କନକ ବ୍ୟୁରୋ: ନିର୍ବାଚନ ପରେ ଚାଲିଛି, ଲୋକସଭାର ପ୍ରଥମ ଅଧିବେଶନ। ସାଂସଦଙ୍କ ଶପଥ ଗ୍ରହଣ, ବାଚସ୍ପତି ନିର୍ବାଚନ ପରେ ଗୁରୁବାର ବସିଛି ସଂସଦର ମିଳିତ ଅଧିବେଶନ । ଏସବୁ ଭିତରେ ସଂସଦରେ ସ୍ଥାପିତ ସେଙ୍ଗୋଲକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ସଂସଦରୁ ସେଙ୍ଗୋଲ ହଟାଇବା ଦାବି କରି ବିରୋଧୀ ହଙ୍ଗାମା କରିଛନ୍ତି।
- ସେଙ୍ଗୋଲକୁ ନେଇ ସଂସଦରେ ହଙ୍ଗାମା
- ସଂସଦରୁ ହଟାଇବାକୁ ବିରୋଧୀଙ୍କ ଦାବି
- ବିଜେପି କହିଲା, ସେଙ୍ଗୋଲକୁ କେହି ହଟାଇ ପାରିବେନି
ସଂସଦ ଗୃହରେ ବାଚସ୍ପତି ଆସନ ନିକଟରେ ସ୍ଥାପିତ ସେଙ୍ଗୋଲକୁ ହଟାଇବାକୁ ଦାବି କରିଛନ୍ତି ବିରୋଧୀ। ଗୁରୁବାର ସଂସଦର ମିଳିତ ଅଧିବେଶନରେ ଉଦବୋଧନ ରଖିଛନ୍ତି ରାଷ୍ଟ୍ରପତି। ହେଲେ ଏହାରି ଭିତରେ ସମାଜବାଦୀ ପାର୍ଟି ସାଂସଦ ସେଙ୍ଗୋଲ ହଟାଇବାକୁ ଗୃହରେ ହୋହଲ୍ଲା କରିଛନ୍ତି। ସେଙ୍ଗୋଲ ହଟାଇ ଏହି ସ୍ଥାନରେ ସମ୍ୱିଧାନ ପ୍ରତିଷ୍ଠା ବହିକୁ ସ୍ଥାନ ଦେବାକୁ ଦାବି କରିଛନ୍ତି।
ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଆରକେ ଚୌଧୁରୀ କହିଛନ୍ତି, ‘ସମ୍ୱିଧାନ ବେଶ ମହତ୍ତ୍ୱପୂର୍ଣ୍ଣ। ଏହା ଗଣତନ୍ତ୍ରର ପ୍ରତୀକ। ପୂର୍ବ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ସେନଗୋଲ ପ୍ରତିଷ୍ଠା କରିଥିଲେ। ସେଙ୍ଗୋଲ ଅର୍ଥ ରାଜଦଣ୍ଡ। ଏହା ରାଜତନ୍ତ୍ରର ପ୍ରତୀକ। ଗଣତନ୍ତ୍ରରେ ଏହାର ସ୍ଥାନ ନାହିଁ। ସମ୍ୱିଧାନକୁ ବଞ୍ଚାଇବା ପାଇଁ ସେଙ୍ଗୋଲକୁ ସଂସଦରୁ ହଟାଇବାକୁ ମୁଁ ଦାବି କରୁଛି।’
ବିରୋଧୀଙ୍କ ସେଙ୍ଗୋଲ ହଟାଇବା ଦାବିକୁ ନେଇ ବର୍ଷିଛି ବିଜେପି। ସେଙ୍ଗୋଲ ହେଉଛି ଆମ ଦେଶର ପ୍ରତୀକ। ସ୍ୱାଧୀନତାର ସାଖୀ। ସଂସଦରୁ ଏହାକୁ କେହି ହଟାଇ ପାରିନେ ନାହିଁ ବୋଲି ବିଜେପି କହିଛି। ସେଙ୍ଗୋଲକୁ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ପ୍ରତିଷ୍ଠା କରିଥିଲେ। ନୂଆ ସଂସଦ ଭବନର ଲୋକାର୍ପଣ ସହ, ସେଙ୍ଗୋଲକୁ ସ୍ଥାନ ଦିଆଯାଇଥିଲା। ଏବେ ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/Capture-83.jpg)