ପଦ୍ମର ଅପାର ସଫଳତା ପରେ ବି ବଡ ବିଜୟ ହାସଲ କଲେ ବିରୋଧୀ, ମୋଦି ସୁନାମୀରେ ଚଟାଣ ଭଳି ହୋଇଥିଲେ ଛିଡା

760
କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ପରେ ଏବେ ସବୁ ସ୍ପଷ୍ଟ ହୋଇସାରିଛି । ନରେନ୍ଦ୍ର ମୋଦିଙ୍କ ନେତୃ୍ତ୍ୱରେ ବିଜେପି ଏଥର ବଡ ବିଜୟ ହାସଲ କରି ବିରୋଧୀଙ୍କୁ ଧରାଶାୟୀ କରିଦେଇଛି । ବିଜେପି ଏକୁଟିଆ ୩୦୩ଟି ଆସନରେ ବିଜୟ ହାସଲ କରିଛି । ସେଇଠି ଏନଡିଏର ସିଟ୍ ୩୫୦ ପାଖାପାଖି ପହଂଚିଯାଇଛି । ମୋଦି ସୁନାମୀ ମଧ୍ୟରେ ବିରୋଧୀ ପକ୍ଷର ଅନେକ ହେଭିୱେଟ୍ ଏମିତି ବି ଅଛନ୍ତି, ଯ୍ଖଶ ନିଜ ସିଟ୍ ପାଇବାରେ ସଫଳ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସ ଚେୟାରପର୍ସନ ସୋନିଆ ଗାନ୍ଧୀ, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ, ନ୍ୟାସନାଲ କଂଫ୍ରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ଅସଦୁଦ୍ଦିନ ଓୱେସି, ଭଗବନ୍ତ ମାନ ଓ କାନିମୋଝି ଭଳି ନାଁ ସାମିଲ ଅଛି ।

 

ସୋନିଆ ଗାନ୍ଧୀ : ସୋନିଆ ଗାନ୍ଧୀ ନିଜ ପାରମ୍ପରିକ ଆସନ ରାୟବରେଲୀରୁ ବିଜୟ ଲାଭ କରିଛନ୍ତି । ସୋନିଆ ଗାନ୍ଧୀ ବିଜେପିର ଦିନେଶ ପ୍ରତାପ ସିଂହଙ୍କୁ ୧,୬୭,୧୭୮ ଭୋଟରେ ଧରାଶାୟୀ କରିଛନ୍ତି ।

 

ମୁଲାୟମ ସିଂହ ଯାଦବ : ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ରକ୍ଷା ମନ୍ତ୍ରୀ ନିଜ ଗଡ ମୈନପୁରୀରୁ ବିଜୟୀ ହୋଇଛନ୍ତି । ସେ ଏହି ସିଟରୁ ବିଜେପିର ପ୍ରେମ ସିଂହ ଶାକ୍ୟଙ୍କୁ ୯୪, ୩୮୯ ଭୋଟରେ ପରାଜିତ କରିଛନ୍ତି ।

 

ରାହୁଲ ଗାନ୍ଧୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଅମେଠିରୁ ପରାଜୟ ମିଳିଲା ଓ ବିଜେପିର ସ୍ମୃତି ଇରାନୀ ତାଙ୍କୁ ୫୫,୧୨୦ ଭୋଟରେ ପରାଜିତ କଲେ । କିନ୍ତୁ ୱାଇନାଡ ଆସନରୁ ରାହୁଲ ସଫଳ ହୋଇଥିଲେ । ଏହି ଆସନରୁ ସିପିଆଇର ପିପି ସୁନୀରଙ୍କୁ ୪,୩୧,୭୭୦ ଭୋଟରେ ପରାଜିତ କଲେ ।

 

ଫାରୁକ ଅବଦୁଲ୍ଲା : ନ୍ୟାସନାଲ କଂଫ୍ରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଶ୍ରୀନଗର ସିଟରୁ ଜିତିଛନ୍ତି । ଶ୍ରୀନଗର ସିଟରୁ ପିଡିପି ପ୍ରାର୍ଥୀ ସୈୟଦ ମୋହସିନଙ୍କୁ ୭୦,୦୫୦ ଭୋଟରେ ହରାଇ ବିଜୟୀ ହୋଇଛନ୍ତି ।

 

ଅଖିଳେଶ ଯାଦବ : ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ଏଥର ପିତା ମୁଲାୟମ ସିଂହଙ୍କ ସିଟ୍ ଆଜମଗଢ଼ରୁ ନିର୍ବାଚନ ଲଢ଼ିଲେ ଓ ଜିତିଲେ ମଧ୍ୟ । ୟୁପିରେ ଅଖିଳେଶଙ୍କ ପାର୍ଟିର ପ୍ରଦର୍ଶନ ଖରାପ ଥିଲା । ତଥାପି ବି ବିଜେପିର ସେଲିବ୍ରିଟି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆଙ୍କୁ ବାଜିମାତ୍ ଦେଲେ ।

 

ଅସଦୁଦ୍ଦିନ ଓୱେସି : ପଦ୍ମର ଅପାର ସଫଳତା ପରେ ମଧ୍ୟ ନିଜ ହାଇଦ୍ରାବାଦ ସିଟରୁ ବଡ ସଫଳତା ହାସଲ କରିଛନ୍ତି ଏଆଇଏମଆଇଏମ ପ୍ରମୁଖ ଅସଦୁଦ୍ଦିନ । ସେ ଲଗାତାର ଚତୁର୍ଥ ଥର ପାଇଁ ଏହି ସିଟରୁ ସଫଳତା ହାସଲ କରିଛନ୍ତି ।

 

ଆଜମ ଖାନ : ରାମପୁର ଲୋକସଭା ସିଟରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ ଖାନ ୧,୦୯,୯୯୭ ଭୋଟରେ ବିଜେପିର ହାଇପ୍ରୋଫାଇଲ ପ୍ରାର୍ଥୀ ଜୟାପ୍ରଦାଙ୍କୁ ପରାଜିତ କରିଛନ୍ତି ।