ସିଏଏ ଓ ଏନଆରସି ନେଇ ଆଜି ବସୁଛି ବିରୋଧୀଙ୍କ ବୈଠକ । ମୋଦୀ ସରକାରଙ୍କୁ ଘେରିବାକୁ ଦିଲ୍ଲୀରେ ପ୍ରସ୍ତୁତ ହେବ ରଣନୀତି

ଆସିବେନି ମମତା ଓ ମାୟାବତୀ; ସେପଟେ ଅମିତ ଶାହାଙ୍କ ଦୃଢ଼ୋକ୍ତି- ସିଏଏ କାର୍ଯ୍ୟକାରୀ ହେବ ହିଁ ହେବ

128

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି ଦିଲ୍ଲୀ ବିରୋଧୀ ଦଳଙ୍କ ବୈଠକ । କୁହାଯାଉଛି ଏହି ବୈଠକ ଜରିଆରେ ଏହି ପ୍ରସଙ୍ଗ ବିରୋଧୀ ଏକତାର ବାର୍ତା ଦିଆଯିବ । ତେବେ ସିଏଏ ଓ ଏନଆରସିକୁ ନେଇ ବିରୋଧୀ ଏକଜୁଟତାରେ ଫାଟ ଦେଖାଦେଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡାକିଥିବା ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଏସପି ସୁପ୍ରିମୋ ମାୟାବତୀ ଆଜିର ବୈଠକରେ ସାମିଲ ହେଉ ନାହାନ୍ତି ।

ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଭାରତ ବନ୍ଦ ସମୟରେ କଂଗ୍ରେସ ଓ ବାମ ଦଳ ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ ଆଣି ବୈଠକକୁ ବହିଷ୍କାର କରିଛନ୍ତି । ନୂଆ ଦିଲ୍ଲୀରେ ହେବାକୁ ଥିବା ସମାନ ବିଚାରଧାରା ରଖୁଥିବା ବିରୋଧୀ ଦଳଙ୍କ ବୈଠକରେ ସିଏଏ ଓ ଏନଆରସି ପ୍ରସଙ୍ଗରେ ବିଶଦ ଭାବେ ବିଚାର ବିମର୍ଶ କରାଯିବ । ବଜେଟ ଅଧିବେଶନରେ ମୋଦି ସରକାରଙ୍କୁ ଉଭୟ ସଂସଦ ଓ ସଡକରେ ଘେରାଉ କରିବା ପାଇଁ ସମସ୍ତ ଦଳକୁ ସାଙ୍ଗରେ ନେବାକୁ କଂଗ୍ରେସ ଉଦ୍ୟମ କରିବ । ଏହାଛଡା ବିରୋଧୀ ଦଳଙ୍କ ଏହି ବୈଠକ ପରେ କଂଗ୍ରେସ ସିଏଏ, ଏନଆରସିକୁ ନେଇ ଜନସଂପର୍କ ଅଭିଯାନର ରୂପରେଖ ମଧ୍ୟ ପ୍ରସ୍ତୁତ କରିବ ବୋଲି କୁହାଯାଉଛି ।