କନକ ବ୍ୟୁରୋ : କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଉଭୟ ଶାସକ ଓ ବିରୋଧୀ ଶିବିର ପକ୍ଷରୁ ଏନେଇ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି । ଗୋଟିଏ ପଟେ ବିଜେପି ନେତୃତ୍ୱାଧୀନ ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ସେନେଇ କୌଣସି କାର୍ଡ ଖୋଲିନାହିଁ । ଅନ୍ୟପଟେ ଏନଡିଏକୁ ମାତ୍ ଦେବାକୁ ଅଧିକାଂଶ ବିରୋଧୀ ଦଳ ହାତ ମିଳାଇବାକୁ ଆଗଭର ହୋଇଛନ୍ତି । ଏପରିକି ସବୁ ଦଳର ସହମତିରେ ଜଣଙ୍କୁ ପ୍ରାର୍ଥୀ କରିବାକୁ ବିଚାରବିମର୍ଷ ଜାରି ରହିଛି । ଆଉ ବିରୋଧୀ ଶିବିର ପକ୍ଷରୁ ଏହି ରେସରେ ଶରଦ ପାୱାରଙ୍କ ନାଁ ସବୁଠୁ ଆଗରେ ରହିଛି ।
ମିଳିଥିବା ସୂଚନା ମୁତାବକ, କଂଗ୍ରେସ ପକ୍ଷରୁ ମଧ୍ୟ ଶରଦ ପାୱାରଙ୍କୁ ସମର୍ଥନ ପାଇଁ ଗ୍ରୀନ୍ ସିଗନାଲ ମିଳିଥିବା ଚର୍ଚ୍ଚା ହେଉଛି । ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନେ ଖଡଗେ ଏନେଇ ଶରଦ ପାୱାରଙ୍କୁ ଅବଗତ କରିଥିବା ନେଇ ସୂଚନା ମିଳିଛି । ସେହିଭଳି ଆମ୍ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ଶରଦଙ୍କୁ ସମର୍ଥନର କଲ ଆସିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସ କେବଳ ସମର୍ଥନ କରୁନି ବରଂ ଶରଦଙ୍କ ସପକ୍ଷରେ ଅନ୍ୟ ଦଳର ଶୀର୍ଷ ନେତୃତ୍ୱଙ୍କ ସହଯୋଗ ଲୋଡିବା ଆରମ୍ଭ କରିଛି । ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ମଧ୍ୟ ମଲ୍ଲିକାର୍ଜୁନେ ଆଲୋଚନା କରିଥିବା କୁହାଯାଉଛି ।
ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଂଗ୍ରେସ ନେତା କଥା ହୋଇଥିବା ଚର୍ଚ୍ଚା ହେଉଛି । ଏପରିକି ସହମତିରେ ରାଷ୍ଟ୍ରପତି ପ୍ରାର୍ଥୀ ବାଛିବା ପାଇଁ ବୁଧବାର ଦିଲ୍ଲୀରେ ଏକାଧିକ ବିରୋଧୀ ଦଳ ଏକାଠି ହେବେ । ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ତେଣୁ ଉଭୟ ବିଜେପି ଓ ବିରୋଧୀ କାହା ନାଁରେ ମୋହର ମାରିବେ ତାହା ଉପରେ ଦେଶବାସୀଙ୍କ ନଜର ରହିଛି ।
ଏସବୁ ଭିତରେ ବିରୋଧୀ ମୋର୍ଚ୍ଚା ପକ୍ଷରୁ ଶରଦ ପାୱାରଙ୍କ ନାଁ ସର୍ବାଗ୍ରେ ରହିବା ପଛର ସବୁଠୁ ବଡ କାରଣ ହେଲା ଶରଦଙ୍କ ରାଜନୈତିକ ସମ୍ପର୍କ ଓ ଅଭିଜ୍ଞତା । ରାଜନୀତିରେ ଶରଦ ଅନେକ ଗଠବନ୍ଧନ ଜରିଆରେ ସରକାର ଗଢିଛନ୍ତି ଓ ସରକାର ଭାଙ୍ଗିଛନ୍ତି । ତେଣୁ ଜାତୀୟ ରାଜନୀତିର ଜଣେ ପୋଖତ ଖେଳାଳୀ ସାଜିଛନ୍ତି ଶରଦ । ଅନ୍ୟପଟେ ଆଞ୍ଚଳିକ ଦଳର ନେତୃତ୍ୱଙ୍କ ସହ ମଧ୍ୟ ଶରଦଙ୍କର ଉତ୍ତମ ସମ୍ପର୍କ ରହିଛି । ଯାହା ତାଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ପାଇଁ ସମର୍ଥନ ଯୋଗାଡ କରିବାର ସବୁଠୁ ବଡ ପୁଞ୍ଜି ପାଲଟିପାରେ ।