ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଲେ ବିରୋଧୀ ବିଧାୟକ! ଜାଣନ୍ତୁ ବିଧାନସଭାରେ କାହିଁକି ଏମିତି ହେଲା ?

242

କନକ ବ୍ୟୁରୋ : ବିଧାନସଭାରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ବିଧାୟକ । ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଛନ୍ତି ବିରୋଧୀ ସଦସ୍ୟ । ମୁଲତବି ପ୍ରସ୍ତାବ ଗ୍ରହଣ ନ କରିବାରୁ ଏଭଳି ଆଭିମୁଖ୍ୟ ଆପଣାଇଛନ୍ତି ବିରୋଧୀ ।  ବିନା ଆଲୋଚନାରେ ବିଲ୍ ପାସ କରିଥିବାରୁ ବିରୋଧ କରି ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ । ହୋ ହାଲ୍ଲା ଭିତରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗାଯାଇଥିବା କହିଛନ୍ତି ବିରୋଧୀ ସଦସ୍ୟ ମୋହନ ମାଝୀ । ତେବେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ଅଭିଯୋଗ ଆସିଛି ।

ତେବେ ଏ ପ୍ରସଙ୍ଗରେ ବିଷ୍ଣୁ ସେଠୀ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି ମୁଁ ହେଡଫୋନ ଓ କଲମ ଫିଙ୍ଗିଛି । କେହି ନୂଆ ବିଧାୟକ ଚପଲ ଫିଙ୍ଗିଥିବେ । ମଣିଷକୁ ବାଧିଲେ ଯାହା ପାରିବ ତାହା କରିବ । ସାମ୍ବିଧାନିକ ବ୍ୟବସ୍ଥାକୁ ବାଚସ୍ପତି ପାଳନ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିଷ୍ଣୁ । ତେବେ ଏଭଳି ହୋ ହାଲ୍ଲା ଭିତରେ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।