ଅଡୁଆ ହେଲାଣି ‘ଆଳୁ ମିଶନ୍’! ଯୋଜନା ନାଁରେ କୁଆଡେ ଯାଉଛି କୋଟି କୋଟି ଟଙ୍କା? ସିଏଜି ରିପୋର୍ଟ ପରେ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା ।

359

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଅଡୁଆ କଲା ‘ଆଳୁ ମିଶନ’ । ୨୦୧୭-୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ ‘ଆଳୁ ମିଶନ’ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି । ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି କି, ପିଆଜ ଠୁ ଆରୁ ରାଜ୍ୟରେ ସବୁ ମିଶନ ଫେଲ୍ ମାରିଛି । ଗତକାଲି ସିଏଜି ରିପୋର୍ଟରେ ‘ଆଳୁ ମିଶନ’ରେ ଦୁର୍ନୀତି ହୋଇଥିବା ଉଲ୍ଲେଖ ଥିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଥିବା କହିଛନ୍ତି ବିଷ୍ଣୁ ।

ଏପରିକି ରାଜ୍ୟରେ ହୁ…ହୁ… ହୋଇ ବଢୁଥିବା ପିଆଜ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ଦର ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଆଉ ଏସବୁର ସମାଧାନ ପାଇଁ ଶାସକ ଓ ବିରୋଧୀ ଉଭୟ ବିଧାନସଭାରେ ଆଲୋଚନା କରିବାର ଥିଲା । କିନ୍ତୁ ରାଜ୍ୟ ସରକାର ତାହା ଚାହିଁଲେ ନାହିଁ ତେଣୁ ଶୀତକାଳୀନ ଅଧିବେଶନକୁ ଆଗୁଆ ବନ୍ଦ କରି ନିଜର ସମ୍ବେଦନହୀନ ମନୋଭାବକୁ ପରିପ୍ରକାଶ କରିଛି ବୋଲି ସମାଲୋଚନା କରିଛି ବିଜେପି ।

ସେପଟେ କଂଗ୍ରେସ ମଧ୍ୟ ସମାନ କଥା ଦୋହରାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି କି, ରାଜ୍ୟରେ ଆଳୁ ମିଶନ ପୂରା ଫେଲ୍  । କାରଣ କଂଗ୍ରେସ ସରକାର ଥିବାବେଳେ ରାଜ୍ୟରେ ସବୁର ଦରଦାମ୍ ନିୟନ୍ତ୍ରଣରେ ଥିଲା ଏବଂ କାଁଭାଁ ଦୁର୍ନୀତି ଛବି ଦେଖାଯାଉଥିଲା । ହେଲେ ବିଜେଡି ସରକାରରେ ସବୁଥିରେ ହରିଲୁଟ୍ ହେଉଛି । ପୂର୍ବରୁ କଂଗ୍ରେସ ବିଧାନସଭାରେ ଆଳୁ ମିଶନ ନେଇ ସରକାରଙ୍କୁ ସ୍ୱତନ୍ତ୍ର ନୀତି ଆପଣାଇବାକୁ ପରାମର୍ଶ ଦେଇଥଲା । ଏପରିକି ବିଧାନସଭାରେ ଏନେଇ ପ୍ରଶ୍ନ ଉଠାଇଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଯାଗୁଁ ଆଜି ‘ଆଳୁ ମିଶନ’ ଅନ୍ଧାରରେ ବୋଲି କଟାକ୍ଷ କରିଛନ୍ତି ତାରା ।