ସଂସଦରେ ଥମୁନି ମଣିପୁର ଝଡ଼, କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ‘ଇଣ୍ଡିଆ’

126

କନକ ବ୍ୟୁରୋ : ସଂସଦରେ ଥମୁନି ମଣିପୁର ହିଂସା ଝଡ଼ । ପଂଚମ ଦିନରେ ମଧ୍ୟ ହଟ୍ଟଗୋଳ ଭିତରେ ଗୃହକାର୍ଯ୍ୟ ଅଚଳ ହୋଇପଡିଛି । ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତର ଦାବି କରିଛନ୍ତି ବିରୋଧୀ । ଏହା ଭିତରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ବିରୋଧୀଙ୍କ ପକ୍ଷରୁ କଂଗ୍ରେସ ସାଂସଦ ଗୌରବ ଗୋଗଇ ଅନାସ୍ଥା ପ୍ରସ୍ତାବ ନୋଟିସ ଗୃହରେ ଉପସ୍ଥାପନ କରିଥିଲେ । ସେପଟେ ବିଆରଏସ ମଧ୍ୟ ପୃଥକଭାବେ ଅନାସ୍ଥା ପ୍ରସ୍ତାବର ନୋଟିସ ଦେଇଛି । କଂଗ୍ରେସ କହିଛି ସରକାରଙ୍କ ଉପରୁ ଜନତାଙ୍କ ଭରଷା ଉଠିଗଲାଣି । ମଣିପୁର ପ୍ରସଙ୍ଗରେ ଗୃହରେ ବିବୃତି ରଖନ୍ତୁ ପ୍ରଧାନମନ୍ତ୍ରୀ ।

କଂଗ୍ରେସର ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଛନ୍ତି । ବାଚସ୍ପତି କହିଛନ୍ତି ସବୁ ରାଜନୈତିକ ଦଳ ସହିତ କର୍ଥାବାର୍ତା ପରେ ଆଲୋଚନା କରି ସମୟ ସ୍ଥିର କରାଯିବ । ସେପଟେ ବିଜେପି କହିଛି ମୋଦି ସରକାରଙ୍କ ଉପରେ ଜନତାଙ୍କ ବିଶ୍ୱାସ ରହିଛି । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ସମ୍ମୁଖୀନ ହେବାକୁ ସରକାର ପ୍ରସ୍ତୁତ ଅଛନ୍ତି ।

ଉଭୟ କେନ୍ଦ୍ର ଓ ମଣିପୁରରେ ବିଜେପି ସରକାର । ଡବଲ ଇଂଜିନ ସରକାର ବିକାଶକୁ ଆଗଉଥିବା ବିଜେପି ଦାବି କରୁଛି । କିନ୍ତୁ ମଣିପୁରରେ ବିକାଶ ନୁହେଁ ହିଂସାରେ ଜଳିପୋଡି ପାଉଁଶ ହେଉଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଗୃହରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହୁଥିବାବେଳେ ବିରୋଧୀ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଜବାବ ପାଇଁ ଅଡି ବସିଛନ୍ତି ।