ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ । କହିଲେ ସରକାରଙ୍କ ନିଷ୍ପତ୍ତି ବିରୋଧରେ କହିବା ଦେଶଦ୍ରୋହ ନୁହେଁ

432

କନକ ବ୍ୟୁରୋ : ଅନୁଛେଦ ୩୭୦ ଉପରେ ଟିପ୍ପଣୀ ଦେବାକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବିରେଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ଉପରେ ସୁପ୍ରିମକୋର୍ଟ ୫୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ମିଳିଥିବା ସୂଚନା ମୁତାବକ ରଜତ୍ ଶର୍ମା ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଅଭିଯୋଗ ଆଣି କହିଥିଲେ କି ୩୭୦ ଉଛେଦକୁ ନେଇ ଫାରୁକ୍ ଅବଦୁଲ୍ଲା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଓ ଏଭଳି କରିବା ପାଇଁ ତାଙ୍କୁ ଚୀନ ଓ ପାକିସ୍ତାନରୁ ସହାୟତା ମିଳୁଛି ତେଣୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବାକୁ ସେ କୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲେ ।

ଆଜି ଏହି ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ଅଭିଯୋଗକୁ ଖାରଜ୍ କରିବା ସହ କୋର୍ଟର ସମୟ ନଷ୍ଟ କରିଥିବାରୁ ରଜତ୍ ଶର୍ମାଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । କୋର୍ଟ କହିଛନ୍ତି କି, ସରକାରଙ୍କ କୌଣସି ନୀତିକୁ ବିରୋଧ କରିବା ବା ଅଭିଯୋଗ କରିବା ଦେଶଦ୍ରୋହ ନୁହେଁ । ଅନ୍ୟପଟେ ଅଭିଯୋଗକାରୀ ପ୍ରମାଣ କରିପାରିଲେ ନାହିଁ କି ଫାରୁକ୍ ଅବଦୁଲ୍ଲାଙ୍କୁ ପାକିସ୍ତାନ ଓ ଚୀନରୁ ସହାୟତା ମଳିଛି । ତେଣୁ ତାଙ୍କ ଉପରେ ଜରିମାନା ଲଗାଯାଇଛି ।

ସୂଚନା ଥାଉ ଯେ, ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା କହିଥିଲେ କି ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଚାଲିଥିବା ବିବାଦର ମୁଖ୍ୟ କାରଣ ହେଉଛି ଅନୁଛେଦ ୩୭୦ ଉଚ୍ଛେଦ । ଚୀନ ଆରମ୍ଭରୁ ୩୭୦ ଉଚ୍ଛେଦକୁ ବିରୋଧ କରୁଥିଲା ତେଣୁ ସୀମାରେ ଏନେଇ ଚାଲିଥବା ବିବାଦ ମୋଦି ସରକାରଙ୍କ ଭୂଲ ନୀତି ଯୋଗୁ ହେଉଛି ବୋଲି ସେ କହିଥିଲେ । ଫାରୁକଙ୍କ ଏଭଳି ବୟାନକୁ ସମର୍ଥନ କରି ନ୍ୟାସନାଲ କନଫରେନ୍ସର ପ୍ରବକ୍ତା କହିଥିଲେ କି କେନ୍ଦ୍ରସରକାରଙ୍କ ଭୂଲ ନୀତିକୁ ସମାଲୋଚନା କରି ଲୋକଙ୍କ ସ୍ୱରକୁ ଉଜାଗର କରିବାକୁ ଚେଷ୍ଟା କରିଛନ୍ତି ଅବଦୁଲ୍ଲା ।