ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାକୁ ନେଇ ତେଜିଲା ରାଜନୀତି । ବିରୋଧୀଙ୍କ ଟାର୍ଗେଟରେ ବିଜେଡି ନେତା ସୁଶାନ୍ତ ସିଂ

110

କନକ ବ୍ୟୁରୋ : ବରଗଡ ଜିଲ୍ଲା ଆମ୍ବାଭୋନା ଥାନା ଭଂଗାରୁଜା ଘଟଣାରେ ଲାଗିଛି ରାଜନୀତିର ନିଆଁ । ଶାସକ ଦଳର ବିଧାୟକ ସୁଶାନ୍ତ ସିଂଙ୍କୁ ଦାୟୀ କରି, ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କଂଗ୍ରେସ ନେତା ଓ କର୍ମୀ ବରଗଡ ଏସପି ଅଫିସ ଘେରାଉ କରିବା ସହ ଧାରଣା ଦେଇଛନ୍ତି । ଏପଟେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତିି । ଘଟଣାରେ ସଠିକ୍ ଢ଼ଙ୍ଗରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଥାନାରେ ଭଂଗାରୁଜାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି ପୋଲିସ । ଶହେରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ହେଲେ, ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । ଅନ୍ୟପଟେ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ତାଙ୍କ ପାଖରେ ସୂଚନା ନାହିଁ, ସୂଚନା ପାଇଲେ କହିବେ ।

ବିଧାୟକ ସୁଶାନ୍ତ ସିଂ ନାଁ ଉଠିବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁଶାନ୍ତ ସିଂ । ସେଦିନର ଘଟଣାର ତାଙ୍କର କୌଣସି ଭୂମିକା ନଥିବା କହିଛନ୍ତି । ତେବେ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ତାମଦେଇକୁ ବଣ ଭୋଜି ପାଇଁ ଯାଇଥିବା କିଛି ଗାଡିରେ ଗଂଜେଇ ରଖିଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇ ଅତର୍କିତ ଚଢାଉ କରିଥିଲା । ତେବେ କିଛି ନମିଳିବାରୁ ଯୁବକଙ୍କ ସହ ବଚସା ହୋଇଥିଲା । ଏହାପରେ ସଂପୃକ୍ତ ଯୁବକମାନେ ଥାନାକୁ ଯାଇ ଆଲୋଚନା କରୁଥିବା ସମୟରେ ଶତାଧିକ ଯୁବକ ଥାନା ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଗଣ୍ଡଗୋଳ ପୂର୍ବରୁ ସୁଶାନ୍ତ, ଯୁବକମାନଙ୍କ ସହ ଥିବାର ଏକ ଭିଡିଓ ଥିବାରୁ ସେ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି ବିରୋଧୀ ।