କନକ ବ୍ୟୁରୋ: ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରୋଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିଜର ଓପିଓଏଡ ସବଷ୍ଟିଚ୍ୟୁସନ ଥେରାପି (ଓଏସଟି) କେନ୍ଦ୍ର। ସେହିଭଳି ଗୁରୁତର ଅସୁସ୍ଥ ମାନସିକ ରୋଗୀଙ୍କ ଚିକିତ୍ସା ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଏମ୍ସ ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଜରୁରୀକାଳୀନ ବ୍ୟବସ୍ଥା (ଆକ୍ୟୁଟ କେୟାର ୟୁନିଟ)ର ଶୁଭାରମ୍ଭ କରାଯାଇଛି । ଏଥିସହିତ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ୍ ସେବା ଆରମ୍ଭ କରାଯାଇଛି। ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ଅନୁଷ୍ଠାନ (ଏସଆଇଇପି) ଓଡ଼ିଶାରୁ ରେଫର ହୋଇ ଆସୁଥିବା ଏପରି ଦିବ୍ୟାଙ୍ଗ ଶିଶୁଙ୍କୁ ଏମ୍ସରେ ଏହି ସେବା ଯୋଗାଇଦିଆଯିବ।
ଏମ୍ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ମାନସିକ ରୋଗ ବିଭାଗରେ ଏହି ସମସ୍ତ ବ୍ୟବସ୍ଥାକୁ ଉଦଘାଟନ କରିଥିଲେ। ଏମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା ରାଜ୍ୟ ତଥା ପଡୋଶୀ ରାଜ୍ୟରୁ ଆସୁଥିବା ନିଶା ରୋଗୀ ଏବଂ ଗୁରୁତର ମାନସିକ ରୋଗୀଙ୍କ ପାଇଁ ବେଶ ଫଳପ୍ରଦ ହେବ। ସେହିପରି ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ୍ ସେବା ମଧ୍ୟ ରାଜ୍ୟ ପାଇଁ ଏକ ଖୁସିଖବର ବୋଲି ପ୍ରଫେସର ବିଶ୍ୱାସ ପ୍ରକାଶ କରିଛନ୍ତି।
ଏହି ଅବସରରେ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି (ଓଏସଏସିଏସ)ର ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଉର୍ମିଳା ମିଶ୍ର ଏବଂ ଏମ୍ସ ଭୁବନେଶ୍ୱରର ମେଡିକାଲ୍ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଉପସ୍ଥିତ ଥିଲେ। 'ଭାରତରେ ବର୍ତ୍ତମାନ ପ୍ରାୟ ୮ ଲକ୍ଷରୁ ଅଧିକ ଇଞ୍ଜେକ୍ସନ ଡ୍ରଗ୍ ବ୍ୟବହାରକାରୀ (ଆଇଡିୟୁ) ରହିଛନ୍ତି । ତେବେ ବିଭିନ୍ନ କାରଣରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିଶାମୁକ୍ତ ଜୀବନଯାପନ କରିବାରେ ଅସମର୍ଥ ହୋଇଥାଆନ୍ତି । ଏପରିକି ସେମାନେ ଦୁରାରୋଗ୍ୟ ଏଡସ ଭଳି ମାରାତ୍ମକ ରୋଗର ଶିକାର ହୋଇଥାଆନ୍ତି ବୋଲି ଏମ୍ସ ମାନସିକ ରୋଗ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ଓଏସଟି ସହିତ ସାମଗ୍ରିକ ମାନସିକ ଚିକିତ୍ସା ସାହାଯ୍ୟରେ ଏପରି ନିଶାରେ ପୀଡ଼ିତ ରୋଗୀମାନେ ଡ୍ରଗ ମୁକ୍ତ ଜୀବନଯାପନ କରିବାରେ ସକ୍ଷମ ହୋଇଥାଆନ୍ତି। ଏପରିକି ଏମାନେ ଡ୍ରଗ୍ସ ଇଞ୍ଜେକ୍ସନ ମଧ୍ୟ ବନ୍ଦ କରିଦିଅନ୍ତି ଯାହାକି ଶେଷରେ ଏଚ୍ଆଇଭି, ହେପାଟାଇଟିସ୍ ଏବଂ ଇଞ୍ଜେକ୍ସନ ମାଧ୍ୟମରେ ସଂକ୍ରମିତ ଅନ୍ୟ ରୋଗର ସମ୍ଭାବ୍ୟ କ୍ଷତିକୁ ରୋକିଥାଏ ବୋଲି ଓଏସ୍ଟି ସେଣ୍ଟରର ନୋଡାଲ ଅଫିସର ତଥା ମନସ୍ତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଅର୍ପିତ ପରମାର ପ୍ରକାଶ କରିଛନ୍ତି।
ଏମ୍ସର ଏହି ଥେରାପି କେନ୍ଦ୍ର ଦୈନିକ ୧୫୦-୨୦୦ ରୋଗୀଙ୍କୁ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ଏହି କେନ୍ଦ୍ର ଦୈନିକ କାର୍ୟ୍ୟ କରିବ। ତେବେ ଏସଆଇଇପିରୁ ଆସୁଥିବା ପିଲାମାନଙ୍କୁ ସପ୍ତାହରେ ପ୍ରତି ମଙ୍ଗଳବାର ଏବଂ ବୁଧବାର ଦିନ ସାଇକିଆଟ୍ରିକ ଓପିଡିରେ ସେବା ଯୋଗାଇ ଦିଆଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/WhatsApp-Image-2022-08-10-at-6.47.02-PM.jpeg)