍ ହୋଇଥିଲା ଏବଂ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ୱେ ଗତକାଲି ରାଜ୍ୟସଭାରେ ବାଚନିକ ଭୋଟରେ ପାରିତ ହୋଇଥିଲା ।

ଅନ୍ୟପଟେ କୃଷି ବିଲକୁ ବିଜେଡି ବିରୋଧ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅମର ଶତପଥୀ । କହିଛନ୍ତି, କୃଷି ବିଲକୁ କାହାର ବିରୋଧ ନାହିଁ । କିନ୍ତୁ ଏଥିରେ ଏମଏସପି ମିଳିବ କି ନାହିଁ ସ୍ପଷ୍ଟ ନଥିବାରୁ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦଳ ଦାବି କରିଥିଲା । ଏଥିସହ ରାଜ୍ୟରେ ଉପନିର୍ବାଚନ ଆସୁଥିବାରୁ ରାଜନୈତିକ ସମୀକରଣ ବଦଳୁଥିବା ପ୍ରସଙ୍ଗରେ ସେ କହିଛନ୍ତି ବିଜେଡିର ଷ୍ଟାଣ୍ଡ କେବେ ବଦଳି ନାହିଁ ।

କୃଷି ବିଲକୁ ବିଜେଡି ବିରୋଧ କରିବା ଓ ରାଜ୍ୟରେ ରାଜନୈତିକ ସମୀକରଣ ବଦଳୁଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ବିଜେଡି ସହ ବିଜେପିର କୌଣସି ପ୍ରେମ ସମ୍ପର୍କ ନାହିଁ । ବିଜେପି ସବୁବେଳେ ଲଢ଼େଇ କରିଛି । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣା ବିକା ଚାଲିଛି । ତେଣୁ ଯଦି ଏହି ବିଲ୍ ଲାଗୁ ତେଣୁ ଭୋଟ ବ୍ୟାଙ୍କ ଉପରେ ମାଡ ହେବ । ତେଣୁ ବିରୋଧ କରିଛନ୍ତି । ସ୍ୱାର୍ଥ ରହିଲେ ସମର୍ଥନ କରୁଛନ୍ତି, ସ୍ୱାର୍ଥ ହାନି ହେଲେ ବିରୋଧ କରୁଛନ୍ତି ।