ଏସସି/ଏସଟି ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ : ଭାରତ ବନ୍ଦ ବେଳେ ହିଂସାକାଣ୍ଡ, ମୃତ୍ୟୁ ସଂଖ୍ୟା ୧୦କୁ ଟପିଲା

37

କନକ ବ୍ୟୁରୋ : ଅନସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧୀ ଆଇନରେ କିଛି ନିର୍ଦ୍ଦିଷ୍ଟ ଧାରାକୁ ସୁପ୍ରିମକୋର୍ଟ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେବା ପରେ ସାରା ଦେଶରେ ଦଳିତ ଆନ୍ଦୋଳନର ନିଆଁ ଦେଖିବାକୁ ମିଳିଛି । ହିଂସାର ନିଆଁରେ ୧୦ ଜଣଙ୍କ ଜୀବନ ଯାଇଛି । ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ଓ ଉତରାଖଣ୍ଡରେ ହିଂସା ଉଗ୍ରରୂପ ଧାରଣ କରିଛି । ମଧ୍ୟପ୍ରଦେଶରେ ୭ ଜଣ ପ୍ରାଣ ହରାଇଥିବାବେଳେ ଉତ୍ତରପ୍ରଦେଶରେ ୨ଜଣ ଓ ରାଜସ୍ଥାନରେ ଜଣକର ଜୀବନ ଯାଇଛି । ଏହି ରାଜ୍ୟଗୁଡିକରେ ଶହ ଶହ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ । ମଧ୍ୟପ୍ରଦେଶର ସାଗର, ଗୋୱାଲିଅରରେ ୧୪୪ଧାରା ବଳବତ୍ତର ରହିଥିବାବେଳେ ଇଂଟରନେଟ ସେବାକୁ ବନ୍ଦ ରଖାଯାଇଛି । ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ଏହି ରାଜ୍ୟଗୁଡିକରେ ଶହ ଶହ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ । ୟୁପିରେ ଆଜି କିଛି ସ୍ଥାନରେ ସ୍କୁଲ-କଲେଜ ବନ୍ଦ ରହିଛି । ପଞ୍ଜାବ,ଝାଡଖଣ୍ଡ, ବିହାର ଓ ମହାରାଷ୍ଟ୍ରରେ ବି ଦଳିତ ସଙ୍ଗଠନଗୁଡିକର ପ୍ରଦର୍ଶନ ହିଂସାର ରୂପ ନେଇଛି ।

ସୂଚନାଯୋଗ୍ୟ, ଏସସି-ଏସଟି କ୍ରୁରତା ନିବାରଣ ଆଇନରେ ସୁପ୍ରିମକୋର୍ଟଙ୍କ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ । ଭାରତ ବନ୍ଦ ଡାକରାରେ ଜଳୁଛି ହିଂସାର ନିଆଁ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାର ସଂକୁଚିତ ହେଉଥିବା ଅଭିଯୋଗ କରି ସଂଗଠିତ ହୋଇଛନ୍ତି ଏକାଧିକ ଦଳିତ ଆଦିବାସୀ ସଂଗଠନ । ଯେଉଁଠି ରେଳରୋକ, ଆଉ କେଉଁଠି ରାସ୍ତାରୋକ । ପ୍ରତିବାଦର ହିଂସା ଏତେ ତୀବ୍ର ହୋଇଛି ଯେ, ଗୋଷ୍ଠୀ ସଂଘର୍ଷ ଭିତରେ ଚାଲି ଯାଇଛି ଜୀବନ । ଦଳିତଙ୍କ ଅଧିକାରର ହତ୍ୟା କରିବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି । ଗତ ୨୦ ତାରିଖ ଏସସି/ଏସଟି ପ୍ରିଭେନସନ୍ ଅଫ୍ ଆଟ୍ରୋସିଟି ଆକ୍ଟର ଦୁରୁପୋଯୋଗ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । ଗୋଟିଏ ପଟେ ଏହି ଆକ୍ଟର ଦୁରୁପଯୋଗ ହେଉଥିବା ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିବା ବେଳେ ଅନ୍ୟପଟେ ଏସସି/ଏସଟିଙ୍କ ଅଧିକାର ସୁରକ୍ଷା ଯୋଗାଇ ଦେବା ମଧ୍ୟ ସବୁଠାରୁ ବଡ ଆହ୍ୱାନ ।