ସ୍ୱାଭାବିକ ହେଲାନି ବିଧାନସଭା । ଜନବିରୋଧୀ ଶବ୍ଦ ବାଦ ଓ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପିର ହଟ୍ଟଗୋଳ । ବିଜେଡି କହିଲା, ବିକାଶର ବାଟ ଓଗାଳୁଛନ୍ତି ବିରୋଧୀ

52

କନକ ବ୍ୟୁରୋ: ପୂର୍ବାହ୍ନରେ ଯାହା ସ୍ଥିତି ଥିଲା, ଅପରାହ୍ନରେ ଉଣାଅଧିକେ ସେଇ ସ୍ଥିତି । ଶାସକ-ବିରୋଧୀ ପରସ୍ପର ଦୋଷାରୋପ ଭିତରେ ଗୋଟିଏ ସପ୍ତାହ ଧରି ଗୃହରେ ଅଚଳାବସ୍ଥା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟମାନେ ଆରମ୍ଭ କରିଥିଲେ ହଟଗୋଳ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦ ବାଦ୍ ଏବଂ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ ।

  • ହଟ୍ଟଗୋଳ… ହଙ୍ଗାମା… ଅଚଳାବସ୍ଥା…
  • ଆଜି ବି ଚାଲିପାରିଲାନି ବିଧାନସଭା
  • ପରସ୍ପର ଦୋଷାରୋପ, ଗୃହ ଅଚଳ

ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଆଉ ଆଶା କରାଯାଉଥିଲା ଅପରାହ୍ନରେ ସ୍ଥିତିରେ ପରିବର୍ତନ ଆସିବ । ହେଲେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ପୁଣି ଥରେ ଗୃହକୁ ମୁଲତବି କରିବାକୁ ପଡ଼ିଥିଲା । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଗୃହରେ ଉପସ୍ଥାପିତ ହୋଇଥିଲା ସିଏଜି ରିପୋର୍ଟ ।

  • କାହିଁକି ସ୍ୱାଭାବିକ ଢଙ୍ଗରେ ଚାଲି ପାରୁନି ଗୃହ?
  • ଗୃହର ଅଚଳାବସ୍ଥା ପାଇଁ କିଏ ଦାୟୀ?

ରାଜ୍ୟର ପ୍ରମୁଖ ସମସ୍ୟା ଗୁଡ଼ିକ ସମ୍ପର୍କରେ ଆଲୋଚନା ହେବା ପରିବର୍ତେ, ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବା ପରିବେର୍ତ, ନାରାବାଜି ଓ ହଟ୍ଟଗୋଳରେ ବିତିଯାଉଛି ସମୟ । ଆଉ ଏଥିପାଇଁ ପରସ୍ପର ବିରୋଧରେ ଦୋଷାରୋପ କରୁଛନ୍ତି ବିରୋଧୀ । ବିରୋଧୀ ଦଳ ନେତା କହିଛନ୍ତି, ସ୍ୱାଭାବିକ୍ ଢଙ୍ଗରେ ଗୃହ ଚଳାଇବା ପାଇଁ ଶାସକ ଦଳର ଆନ୍ତରିକତା ନାହଁ । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ସରକାର ଅସମର୍ଥ ଥିବାରୁ ଗୃହକୁ ବନ୍ଦ ରଖାଯାଉଛି ।

ଏପଟେ ବିଜେପିକୁ ଟାର୍ଗେଟ କରିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ଗୃହର ମଧ୍ୟ ଭାଗକୁ ଆସି ଗୃହକୁ ଚଳାଇ ନଦେବାକୁ ମଧ୍ୟ ଜନବିରୋଧୀ କୁହାଯିବ । ଯେଉଁମାନେ ବିକାଶକୁ ଅଟକାଉଛନ୍ତି ସେମାନେ ଜନବିରୋଧୀ କି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି । ଏପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସଦସ୍ୟମାନେ ଗର୍ବ ଅହଙ୍କାର ଛାଡ଼ି ଗୃହ କେମିତି ଚାଲିବ ସେଥିପାଇଁ ଉଦ୍ୟମ କରିବା ଦରକାର । ନହେଲେ ସାଧାରଣ ଜନତାଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବ ସିନା ସମାଧାନ ବାହାରି ପାରିବ ନାହିଁ ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ବିଧାନସଭା ବିଧାନସଭା ଅଧିବେଶନ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପରିଣାମ କିନ୍ତୁ ଭିନ୍ନ ଆସୁଛି ।