୨୦୨୪ରେ ମୋଦୀଙ୍କୁ ମାତ୍ ଦେବା ପାଇଁ ବିରୋଧୀଙ୍କ ଅଙ୍କ କଷା। ଆଜିଠୁ ବେଙ୍ଗାଲୁରରେ ୨୬ ଦଳଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ

338

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀଦଳ ଗୁଡିକ ନିଜ ନିଜର ରଣନୀତି ତ୍ୱରାନ୍ୱିତ କରିଛନ୍ତି । ସୋମବାରଠୁ ବେଙ୍ଗାଲୁରୁରେ ବିରୋଧୀଙ୍କ ଦୁଇଦିନିଆ ବୈଠକ ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନ ପାଇଁ ଏହା ହେଉଛି ବିରୋଧୀଙ୍କ ଦ୍ୱିତୀୟ ମେଳି । ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ନେତୃତ୍ୱ ନେଉଛି କଂଗ୍ରେସ । ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତିି ପ୍ରସ୍ତୁତ କରାଯିବ । ଯେଉଁଥିରେ ନିର୍ବାଚନରେ ସିଟ୍ ଭାଗବଂଟା ନେଇ ମଧ୍ୟ ଆଲୋଚନା ହୋଇପାରେ । ବୈଠକ ପାଇଁ ବେଙ୍ଗାଲୁରରେ ୨୬ଦଳର ମୁଖିଆ ପହଞ୍ଚିଛନ୍ତି । ୨୪ଟି ଦଳର ୩୦ରୁ ଅଧିକ ନେତା ବେଙ୍ଗଲୁରୁରେ ଏକାଠି ହୋଇଛନ୍ତି । ୟୁପିଏକୁ ନୂଆ ନାଁ ମିଳିବା ସହ ବିରୋଧୀ ବିଜେପି ସରକାରଙ୍କୁ ଚ୍ୟାଲେଞ୍ଜ ଦେବେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ପାଟନାରେ ହୋଇଥିବା ବିରୋଧୀଙ୍କ ପ୍ରଥମ ବୈଠକରେ ସାମିଲ ହୋଇଥିଲେ ବି ଅସନ୍ତୁଷ୍ଟ ଥିଲା ଆମ୍ ଆଦମୀ ପାର୍ଟି । ହେଲେ ଏବେ ବେଙ୍ଗାଲୁରୁ ବୈଠକ ପୂର୍ବରୁ କେନ୍ଦ୍ରସରକାରଙ୍କ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଆପକୁ ସମର୍ଥନ ଜଣାଇଛି । ତେଣୁ ଆମ୍ ଆଦମୀ ପାର୍ଟିର ଅସନ୍ତୋଷ ଓ ଅଭିମାନ ଦୂର ହୋଇଛି ଓ ବେଙ୍ଗାଲୁର ବୈଠକରେ ସାମିଲ ହେବାକୁ ସବୁଜ ସଂକେତ ଦେଇସାରିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।

ସେପଟେ ମଙ୍ଗଳବାର ନ୍ୟାସନାଲ ଡେମୋକ୍ରାଟିକ୍ ଆଲିଆନସ ବା ଏନ୍ଡିଏର ବୈଠକ ଅଛି । ଏହି ବୈଠକରେ ପ୍ରାୟ ୩୦ରୁ ରାଜନୈତିକ ଦଳ ଯୋଗଦେଉଥିବା ପୂର୍ବାନୁମାନ କରାଯାଇଛି । ଜୁଲାଇ ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଥିବା ବେଳେ ବିରୋଧୀ ଓ କ୍ଷମତାରେ ଥିବା ବିଜେପିର ଏହି ରଣନୀତି ଏକ ନିର୍ଣ୍ଣାୟକ ରୂପ ନେବ ବୋଲି କୁହାଯାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏନଡିଏର ବୈଠକରେ ଅନେକ ନୂଆ ଦଳଙ୍କୁ ଯୋଗଦେବାର ଦେଖିବାକୁ ମିଳିପାରେ । ବିଜେପି ପକ୍ଷରୁ ଏହି ନୂଆ ଦଳମାନଙ୍କୁ ଏନଡିଏରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଅଶୋକା ହୋଟେଲରେ ଏହି ବୈଠକ ହେବ । ତେବେ ବୈଠକରେ ଯୋଗ ଦେବେନି ଟିଆରଏସ. ୱାଇଏସଆର କଂଗ୍ରେସ ତେଲୁଗୁ ଦେଶମ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ଉଭୟ ବୈଠକରୁ ଦୂରରେ ରହିଛନ୍ତି ।