ଶାସକ-ବିରୋଧୀ ନାରାବାଜି ଓ ହୋହଲ୍ଲା ଭିତରେ ବିଧାନସଭା ଅଚଳ । ୪ ଦିନ ହେଲା, ବିଧାୟକଙ୍କ କ୍ଷମା ଦାବିରେ ଅଡି ବସିଛି ବିଜେଡି । ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା ।

38

କନକ ବ୍ୟୁରୋ: ବିଧାନସଭା ଲାଗାତାର ଚତୁର୍ଥ ଦିନ ପାଇଁ ଅଚଳ । ଶାସକ- ବିରୋଧିଙ୍କ ମୁହାଁମୁହିଁ ସ୍ଥିତି ଯୋଗୁଁ ଲୋକଙ୍କ ପ୍ରସଙ୍ଗ ପଛକୁ ଠେଲିହୋଯାଇଇଛି । ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନାହିଁ । ବୈଠକରୁ ଅଧାରୁ ଓହରି ଆସିଛି କଂଗ୍ରେସ । ମଣ୍ଡି ସମସ୍ୟା ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରୁଥିବାବେଳେ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ସୁବାସ ପାଣିଗ୍ରାହୀଙ୍କ କ୍ଷମା ଦାବିରେ ଗୃହକୁ ଅଚଳ କରିଛି ବିଜେଡି । ଆଉ ଏହାରି ମଧ୍ୟରେ କୁଚିଣ୍ଡାରେ ମଣ୍ଡିର ଅସଲ ଚିତ୍ର ପରଖିଛି କନକ ନ୍ୟୁଜ । ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡିରହିଥିବାରୁ ସମସ୍ୟା ଜଟିଳ ହେବାରେ ଲାଗିଛି ।

ବିଧାନସଭା ପ୍ରଶ୍ନକାଳର ଏ ହେଉଛି ୪ ଦିନର ଚିତ୍ର । ଆଉ ଏହି ୪ଦିନ ପ୍ରଶ୍ନକାଳରେ ସମାନ ଚିତ୍ର । ଗୃହର ମଧ୍ୟଭାଗରେ ବିଜେପି-କଂଗ୍ରେସର ହଟ୍ଟଗୋଳ ସହ ଶାସକ ଦଳର ନାରାବାଜି । ଆଉ ଏହାରି ମଧ୍ୟରେ ଚାଲିପାରୁନି ବିଧାନସଭା । ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗରେ ବିରୋଧୀ ଗୃହରେ ହଙ୍ଗାମା କରୁଛନ୍ତି । ଆଉ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ଦାବିରେ ଅଡିବସିଛି ଶାସକ ଦଳ । ମଙ୍ଗଳବାର ବି ଏକା ଅବସ୍ଥା ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ଅଚଳାବସ୍ଥା ମଧ୍ୟରେ ବିଧାନସଭାକୁ ସ୍ୱାଭାବିକ କରିବାକୁ ସର୍ବର୍ଦଳୀୟ ବୈଠକରେ କୌଣସି ନିଷ୍ପତି ବାହାରିପାରିନାହିଁ । ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ସାଧାରଣ ଲୋକଙ୍କ ପ୍ରସଙ୍ଗ ପଛକୁ ଠେଲି ହୋଇଯାଇଛି । ମଣ୍ଡିକୁ ନେଇ ବିଧାନସଭାରେ ଅଚଳାବସ୍ଥା ଲାଗିରହିଥିବାବେଳେ ଗ୍ରାଉଣ୍ଡ ଜିରୋର କିନ୍ତୁ ସ୍ଥିତି ଅଲଗା । ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ଘରେ ବି ଗଦା ହୋଇ ରହିଛି ଧାନ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଦିନକୁ ଦିନ ଜଟିଳ ହେଉଛି ମଣ୍ଡି ସମସ୍ୟା ।

ମଣ୍ଡିରେ ଗଦା ହୋଇଛି ଧାନବସ୍ତା । ଟୋକନ ଅବଧି ସରିଯିବାରୁ ଘରେ ଓ ବାହାରେ ଧାନ ବସ୍ତା ରଖି ବିକ୍ରି ପାଇଁ ଅପେକ୍ଷା କରିଛନ୍ତି ଚାଷୀ । ଏ ହେଉଛି କୁଚିଣ୍ଡା ଉପଖଣ୍ଡ ଡଙ୍ଗାଯୋର ଗାଁର ଦୃଶ୍ୟ । ଚାଷୀ ଭାବି ଥିଲେ ଚାଷ ଭଲ ହୋଇଛି, ଅମଳ ବି ଭଲ ହେବ । ଧାନ ଅମଳ କରି ସରକାରୀ ମଣ୍ଡିରେ ବିକିିବେ, କରଜ ସୁଝିବେ, କିନ୍ତୁ ଏବେ ସବୁ ଓଲଟା ହୋଇଛି ।