ସବୁଠି ବିରୋଧୀଙ୍କ ସାଂଘାତିକ ବିପର୍ଯ୍ୟୟ: ଏହି ସବୁ ଜିଲ୍ଲାରେ ଖାତା ଖୋଲିବାରେ ବିଫଳ ବିଜେପି, କଂଗ୍ରେସ 

152

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ଶାସକ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ବିରୋଧୀ ଦଳ ଏମିତି ନୈରାଶ୍ୟଜନକ ପ୍ରଦର୍ଶନ କରିବେ କେହି ଅନୁମାନ ବି କରିନଥିଲେ । ଆଉ ଭୋଟ ଗଣତି ପରେ ଯେଉଁ ଫଳଫଳ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପୂର୍ବରୁ ପଶ୍ଚିମ, ଉତରରରୁ ଦକ୍ଷିଣ । ଉପକୂଳରୁ ଉପାନ୍ତ । ମାଲକାନଗିରିରୁ ମୟୂରଭଞ୍ଜ, କଳାହାଣ୍ଡିରୁ କେନ୍ଦ୍ରାପଡା ସବୁଠି ସାଂଘାତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ବିରୋଧୀ । କେବଳ ବିପର୍ଯ୍ୟୟ ନୁହେଁ କୋରାପୁଟକୁ ଛାଡି ରାଜ୍ୟର ଅନ୍ୟ କୌଣସି ଜିଲ୍ଳାରେ ଜିଲ୍ଲାପରିଷଦ ଆସନ ଦଖଲ କରିବାରେ ଦୁଇ ଅଙ୍କ ଟପି ପାରି ନାହାଁନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କେବଳ କୋରାପୁଟ ଜିଲ୍ଲାପରିଷଦ ଆସନରେ କଂଗ୍ରେସ ଦୁଇ ଅଙ୍କ ଟପିଛି ।

କେବଳ ଦୁଇ ଅଙ୍କ ନୁହେଁ ଏମିତି କେତେକ ଜିଲ୍ଲା ରହିଛି ଯେଉଁଠି ବିରୋଧୀ ବିଜେପି ଓ କଂଗ୍ରେସ ଖାତା ଖୋଲିବାକୁ ବି ସକ୍ଷମ ହୋଇ ପାରି ନାହାଁନ୍ତି । ଆଉ ସମ୍ପୂର୍ଣ୍ଣ ବିରୋଧୀ ଶୂନ୍ୟ ହୋଇଯାଇଛି ଜିଲ୍ଲା ।

ଗଣତିର ତୃତୀୟ ଦିନ ସନ୍ଧ୍ୟା ସୁଦ୍ଧା ଦେବଗଡ, ଝାରସୁଗୁଡା, ଯାଜପୁର , ପୁରୀରେ ସମସ୍ତ ଜିଲ୍ଲାପରିଷଦ ଆସନରେ ବାଜିମାତ କରିଛି ବିଜେଡି । ଆଉ ଅଧିକାଂଶ ଜିଲ୍ଲାରେ ବିଜେପି ଓ କଂଗ୍ରେସ ଗୋଟିଏ କିମ୍ବା ଦୁଇଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛନ୍ତି । ମୟୂରଭଞ୍ଜରେ ଗତଥର ବିଜେପି ୪୯ଟି ଜିଲ୍ଲାପରିଷଦ ଆସନ ଦଖଲ କରିଥିବାବେଳେ ଏଥର ଖାତା ଖୋଲିପାରିନି । ସେହିପରି ଝାରସୁଗୁଡାରେ ଗତଥର କଂଗ୍ରେସ ଦବଦବା ଦେଖାଇଥିବାବେଳେ ଏଥର ସମ୍ପୂର୍ଣ୍ଣ ବିଜେଡି ଖାତାକୁ ଚାଲି ଯାଇଛି । ବିଶେଷକରି ବିଜେପିର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାର ୧୦ ଜିଲ୍ଲାରେ ସମସ୍ତଙ୍କୁ ଚମକାଇ ଦେବା ଭଳି ପ୍ରଦର୍ଶନ କରିଛି ବିଜେଡି  । ଆଉ ବିରୋଧୀ ଏହି ସବୁ ଜିଲ୍ଲାରେ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ଦୋହରାଇବାରେ ବିଫଳ ହୋଇଛନ୍ତି ।