ମୁମ୍ବାଇରେ ମନ୍ଦିର ଖୋଲିବାକୁ ନେଇ ମହାଭାରତ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହିନ୍ଦୁତ୍ୱ କଥା ମନେ ପକାଇଦେଲେ ରାଜ୍ୟପାଳ, ଉଦ୍ଧବଙ୍କ ଜବାବ, ହିନ୍ଦୁତ୍ୱ ପାଇଁ କାହାର ସାର୍ଟିଫିକେଟ ଦରକାର ନାହିଁ ।

204

କନକ ବ୍ୟୁରୋ : ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମହାଭାରତ ହୋଇଛି । ଗୋଟିଏ ପଟେ ମନ୍ଦିର ଖୋଲିବା ଦାବିରେ ବିଜେପି କର୍ମୀ ମାର୍ଚ୍ଚ ବାହର କରିଛନ୍ତି । ରାଜ୍ୟରେ ମଦିରା ଖୋଲିଥିବା ବେଳେ ମନ୍ଦିର କାହିଁକି ବନ୍ଦ ବୋଲି ନାରାବାଜି କରୁଥିବା ଦେଖିବାକୁ ମିଳିଛି । ସେପଟେ ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ବିକାଶ ଅଘାଡି ଓ ରାଜ୍ୟପାଳଙ୍କ ମଧ୍ୟ ଚିଠି ଯୁଦ୍ଧ ଦେଖିବାକୁ ମିଳିଛି ।

ମୁମ୍ବାଇରେ ମନ୍ଦିର ଖୋଲିବା ଦାବିରେ ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ମୁମ୍ବାଇ ସ୍ଥିତ ସିଦ୍ଧିବିନାୟକ ମନ୍ଦିର ବାହରେ ବିଜେପି କର୍ମୀ ପୋଷ୍ଟର ବ୍ୟାନର ଧରି ରାଜ୍ୟ ସରକାର ବିରୋଧରେ ନାରାବାଜି କରି ସବୁ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି । ବିଜେପି ବିଧାୟକ ପ୍ରାସଦ ଲାଡ ମାହିତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମନ୍ଦିର ଭିତରକୁ ବଳପୂର୍ବକ ପଶିବାକୁ ଚେଷ୍ଟା କରିବାରୁ ବିଧାୟକ ସମେତ ଶତାଧିକ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ ।

ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ମନ୍ଦିର, ଧାର୍ମିକ ସ୍ଥଳୀ ଖୋଲିବା ପାଇଁ ଅପିଲ କରିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ । ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ପଚାରିିଛନ୍ତି ।
– ମୁଖ୍ୟମନ୍ତ୍ରୀ ହିନ୍ଦୁତ୍ୱର ପକ୍ଷଧର ଥିଲେ, ଏପରିକି ମୁଖ୍ୟମନ୍ତ୍ରୀ ହେବା ପରେ ଅଯୋଧ୍ୟା ଯାଇ ରାମଙ୍କ ଦର୍ଶନ କରିଥିଲେ
– ମନ୍ଦିର ନ ଖୋଲିବା ପାଇଁ ଭଗବାନଙ୍କୁ ଠାରୁ କୌଣସି ଦିବ୍ୟସନ୍ଦେଶ ପାଇଛନ୍ତି କି ?
– ନା ଅଚାନକ ଧର୍ମ ନିରପେକ୍ଷ ହୋଇଯାଇଛନ୍ତି?
– ଧର୍ମ ନିରପେକ୍ଷ ବୋଲାଇବାକୁ ଦିନେ ଆପଣ ପସନ୍ଦ କରୁନଥିଲେ ?

ରାଜ୍ୟପାଳଙ୍କ ଚିଠି ପାଇବା ପରେ ଚିଠି ଲେଖି ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଲେଖିଛନ୍ତି, ମହାମାରୀ ସମୟରେ ଲୋକଙ୍କ ଜୀବନକୁ ଆଖିରେ ରଖି ମନ୍ଦିର ଖୋଲିଯିବ ନା ନାହିଁ ସେ ଉପରେ ସରକାର ବିଚାର ବିମର୍ଶ କରିବେ । ତେବେ ଚିଠିରେ ରାଜ୍ୟପାଳଙ୍କ କଡା ପ୍ରଶ୍ନର ଜବାବ ପାଲଟା ପ୍ରଶ୍ନରେ ଦେଇଛନ୍ତି ଉଦ୍ଧବ ଠାକରେ ।
– ମୋର ହିନ୍ଦୁତ୍ୱକୁ ନେଇ ରାଜ୍ୟପାଳ ସଠିକ କଥା କହିଛନ୍ତି
– ହିନ୍ଦୁତ୍ୱକୁ ନେଇ କାହାର ସାର୍ଟିଫିକେଟ ଦରକାର ନାହିଁ, କି କାହାଠୁ ଶିଖିବା ଦରକାର ନାହିଁ
– ମୁମ୍ବାଇକୁ ପିଓକେ କହୁଥିବା ଲୋକଙ୍କୁ ମୋର ହିନ୍ଦୁତ୍ୱ ସ୍ୱାଗତ କରେ ନାହିଁ
– ଆପଣଙ୍କ ମତରେ ମନ୍ଦିର ଖୋଲିଲେ ହିନ୍ଦୁତ୍ୱ ଓ ମନ୍ଦିର ନଖୋଲିଲେ ଧର୍ମ ନିରପେକ୍ଷ ?
– ଆପଣ ରାଜ୍ୟପାଳ ଭାବେ ଶପଥ ନେବା ବେଳେ ଧର୍ମନିରପେକ୍ଷ ରହିବା ଶପଥକୁ ପାଳନ କରନ୍ତି ନା ନାହିଁ ?
ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଉଠାଇଥିବା ପ୍ରଶ୍ନକୁ ନେଇ ରାଜ୍ୟପାଳଙ୍କୁ କଡା ସମାଲୋଚନା କରିଛି ଶିବସେନା । ଅନ୍ୟପଟେ ମନ୍ଦିର ଖୋଲିବା ଦାବିରେ ଶିରିଡିରେ ଅନଶନରେ ବସିଛନ୍ତି ସାଧୁ ସନ୍ଥ ।