ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ ରାଜ୍ୟସଭାକୁ ବହିଷ୍କାର କଲେ ବିରୋଧୀ : ଆଜାଦ କହିଲେ ଗତ ୨ ଦିନ ଭିତରେ ଗୃହରେ ଯାହା ଘଟିଛି, ସେଥିରେ କେହି ଖୁସି ନାହାନ୍ତି

ସେପଟେ ୨୪ ଘଂଟିଆ ହଙ୍ଗର ଷ୍ଟ୍ରାଇକ କରୁଛନ୍ତି ଉପାଧ୍ୟକ୍ଷ ହରିବଂଶ ସିଂ ନାରାୟଣ 

990

କନକ ବୁରୋ : ରାଜ୍ୟସଭାରୁ ୮ ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିରୋଧୀ । ଆଜି ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଅଜାଦ କହିଛନ୍ତି ସାଂସଦଙ୍କ ନିଲମ୍ବନ ଅବଧି ଯାଏଁ ଗୃହବର୍ଜନ କରିବ ବିରୋଧୀ । କୃଷି ବିଲ ଆଲୋଚନା ସମୟରେ ରାଜ୍ୟସଭାରେ ବିଶୃଙ୍ଖଳା ଆଚରଣ ପାଇଁ ୮ସାଂସଦଙ୍କୁ ଗତକାଲି ଏକ ସପ୍ତାହ ପାଇଁ ନିଲମ୍ବନ କରିଥିଲେ ଗୃହର ଅଧ୍ୟକ୍ଷ ।

ଏହାର ପ୍ରତିବାଦରେ ବିରୋଧୀ ଦଳ ସାଂସଦଙ୍କ ଉପରୁ ନିଲମ୍ବନ ହଟିବା ଯାଏଁ ଗୃହ କାର୍ଯ୍ୟକୁ ବର୍ଜନ କରିବେ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ । ସେପଟେ ସଂସଦ ପରିସରରେ ନିଲମ୍ବିତ ସାଂସଦ ଦେଇଥିବା ଧାରଣା ପ୍ରତ୍ୟାହୃତ ହୋଇଛି । ଅନ୍ୟପଟେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂ କୃଷି ବିଲ ଚର୍ଚା ସମୟରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାରର ପ୍ରତିବାଦରେ ୨୪ ଘଂଟା ହଙ୍ଗର ଷ୍ଟ୍ରାଇକ କରୁଛନ୍ତି ।

ଏନେଇ ସେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖିଜଣାଇଛନ୍ତି । ଚିଠିରେ ହରିବଂଶ ଲେଖିଛନ୍ତି, ଆଜି ସକାଳୁ ଆସନ୍ତାକାଲି ସକାଳ ଯାଏଁ ହଙ୍ଗରଷ୍ଟ୍ରାଇକରେ କରିବେ । ଏହାଦ୍ୱାରା ତାଙ୍କ ପ୍ରତି ଖରାପ ଟିପ୍ପଣୀ କରିଥିବା ସାସଂଦଙ୍କ ମନ ପରିବର୍ତନ ହୋଇପାରେ ବୋଲି କହିଛନ୍ତି ହରିବଂଶ ନାରାୟଣ ସିଂ । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ ।