ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ । ଫୋନ ହ୍ୟାକିଂ, ତେଲ ଦର ବୃଦ୍ଧି ଓ କୋଭିଡ ବିଫଳତାକୁ ନେଇ ଲଗାଇଲେ ନାରା, ରାଗିଗଲେ ପ୍ରଧାନମନ୍ତ୍ରୀ ।

242

କନକ ବ୍ୟୁରୋ: ଆଜି ସଂସଦରେ ଯେଉଁ ଘଟଣା ଘଟଲା ତାହା ବୋଧହୁଏ ପୂର୍ବରୁ କେବେ ଘଟି ନଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁହାଇ ଦେଇନଥିଲେ ବିରୋଧୀ । କ୍ୟାବିନେଟ୍ ସଂପ୍ରସାରଣ ପରେ ନୂଆ ମନ୍ତ୍ରୀମାନଙ୍କ ସହ ମୋଦୀ ପରିଚୟ କରାଇଥାନ୍ତେ । ଆରମ୍ଭରେ ମୋଦୀ ସେମାନଙ୍କ ପରିଚୟ କରିବା ପାଇଁ ଠିଆ ହେଲେ ଏବଂ କହିବା ଆରମ୍ଭ କଲେ । କିନ୍ତୁ ବିରୋଧୀଙ୍କ ପକ୍ଷରୁ ଏଭଳି ହଙ୍ଗାମା ଆରମ୍ଭ ହୋଇଗଲା, ଯେ ଗୃହ ଚଳାଇବା ଆଉ ସମ୍ଭବ ନଥିଲା । ପେଗାସସ ସ୍ପାଏ-ଓୟାର, ତେଲ ଦର ବୃଦ୍ଧି, ଚାଷୀ ପ୍ରସଙ୍ଗ ଓ କରୋନାରେ ସରକାରଙ୍କ ବିଫଳତାକୁ ନେଇ ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ, ଏଭଳି ଦୃଶ୍ୟ ଦେଖି ରାଗି ଯାଇଥିଲେ । କହିଥିଲେ ଚାଷୀ, ଦଳିତ ଓ ମହିଳାଙ୍କ ମଧ୍ୟରୁ ଏଥର ଅଧିକଙ୍କୁ ମନ୍ତ୍ରୀ କରାଯାଇଥିବାରୁ, କିଛି ଲୋକ ଏହାକୁ ସହି ପାରୁ ନାହାଁନ୍ତି ।

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଆଉ ଯାହା ଅନୁମାନ କରାଯାଉଥିଲା, ଅଧିବେଶନର ପ୍ରଥମ ଦିନରେ ଠିକ୍ ସେହି ଚିତ୍ର ଦେଖିବାକୁ ମିଳିଛି । ଦର ଦାମ୍ ବୃଦ୍ଧି ପ୍ରତିବାଦରେ ଗୃହ ଭିତରେ ବିରୋଧୀ ଏମିତି ନାରାବାଜି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ କୁହାଇ ଦେଇନାହାନ୍ତି । ନିୟମ ଅନୁସାରେ ଲୋକସଭାରେ ନବନିର୍ବାଚିତ ସଦସ୍ୟମାନେ ପ୍ରଥମେ ଶପଥ ନେଇଥିଲେ । ଏହାପରେ ମନ୍ତ୍ରୀମଣ୍ଡଳରେ ସାମିଲ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଉଥିଲେ ପ୍ରଧାନମନ୍ତ୍ରୀ । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତାହା ସମ୍ଭବ ହୋଇନାହିଁ । ଆଉ ଏଥିରେ ରାଗିଯାଇ ମୋଦୀ କହିଛନ୍ତି, ତାଙ୍କ ନୂଆ ଟିମରେ ସାମିଲ ଦଳିତ, ମହିିଳା ଓ ଆଦିବାସୀ ମନ୍ତ୍ରୀମାନଙ୍କୁ ସହ୍ୟ କରିପାରୁନାହାନ୍ତି ବିରୋଧୀ ।

ପ୍ରଧାନମନ୍ତ୍ରୀ ଗୃହରେ ନୂଆ ମନ୍ତ୍ରୀମାନଙ୍କ ପରିଚୟ ଦେଉଥିବା ବେଳେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ପ୍ରକୃତରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଏଥର ରହିଛି ଏକାଧିକ ପ୍ରସଙ୍ଗ । ପେଗାସସ ଗୁଇନ୍ଦାଗିରି ଠାରୁ ଆରମ୍ଭ କରି କରୋନା ପରିଚାଳନା, ଦରଦାମ୍ ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଛନ୍ତି ବିରୋଧୀ । ହେଲେ ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ସଂସଦର ଚଳିତ ଅଧିବେଶନରେ ୩୦ରୁ ଅଧିକ ବିଲ ପାସ କରାଇବାକୁ ଚାହୁଁଛନ୍ତି ମୋଦୀ ସରକାର । ତେଣୁ ଅଜଥା ହଟ୍ଟଗୋଳ ନକରି ବିରୋଧି ପ୍ରସଙ୍ଗ ଭିତିକ ଆଲୋଚନା କରନ୍ତୁ ବୋଲି ସରକାରୀ ପକ୍ଷ ଚାହୁଁଛନ୍ତି ।

ସଂସଦରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ସବୁବେଳେ ବିରୋଧୀ ଏହିଭଳି ହଟ୍ଟଗୋଳର ରାସ୍ତା ଆପଣାଇଥାନ୍ତି । ପରିସ୍ଥିତି ଅସ୍ୱାଭାବିକ ହେଲେ ଗୃହକୁ ମୁଲତବି ଘୋଷଣା କରନ୍ତି ଲୋକସଭା କିମ୍ବା ରାଜ୍ୟସଭାର ଅଧ୍ୟକ୍ଷ । ତାହାରି ଭିତରେ ଆଲୋଚନା ଚାଲେ ଓ ଲୋକଙ୍କ ସମସ୍ୟା ଗଣତନ୍ତ୍ରର ମନ୍ଦିରରେ ଚର୍ଚ୍ଚା ହୁଏ । ହେଲେ ପ୍ରଥମଥର ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଉପରେ ବିରକ୍ତ ହେବାର ଚିତ୍ର ଦେଖିବାକୁ ମିଳିଛି ।