କନକ ବ୍ୟୁରୋ: ପୁଟିନଙ୍କ ବିରୋଧି ଭାବେ ଜଣାଶୁଣା ଆଲେକ୍ସି ନାଭାଲ୍ନୀଙ୍କ ଜେଲ ଭିତରେ ମୃତ୍ୟୁ । ସେ ଋଷ ରାଷ୍ଟ୍ରପତିଙ୍କ ଜଣେ ବିରୋଧି ତଥା କଡ଼ା ସମାଲୋଚକ ହୋଇଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢିଛି । ଜେଲଦଣ୍ଡ ଭୋଗୁଥିବା ନାଭାଲ୍୍ନୀଙ୍କ ଅଚାନକ୍ ମୃତ୍ୟୁ ହୋଇଛି । ୟମାଲୋ-ନେନେଟ୍ସ ପ୍ରଶାସନ ଅଧିନରେ ଥିବା ପେନାଲ କଲେନୀରେ ଥିବା ଜେଲରେ ଥିଲେ ନାଭାଲ୍ନୀ ।
ଜେଲ ଭିତରେ ଚାଲୁଥିବା ସମୟରେ ସେ ଅଚାନକ୍୍ ଅସୁସ୍ଥ ହୋଇ ତଳେ ପଡ଼ି ଯାଇଥିଲେ । ତଳେ ପଡ଼ୁ ପଡ଼ୁ ସେ ଅଚେତ ହୋଇଯାଇଥିଲେ । ତୁରନ୍ତ ଚିକିତ୍ସା ପାଇଁ ଚିକିତ୍ସାକାରୀ ଦଳକୁ ଡକାଯାଇଥିଲା । ପ୍ରଥମିକ ଚିକିତ୍ସା ପରେ ମଧ୍ୟ ତାଙ୍କର ଚେତା ଆସିନଥିଲା । ପରବର୍ତୀ ସମୟରେ ନାଭାଲ୍ନୀଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ନାଭାଲ୍ନୀଙ୍କ ମୃତ୍ୟୁକୁ କିନ୍ତୁ ସହଜରେ କେହି ବିଶ୍ୱାସ କରିପାରୁନାହାଁନ୍ତି । କାରଣ, ପୁଟିନ୍ଙ୍କ ଘୋର ବିରୋଧୀ ଥିବା ନାଭାଲ୍ନୀଙ୍କ ହତ୍ୟା ପାଇଁ ଏକାଧିକ ଥର ଉଦ୍ୟମ ହୋଇଛି । ଏମିତି କି ୨୦୨୦ ମସିହାରେ ସାଇବେରିଆରେ ତାଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ହୋଇଥିବା ଖବର ଆସିଥିଲା । ହେଲେ ରୁଷ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହା ପରେ ନାଭାଲ୍ନୀଙ୍କୁ ଜେଲରୁ ଗାଏବ୍ କରିଦିଆଯାଇଛି ବୋଲି ମଧ୍ୟ ଗୁଜବ ହୋଇଥିଲା । ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ ହେବାକୁ ଥିବା ବେଳେ ନାଭାଲ୍ନୀଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିଛି । ନାଭାଲ୍ନୀଙ୍କ ସମର୍ଥକ ମାନେ ଘଟଣାକୁ ସହଜରେ ଗ୍ରହଣ କରିପାରିନଥିବା ବେଳେ ଏହା ପୁଟିନଙ୍କ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କା କରିଛନ୍ତି । ବିଶ୍ୱର ଯେଉଁ କୋଣରେ ବି ରହିଲେ ପୁଟିନ ନିଜର ଶତ୍ରୁ ମାନଙ୍କୁ ବେଶ ଚତୁରତାର ସହ ହତ୍ୟା କରାଇଥାନ୍ତି ବୋଲି ପୂର୍ବରୁ ଅନେକବାର ଅଭିଯୋଗ କରାଯାଇଛି ।