ଶୁଭାରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ: ସରକାରୀ ବସ ଚଳାଚଳକୁ ନେଇ ମୁଣ୍ଡ ଟେକିଛି ବିବାଦ

203

କନକ ବ୍ୟୁରୋ: କୋରାପୁଟରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ । ପଂଚାୟତରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ସୁଲଭ ମୁଲ୍ୟରେ ପରିବହନ ସେବା ଯୋଗାଇବା ଉଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ଆଣିଛନ୍ତି । ଏହି ଯୋଜନା ଅଧିନରେ ପ୍ରଥମ ପର୍ଯ୍ୟାୟରେ ହଜାରେରୁ ଅଧିକ ବସ ଚଳାଚଳ କରିବ । ହେଲେ ଏହାର ସରକାରୀ ବସ ଚଳାଚଳକୁ ନେଇ ବିବାଦ ମୁଣ୍ଡ ଟେକିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଘରୋଇ ବସ ମାଲିକ ସଂଘର ସମ୍ମିଳନୀ କରି ଏହି ଯୋଜନାରେ ଘରୋଇ ବସକୁ ସାମିଲ କରିବା ପାଇଁ ଦାବି କରିଛି । ରାଜ୍ୟ ବାହାରୁ ବସ ଅଣିବା ବଦଳରେ ଘରୋଇ ବସକୁ ଲିଜ୍ ସୂତ୍ରରେ ନେଇ ଯୋଜନା ଆରମ୍ଭ କରିବାକୁ ସଂଘ ଦାବି କରିଛି । କୋରାପୁଟ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସମ୍ପାଦକ ନରେନ୍ଦ୍ର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହି ଯୋଜନାରେ ପରିଚାଳନା ଦାୟିତ୍ୱ ପ୍ରଦାନ ଉପରେ ସଂଘର କର୍ମକର୍ତାମାନେ ଉଦବେଗ ପ୍ରକାଶ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ଘରୋଇ ବସକୁ ସିଧାସଳଖ ସାମିଲ କରାଯାଉ, ନଚେତ୍ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଂଘ ସମ୍ପାଦକ ପ୍ରକାଶ କରିଛନ୍ତି ।