କନକ ବ୍ୟୁରୋ: ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ତୀବ୍ର ସମାଲୋଚନା କରୁଥିବା ବେଳେ ଏହାର ଜବାବ ଦେବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଗୋଟିଏ କଥା ଉପରେ ଜୋର ଦିଆଯାଇଛି । ତାହା ହେଉଛି, ସଚିବଙ୍କ ଗସ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ହେଉଛି । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି ଥରେ ସେହି ବାର୍ତାକୁ ଦୋହରାଇଥିଲେ, ସେ ହିଁ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଉଛନ୍ତି ।

Advertisment

ସମୀକ୍ଷା ବୈଠକରେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଥିଲେ । ୨୦ଟି ଜିଲ୍ଲା ଗସ୍ତ କରିଥିବା ଏବଂ ୧୮ ହଜାରରୁ ଅଧିକ ଯାଚିକା ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଫାଇଭ୍-ଟି ସଚିବ ।

ଆସନ୍ତା ମାସଠାରୁ ଲୋକଙ୍କ ଫୋନ କରାଯାଇ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ କି ପଦକ୍ଷେପ ନିଆଯାଇଛି, ଏ ନେଇ ମତାମତ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, ସଚିବଙ୍କ ଗସ୍ତ ଓ ସମସ୍ୟାର ଫଟାଫଟ ସମାଧାନ ପାଇଁ ନେଉଥିବା ପଦକ୍ଷେପ ଉପରେ ବାଜିଛି ମୁଖ୍ୟମନ୍ତ୍ରୀଙ୍କ ମୋହର । କିନ୍ତୁ ବିରୋଧୀ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ।

ସଚିବଙ୍କ ତୁହାକୁ ତୁହା ଜିଲ୍ଲାଗସ୍ତକୁ କଡ଼ା ସମାଲୋଚନା କରିବା ସହ ଜନଶୁଣାଣିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଏହା ଜନଶୁଣାଣି ନୁହେଁ, ନିର୍ବାଚନ ଉଦ୍ଦେଶ୍ୟରେ କରାଯାଉଛି ଜନସଭା । ବ୍ୟକ୍ତିଗତ ସଚିବଙ୍କୁ ନେଇ ବିବାଦ ବଢୁଥିବାରୁ ଏହାକୁ ବୁଲାଇ ବଙ୍କାଇ କହୁଛନ୍ତି ସରକାର । ସେହିପରି ବିଜେପି କହିଛି, ପୁରୁଣା ମଦକୁ ନୂଆ ବୋତଲରେ ରଖି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ତେବେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ଲୋକଙ୍କ ପାଖକୁ ସିଏମଓ ଯାଉଥିବାରୁ ବିରୋଧୀଙ୍କ ଟେନ୍ସନ୍ ବଢ଼ିଯାଇଛି ।

ଫାଇଭ୍-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିବାଦ ବଢୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି ।