ହାଜତ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା ଜାରି । ବିଧାନସଭାରେ ଶାସକ ଦଳକୁ ଘେରିଲେ ବିରୋଧୀ, ପୁରୀରେ ବିଜେପିର ଶୋଭାଯାତ୍ରା, ଏସପି ଓ ଥାନା ଅଧିକାରୀଙ୍କ ଗିରଫ ଦାବି ।

66

କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ଘଟଣାରେ ଏସପିଙ୍କ ବଦଳି ଓ ବାସେଳୀସାହି ଥାନାର ଏସଆଇ ସମେତ ୩ ଜଣଙ୍କ ନିଳମ୍ବନ ପରେ ବି ଏହି ମାମଲା ଥମିବାର ନାଁ ନେଉନାହିଁ । ବିଧାନସଭାରେ ଏହାକୁ ନେଇ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏପଟେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ଦଳ । ଆଉ ଏକ ନାଟକୀୟ ଘଟଣାକ୍ରମରେ ମୃତ କେ. ରମେଶଙ୍କ ଦାଦା କହିଛନ୍ତି, ତାଙ୍କ ଉପସ୍ଥିତିରେ କରାଯାଇଥିଲା ଶବଦାହ । ତେବେ ପୋଲିସ ତାଙ୍କୁ ପ୍ରଲୋଭନ ଦେଖାଇ ମତ ବଦଳାଇବାରେ ସକ୍ଷମ ବୋଲି ଅଭିଯୋଗ ହୋଇଛି ।

ପୁରୀ ହାଜତ ମୃତ୍ୟୁକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପୁରୀ, ବ୍ରହ୍ମଗିରି ବିଧାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ଗୁଣ୍ଡିଚା ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ମୃତକଙ୍କ ପରିବାରକୁ କୋଟିଏ ଟଙ୍କା ସହାୟତା ରାଶି ଏବଂ ପୁରୀ ଏସପି ଓ ବାସେଳିସାହି ଥାନା ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛି ଦଳ ।

ଏପଟେ ହାଜତ ମୃତ୍ୟୁ ଘଟଣାରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଧାୟକ । ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିରୋଧୀ ।

୧୯ ତାରିଖ ରାତିରେ ମୃତ କେ. ରମେଶଙ୍କ ବାପା, ମାଆ ଓ ଦାଦାଙ୍କୁ ପୁଲିସ ଘରୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଘରକୁ ଫେରିଛନ୍ତି ମୃତକଙ୍କ ଦାଦା । ହାଜତ ଭିତରେ ବାଡେଇ ବାଡେଇ ମାରି ଦେବା ପରେ ପରିବାର ଲୋକଙ୍କ ଉପସ୍ଥିତି ବିନା ତରବରିଆ ଭାବେ କେ.ରମେଶଙ୍କୁ ପୋଡି ଦିଆ ଯାଇଥିବା ଅଭିଯୋଗ ହୋଇଥିଲା । ତେବେ ପୁଲିସ ହେପାଜତରୁ ମୁକୁଳିଥିବା ମୃତକଙ୍କ ଦାଦା କହିଛନ୍ତି, ତାଙ୍କ ଉପସ୍ଥିତିରେ ହୋଇଥିଲା ଶବଦାହ । ଏପଟେ ଅଭିଯୋଗ ହୋଇଛି, ପୋଲିସ ତାଙ୍କୁ ପ୍ରଲୋଭନ ଦେଖାଇ ମତ ବଦଳାଇବାରେ ସକ୍ଷମ ହୋଇଛି । ଏପଟେ ମୃତ କେ. ରମେଶଙ୍କ ଦାଦା ଫେରି ଆସିଥିଲେ ବି ତାଙ୍କ ବାପା, ମାଆ କେଉଁଠି ଅଛନ୍ତି, ଏହା ଏବେ ବି ରହସ୍ୟ ଘେରରେ ରହିଛି ।