ରାଜଧାନୀରେ କାହିଁକି ଘଟିଲା ଏତେ ବଡ଼ ଅଘଟଣ ? ମୁକୁଳା ଡ୍ରେନକୁ ନେଇ ଅଫିସରଙ୍କୁ ଘେରିଲେ ବିରୋଧୀ ।

105

କନକ ବ୍ୟୁରୋ : ମୁକୁଳା ମ୍ୟାନ ହୋଲ ସ୍ମାର୍ଟ ସିଟି ପାଇଁ କଳଙ୍କ ସାଜିବା ପରେ ସରକାରୀ ସ୍ତରରେ ଆରମ୍ଭ ହୋଇଛି ତନାଘନା । ବିଧାନସଭା ଗୃହ କମିଟିର ଏକ ଜରୁରୀ ବୈଠକରେ, କାହିଁକି ଏହି ଘଟଣା ଘଟିଲା, ପୂର୍ବରୁ କାହିଁକି ପଦକ୍ଷେପ ନିଆଯାଇନଥିଲା, ଏସବୁ ପ୍ରସଙ୍ଗ ଜରିଆରେ ନଗର ଉନ୍ନୟନ ବିଭାଗ ଉପରେ ଉଠିଥିଲା ସବୁଠାରୁ ବଡ ପ୍ରଶ୍ନ । ବିଭାଗୀୟ ସଚିବ ଜି ମାଥିଭାଥନନ, ଗୃହ କମିଟି ସଦସ୍ୟଙ୍କ ପ୍ରଶ୍ନବାଣର ସାମ୍ନା କରିଥିଲେ । ଏପଟେ ଜ୍ୟୋତି ଭାସିଯିବା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲା ଛାତ୍ର କଂଗ୍ରେସ ।

କିଏ ଜାଣିଥିଲା ଯେଉଁଠି ଦିନେ ଜ୍ୟୋତିପ୍ରକାଶ ପାଠ ପଢ଼ୁଥିଲେ, ସେଠି ତାଙ୍କ ପାଇଁ ଏମିତି ଶୋକସଭା ହେବ । ଗୁରୁଜୀ, ଗୁରୁମା ଓ ସହପାଠୀ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏକଥାକୁ କେହି ବିଶ୍ୱାସ କରିପାରୁନାହାନ୍ତି । ଟ୍ୟୁସନ ଯିବା ବାଟରେ ଡ୍ରେନରେ ଖସି ପଡ଼ି ୧୫ ବର୍ଷୀୟ ଜ୍ୟୋତିପ୍ରକାଶଙ୍କ ଜୀବନ ଦୀପ ଲିଭିଯିବା ପରେ ସ୍ତବ୍ଧ ହୋଇଯାଇଛି ସେ ପାଠପଢ଼ୁଥିବା ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ।

ଯେତେ ବଡ ବଡ ନିଷ୍ପତି ନିଆଯାଇଛି କିଛି ଅଘଟଣ ଘଟିବା ପରେ ପ୍ରାୟ ନିଆଯାଇଛି । ଠିକ୍ ସେହିପରି ଡ୍ରେନରେ ଭାସିଯାଇ ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ହେବା ପରେ ସରକାରଙ୍କ ନିଦ ଭାଙ୍ଗିଛି । ରାଜ୍ୟର ସହରାଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ବିଧାନସଭାର ଗୃହ କମିଟି ବୈଠକ ବସିଛି । ମୁକୁଳା ଡ୍ରେନ୍ ଉପରେ କେମିତି ସ୍ଲାବ ପଡିବ ସେନେଇ ଆଲୋଚନା ହୋଇଛି । କିନ୍ତୁ ଏହି ବୈଠକରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଯେଉଁଭଳି ଅଘଟଣ ଘଟିଲା, ସେଭଳି ଅଘଟଣର ଯେମିତି ପୁନରାବୃତ୍ତି ନଘଟେ ସେଥିପାଇଁ ଦାବି କରିଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ରବିବାର ଭୁବନେଶ୍ୱରରେ ଯେଉଁଭଳି ଅଘଟଣ ଘଟିଲା, ସେନେଇ ପୂର୍ବରୁ ଅନୁମାନ କରିଥିଲା ନଗର ଉନ୍ନୟନ ବିଭାଗ । ବିଭିନ୍ନ ସହରାଞ୍ଚଳରେ ପାଣି ଜମିବା ସହ ଡ୍ରେନ୍ ସମସ୍ୟା ହେବା ନେଇ ଆଶଙ୍କା କରିଥିଲେ । ଏଥିପାଇଁ ଜୁନ୍ ମାସରେ ରାଜ୍ୟର ସମସ୍ତ ସହରାଞ୍ଚଳ ମୁଖ୍ୟଙ୍କୁ ଚିଠି ଲେଖିଥିଲେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ୍ । କିନ୍ତୁ ଚିଠିରେ ଦିଆଯାଇଥିବା ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଲା, ପରବର୍ତ୍ତୀ ସମୟରେ ତାର ସମୀକ୍ଷା କରିନଥିଲେ । ଯାହାର ଫଳ ସ୍ୱରୂପ ମୁକୁଳା ପଡିଛି ଅଧାରୁ ଅଧିକ ଡ୍ରେନ୍ ।

ଡ୍ରେନରେ ଭାସି ଛାତ୍ରର ମୃତ୍ୟୁକୁ ନେଇ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ୩ ଦିନ ଭିତରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର କଂଗ୍ରେସ । ଏଥିସହ ବିଏମସି କମିଶନର, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ ନଗର ଉନ୍ନୟନ ସଚିବଙ୍କ ବହିଷ୍କାର ଦାବି କରିଛି । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି, ବର୍ଷା ଦିନେ ଭୁବନେଶ୍ୱରରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ କିଛି ବ୍ୟବସ୍ଥା ଅଛି କି ? ଏହି ସମସ୍ୟାର ସମାଧାନ ପାଇଁ କିଛି ସମୟ ସୀମା ଧାର୍ଯ୍ୟ କରାଯାଇଛି କି ?