ମତେ କାହିଁକି ସମୟ ଦେଲନି ? ବିଧାନସଭାରେ ଋଷିଗଲେ ବିଧାୟକ, କହିଲେ ଆଲୋଚନା କଲେ କ’ଣ ସରକାର ଭାଙ୍ଗିଯିବ?

267

କନକ ବ୍ୟୁରୋ: ବିଧାନସଭାରେ ଋଷିଗଲେ ବିଧାୟକ । ଗୃହରେ ଆଲୋଚନା ପାଇଁ ଯଥେଷ୍ଟ ସମୟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏପରିକି ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଉପରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ଯଥେଷ୍ଟ ସମୟ ନମିଳିବାରୁ କକ୍ଷତ୍ୟାଗ କରିଛନ୍ତି ବିରୋଧୀ ଦଳର ସମସ୍ତ ସଦସ୍ୟ । ତେବେ ମୋହନ ମାଝୀଙ୍କ କହିବା ମୁତାବକ, ଆଲୋଚନାକୁ ପୂର୍ଣ୍ଣ ତଥ୍ୟ ଭିତ୍ତିକ ଉପସ୍ଥାପନା ପାଇଁ ଉପବାଚସ୍ପତିଙ୍କୁ ସମୟ ମାଗିଥିଲେ । ହେଲେ ପର୍ଯ୍ୟାପ୍ତ ସମୟ ପୂରିବା ମଧ୍ୟରେ ମୋତେ ଆଲୋଚନାକୁ ସମ୍ପୂର୍ଣ୍ଣ କରିବାକୁ ଦିଆଗଲାନି ।

ରାଜ୍ୟର ସବୁଠାରୁ ବଡ଼ ପ୍ରସଙ୍ଗ ‘କାଳିଆ’ ଯୋଜନା ଉପରେ ଯେତେବେଳେ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ଜାଣିବାକୁ ଚାହୁଁଥିଲି ତାହାର ଜବାବ୍ ମିଳିପାରିଲାନି । ଚାଷୀ ଚିହ୍ନଟ ଏବଂ ସହାୟତା କେବଳ କାଗଜ କଲମରେ ସୀମିତ ହୋଇ ରହିଛି । ଆଉ ରାଜ୍ୟ ସରକାର ଭାବୁଛନ୍ତି ସେ ବ୍ରହ୍ମ ବିଭ୍ରାଟ ଓ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଖସିଗଲେ କିନ୍ତୁ ପ୍ରକୃତରେ ‘କାଳିଆ’ ଯେଜନାରେ ଫସିଗଲେ ବୋଲି କଟାକ୍ଷ କରିଛନ୍ତି ମୋହନ ।

ଏପରିକି କାଳିଆ ଛାତ୍ରବୃତ୍ତି ଯୋଜନାରେ କେତେ ଜଣ ହିତାଧିକାରୀ ଲାଭବାନ ହୋଇଛନ୍ତି ସରକାର ସ୍ପଷ୍ଟ କରନ୍ତୁ । ପଡୋଶୀ ତିନି ରାଜ୍ୟରେ ଚାଷୀଙ୍କ ପାଇଁ ନୂଆ ସରକାର ଆସିବାରୁ ଚାପଗ୍ରସ୍ତ ହୋଇ କାଳିଆ ଆରମ୍ଭ କଲେ ସରକାର । ୨୦୧୭ ଆର୍ଥିକ ବର୍ଷ ସୁଦ୍ଧା ୫୪ ଲକ୍ଷ ୨୪ ହଜାର ଚାଷୀଙ୍କ ଉପରେ ୨୬ ହଜାର ୬୦୬ କୋଟି ଟଙ୍କା ଋଣ ଥିବା ରାଜ୍ୟସ୍ତରୀୟ ବ୍ୟାଙ୍କରସ କମିଟିରେ ଜଣାପଡିଛି। ଜାତୀୟ ବ୍ୟାଙ୍କରୁ ୧୬ ହଜାର ୮୭୬ କୋଟି ଓ ସମବାୟ ବ୍ୟାଙ୍କରୁ ୯ ହଜାର ୭୩୦ କୋଟି ଟଙ୍କା ଋଣ କରିଛନ୍ତି ଚାଷୀ। ଯଦି ସରକାର ୭୦ ହଜାର କୋଟି ଟଙ୍କାର ଋଣ ଛାଡ କରିଥାଆନ୍ତେ, ତେଵେ ଯାଇ ଚାଷୀ ଋଣବୋଝରୁ ନିସ୍ତାର ପାଇଥାଆନ୍ତା । କିନ୍ତୁ ରାଜ୍ୟର ଆର୍ଥିକ ସମ୍ବଳ ତ ସେତିକି ନାହିଁ । ଯାହାକି ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟସଚେତକ ।

ସାଧାରଣ ନିର୍ବାଚନ ପରେ ପେର ରାଜ୍ୟ ବିଧାନସଭାର ପ୍ରଥମ ମୌସୁମୀ ଅଧିବେସନ ଯେବେଠାରୁ ଆରମ୍ଭ ହୋଇଛି ପ୍ରତିଦିନ କିଛି ନା କିଛି ଘଟଣା ଗୃହକୁ ଗରମ କରୁଛି । ତେବେ ଆଜିର ଆଲୋଚନା ସମୟରେ ବିଧାନସଭାରେ ପର୍ଯ୍ୟାପ୍ତ ସମୟ ନ ମିଳିବାରୁ ହଠାତ୍ ଋଷି ଯାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଆଉ ଯେଉଁଥି ପାଇଁ ସମସ୍ତ ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି ।