କୃଷକଙ୍କୁ ଭେଟିଲେ ବିରୋଧୀ ଦଳ । ପ୍ରତିବାଦସ୍ଥଳ ପରିଦର୍ଶନ କଲେ ୧୦ ବିରୋଧୀ ଦଳର ୧୫ ସାଂସଦ ।

103

କନକ ବ୍ୟୁରୋ : କେନ୍ଦ୍ରର କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କୁ ଭେଟିବାକୁ ଆଜି ସକାଳେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାନ୍ତ ଗାଜିପୁରରେ ପହଞ୍ଚିଥିବା ୧୦ଟି ବିରୋଧୀ ରାଜନୈତିକ ଦଳର ୧୫ଜଣ ସାଂସଦଙ୍କୁ ପୁଲିସ ଅଟକାଇଥିବା କଥା ଜଣେ ସାଂସଦ କହିଛନ୍ତି । ଶୀରୋମଣି ଅକାଳି ଦଳର ହର୍‌ସିମ୍ରତ୍‌ କୌର୍‌ ବାଦଲ, ନ୍ୟାସ୍‌ନାଲିଷ୍ଟ୍‍ କମ୍ୟୁନିଷ୍ଟ୍‍ ପାର୍ଟିର ସୁପ୍ରିୟା ସୁଲେ, ଡିଏମ୍‌କେର କାନିମୋଝି ଏବଂ ତୃଣମୂଳ କଂଗ୍ରେସର ସୌଗତ ରାୟଙ୍କ ସମେତ ଅନ୍ୟ ସାଂସଦମାନେ ଏକ ବସ୍‌ରେ ଦିଲ୍ଲୀ ସୀମାନ୍ତକୁ ଯାଇଥିଲେ ।

ବାଦଲ୍‌ ଟୁଇଟ୍‌ କରିଛନ୍ତି, ଗାଜିପୁର ସୀମାନ୍ତରେ ଉପୁଜିଥିବା ଅବସ୍ଥା ପ୍ରତ୍ୟକ୍ଷଭାବେ ଦେଖିଲୁ । ଅନ୍ନଦାତାମାନଙ୍କ ପ୍ରତି ଯେଭଳି ଆଚରଣ ପ୍ରଦର୍ଶନ କରାଯାଉଛି ତାହା ଦେଖି ଦୁଃଖ ପାଇଲୁ । କୃଷକମାନଙ୍କୁ କଙ୍କ୍ରିଟ୍‌ ଓ କଣ୍ଟାତାର ବାଡ଼ ଘେରରେ ରଖାଯାଇଛି । ପ୍ରତିବାଦସ୍ଥଳକୁ ଆମ୍ବୁଲାନ୍‌ସ୍‌ ଏବଂ ଦମକଳ ଗାଡ଼ି ମଧ୍ୟ ପ୍ରବେଶ କରିପାରୁ ନାହିଁ ।

ଗଣମାଧ୍ୟମକୁ ସେ କହିଛନ୍ତି, ସଂସଦରେ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ଆଲୋଚନା କରିବା ନିମନ୍ତେ ଆମେ ଏଠାକୁ ଆସିଛୁ। ବାଚସ୍ପତି ଆମକୁ ଏ ପ୍ରସଙ୍ଗ ଉତଥାପନ କରାଇ ଦେଉନାହାନ୍ତି । ଏଠାରେ କ’ଣ ଚାଲିଛି, ଏବେ ସବୁ ଦଳ ବିସ୍ତାର ଭାବେ କହି ପାରିବେ । ଜାନୁଆରି ୨୬ ଦିଲ୍ଲୀ ହିଂସାକାଣ୍ଡ ଘଟଣା ଲାଗି କଠୋର ପଦକ୍ଷେପ ଗ୍ରହଣ ପାଇଁ ଦାବି କରୁଥିଲେ ମଧ୍ୟ ଗତକାଲି ସଂସଦରେ ଆଲୋଚନା ସମୟରେ କେତେକ ବିରୋଧୀ ଦଳ ଏହି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବାକୁ ସରକାରଙ୍କୁ କହିଥିଲେ ।