ସୌମ୍ୟଙ୍କୁ ବିଜେଡିରୁ ବହିଷ୍କୃତ କଲେ ନବୀନ । ଜୟନାରାୟଣ କହିଲେ, ବିଧାୟକଙ୍କ ସ୍ୱର ଚାପିବାକୁ କରାଯାଉଛି ପ୍ରୟାସ, ଏଭଳି କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ ।
କନକ ବ୍ୟୁରୋ : ବିଜେଡିରୁ ଦୁଇ ବିଧାୟକଙ୍କୁ ବହିଷ୍କୃତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ରେମୁଣା ବିଧାୟକ ଓ ଖଣ୍ଡପଡା ବିଧାୟକଙ୍କୁ ଜନବିରୋଧୀ ବୋଲି ଦର୍ଶାଇ ଦଳରୁ ବହିଷ୍କାର କରିଛନ୍ତି ନବୀନ । ତେବେ ଏହି ବହିଷ୍କାର ନିଷ୍ପତ୍ତି ପରେ ବୟାନ ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ ବୋଲି କହିଛନ୍ତି ଜୟନାରାୟଣ । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ବୋଲି ସେ କହିଛନ୍ତି । ଏଭଳି କରି ବିଧାୟକଙ୍କ ମତକୁ ଚାପିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଜୟନାରାୟଣ । ସେହିଭଳି ସୌମ୍ୟଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନକୁ ଅଗଣତାନ୍ତ୍ରିକ ବୋଲି ସେ କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ବିଜେଡି ଏମିତି ଏକ ଦଳ ଯେଉଁଠି କେହି ପ୍ରଶ୍ନ କରି ପାରିବେନି । ଓଡ଼ିଶାବାସୀ ଏହାକୁ କେମିତି ହଜମ କରି ଶାସନ କ୍ଷମତାରେ ରଖିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ବିଜେଡି କଣ ତାହା ଆମେ ଦେଖିଛୁ ଓ ଅଙ୍ଗେ ନିଭାଇଛୁ । ସମୟ ଆସିଛି ଓଡ଼ିଶାବାସୀ ଗଣତନ୍ତ୍ରର ସୁରକ୍ଷା ଓ ରାଜନୈତିକ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଊଚିତ୍ ନିଷ୍ପତ୍ତି ନେବେ ।
ସୌମ୍ୟ ପଟ୍ଟନାୟକ ସମ୍ପାଦକୀୟରେ ଯେଉଁ ଆଲେଖ୍ୟଟି ଲେଖିଥିଲେ ତାହାକୁ ନେଇ ବିଜେଡି ଆକ୍ରୋଶମୂଳକ ଭାବେ ଏଭଳି ନିଷ୍ପତ୍ତି ନେଇଥିବା ସାଧାରଣ ଲୋକେ କହୁଛନ୍ତି । ନେତା ବଡ ନା ସଚିବ ବଡ ଏହି ପ୍ରସଙ୍ଗ ଯେତେବେଳେ ସରକାରୀ ବ୍ୟବସ୍ଥାର ଅସଲ ରୂପକୁ ପଦାରେ ପକାଇଲା, ସେତେବେଳେ ଉଭୟ ସରକାର ଓ ବିଜେଡି ପକ୍ଷରୁ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନିଆଯିବା ଆରମ୍ଭ ହେଲା । ପ୍ରଥମେ ସୌମ୍ୟଙ୍କୁ ଦଳର ଉପ-ସଭାପତି ପଦରୁ ହଟାଯାଇଥିଲା ପରେ ତାଙ୍କ ଗଣମାଧ୍ୟମ ସଂସ୍ଥା ଉପରେ ପ୍ରାୟୋଜିତ ଅଭିଯୋଗ ଆଧାରରେ ଇଓଡବ୍ଲୁ ଚଢାଉ କରାଯାଇଥିଲା । ଆଉ ଆଜି ଜନବିରୋଧୀ ବୋଲି ଦର୍ଶାଯାଇ ବିଜେଡିରୁ ବହିଷ୍କୃତ କରାଯାଇଛି ।