ବିରୋଧୀ ମେଣ୍ଟ ଉପରେ ସମସ୍ୟାର କଳାବାଦଲ । ହାତ ଛାଡୁଛନ୍ତି ମମତା, ନୀତିଶଙ୍କ ଉପରେ ଭରସା ନାହିଁ !

78

କନକ ବ୍ୟୁରୋ : ନିର୍ବାଚନ ଦିନ ପାଖଉଛି , ବିରୋଧୀ ମେଂଟ ଇଣ୍ଡିଆ ମୁଣ୍ଡରେ ସମସ୍ୟାର କଳାବାଦଲ ବଢ଼ୁଛି । ବୁଧବାର ତୃଣମୁଳ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଲୋକସଭା ଆସନରେ ଏକାକୀ ଲଢ଼ିବା ନେଇ ଘୋଷଣା କରିବା ପରେ ମେଂଟର ସ୍ଥିରତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସେପଟେ କାହିଁକି ଜଣକଙ୍କ ପରେ ଜଣେ ଦଳ ଏକାକୀ ଲଢ଼ିବାକୁ ନିଷ୍ପତି ନେଉଛନ୍ତି ତାକୁ ନେଇ ବଢ଼ୁଛି ତର୍କବିତର୍କ । ରାଜନୈତିକ ବିଶେଷଜ୍ଞଙ୍କ ମତରେ, ବଡ ଦଳଭାବେ କଂଗ୍ରେସ ଦାବି ଓ ଆଶା ମଧ୍ୟ ଅଧିକ ରଖୁଛି । କଂଗ୍ରେସ ଅଧିକ ଆସନ ଦାବିକୁ ନେଇ ଆଂଚଳିକ ଦଳଗୁଡିକଙ୍କ ଭିତରେ ଆଶଙ୍କା ସୃଷ୍ଟି ହୋଇଛି । ଯଦି କମ ହେବ ଆସନ ତେବେ ବିଜୟ ସମ୍ଭାବନା କମିବା ଆଶଙ୍କା ପ୍ରକାଶ କରି ଆଂଚଳିକ ଦଳଗୁଡିକ ନିଜ ଜିଦରେ ଅଟଳ ରହୁଛନ୍ତି ।

ପଶ୍ଚିମବଙ୍ଗରେ କଂଗ୍ରେସ ୧୦ରୁ ୧୨ ଆସନ ଦାବି କରିଥିଲା କିନ୍ତୁ ମମତା କେବଳ ୨ଟି ଆସନ ଦେବାକୁ ରାଜି ହୋଇଥିଲେ । ପରେ ଏକାକୀ ଲଢ଼ିବାକୁ ଟିଏମସି ଘୋଷଣା କରିଛି । ପଂଜାବରେ ମଧ୍ୟ ଆପ ଏକାକୀ ଲଢ଼ିବାକୁ ଘୋଷଣା କରିଛି ।

ମମତାଙ୍କ ଘୋଷଣା ଉପରେ ମେଂଟର ଦଳମାନଙ୍କ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।

କଂଗ୍ରେସ କହିଛି ଟିଏମସି ବିନା ମେଂଟ ଅସମ୍ଭବ । ମେଂଟର ମଜଭୁତ ଅଂଶ ଅଟେ ଟିଏମସି । ଆଲୋଚନାରେ ସମସ୍ୟାର ସମାଧାନ କରାଯିବ ଜରୁରୀ ।

ସିପିିଏମ ନେତା ମହମ୍ମଦ ସଲୀମ କହିଛନ୍ତି ୨୦୨୪ ନିର୍ବାଚନ ମୋଦୀ ବନାମ ମମତା ଚାହୁଁଛନ୍ତି ଉଭୟ ବିଜେପି ଓ ଟିଏମସି

ଆପ କହିଛି କଂଗ୍ରେସ ବିବାଦୀୟ ବୟାନଠୁ ଦୂରେଇ ରହିବା ଜରୁରୀ । ସମସ୍ତଙ୍କୁ ଏକାଠି ମିଶି ଲଢ଼ିବା ଉଚିତ ।

ଶିବସେନା ଉଦ୍ଧବ ଗୋଷ୍ଠୀ କହିଛି ମମତା ବାନାର୍ଜୀ ବାଘ ପରି ଲଢ଼ୁଛନ୍ତି । ଏକାକୀ ଲଢ଼ିବା ନିଷ୍ପତ୍ତି ମମତାଙ୍କ ନିର୍ବାଚନୀ ରଣନୀତି ଅଟେ । ପଶ୍ଚିମବଙ୍ଗ ଲଢେଇ ଏକ ପ୍ରମୁଖ ଲଢେଇ ଅଟେ ।

ଏନସିପି କହିଛି ମମତାଙ୍କ ନିଷ୍ପତ୍ତି ସମ୍ମାନର ସହ ଗ୍ରହଣ କରୁଛି ଦଳ । ମେଂଟରେ ମମତାଙ୍କ ନିଷ୍ପତ୍ତିର ବଡ଼ ପ୍ରଭାବ ପଡିବନି । ମେଂଟ ମଧ୍ୟରେ ଦଳୀୟ କନ୍ଦଳ ନାହିଁ ।

ଆରଜେଡି କହିଛି ଟିଏମସି ଇଣ୍ଡିଆ ମେଂଟର ପ୍ରମୁଖ ଅଂଶ ଅଟେ । ବର୍ତମାନ ଧର୍ଯ୍ୟ ଓ ଅପେକ୍ଷାର ଆବଶ୍ୟକତା ରହିଛି । ବିଜେପି ବିରୋଧରେ ମେଂଟ ଏକାଠି ଲଢ଼ିବ

ଇଣ୍ଡିଆ ମେଂଟରେ ଥିବା ଆଂଚଳିକ ଦଳଗୁଡିକ କହୁଛନ୍ତି, ସମସ୍ତ ଆଂଚଳିକ ଦଳଗୁଡିକଙ୍କୁ ନିଜର ଫଇସଲା ନେବାକୁ ଅଧିକାର ରହିଛି । ଗତ ନିର୍ବାଚନର ଫଳାଫଳା ଆଧାରରେ ଆସନ ଭାଗବଂଟା କରାଯିବ ଉଚିତ । କଂଗ୍ରେସ ଏହାକୁ ଗୁରୁତର ସହ ଗ୍ରହଣ କରୁନି । କଂଗ୍ରେସ ବଡ ଦଳ ହେବା ସତ୍ୱେ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରୁନି ।

ତେବେ ଏଠି ଗୋଟେ ପ୍ରଶ୍ନ ଉଠୁଛି ସମୟ ଥାଉ ଥାଉ ଯଦି କଂଗ୍ରେସ କୌଣସି ଉଚିତ ପଦକ୍ଷେପ ନଉଠାଏ । ସମସ୍ତ ସହଯୋଗୀ ଦଳଗୁଡିକଙ୍କ ସହ ମନି ମିଶାଇ ନିର୍ବାଚନ ନଲଢେ ତେବେ ବିଜେପି ବିରୋଧରେ ଯେଉଁ ରଣନୀତି ପ୍ରସ୍ତୁତ ହୋଇଛି ତା ଫେଲ ମାରିବା ଏକପ୍ରକାର ନିଶ୍ଚିତ ।