ଭାଗ-୩
Operation TIGER CUB……
ପୂର୍ବ ପ୍ରକାଶିତ ଉତ୍ତାରୁ……

ଲବିରେ ମେଡେଲିନ ଅପେକ୍ଷାରେ ଅଷ୍ଟ୍ରେଲିୟ ବିଜିନେସ ମ୍ୟାନ ବେଶରେ ଥିବା ମୋସାଦର ଏଜେଣ୍ଟ ପାଖକୁ ଯାଇ ମେଡେଲିନ ନିଜର ପରିଚୟ ଦିଏ । ଆଲୋଚନା ପାଇଁ ସେମାନେ ସମସ୍ତେ ହୋଟେଲର କଫି ସପ ଅଭିମୁଖେ ଯାଆନ୍ତି । ମୋସାଦ ଦ୍ଵାରା ନିର୍ଦ୍ଧାରିତ ଟେବୁଲ ଆଡକୁ ବାଟ କଢେଇ ନିଏ ଛଦ୍ମବେଶୀ ଏଜେଣ୍ଟ ଏଲିଷ୍ଟ । ମେଡେଲିନ ଜାଣି ପାରେନି ସେ କେତେ ବଡ ବିପଦର ସମ୍ମୁଖୀନ ହେବାକୁ ଯାଉଛି । ପୂର୍ବଦିନରୁ ମୋସାଦର ଏଜେଣ୍ଟ ମାନେ କଥାବାର୍ତ୍ତା ଶୁଣିବା ପାଇଁ ଟେବୁଲ ତଳେ ଏକ ଯନ୍ତ୍ର ଲଗେଇ ଦେଇଥାନ୍ତି । ଆଖ ପାଖର ଟେବୁଲ ଗୁଡିକରେ ମଧ୍ୟ ଏଜେଣ୍ଟ ମାନେ ଆଗରୁ ବସି ଯାଇଥାନ୍ତି । ଆଲୋଚନା ବେଶି ସମୟ ହୁଏନି, ଏଲିଷ୍ଟ ଦ୍ଵାରା ଦିଆ ଯାଇଥିବା ପ୍ରସ୍ତାବରେ ମେଡେଲିନ ତ ପୂର୍ବରୁ ରାଜି ହେଇ ଯାଇଥାଏ ଖାଲି କାଗଜପତ୍ର କରିବା ବିଷୟରେ ଯାହା କିଛି ଆଲୋଚନା ।

ଏହି ସମୟରେ ଏଲିଷ୍ଟ ହୋଟେଲ ରିସେପସନକୁ ଯାଇ କାହାକୁ ଫୋନ କରେ ଏବଂ ଫେରି ଆସି ନିଜକୁ ଅତ୍ୟନ୍ତ ବ୍ୟସ୍ତ ଦେଖାଇ ହେଇ କୁହେ ତାର ଓକିଲ କୌଣସି ଏକ ଜରୁରୀ କାର୍ଯ୍ୟ ବଶତ ଆସି ପାରୁ ନାହାନ୍ତି, ତେଣୁ ସେମାନଙ୍କୁ ପାଖରେ ଥିବା ତାଙ୍କ ଘରକୁ ଯାଇ କାଗଜପତ୍ର କାମ ସାରିଦେବା ପାଇଁ । ଘର ବିକିବାକୁ ବ୍ଯଗ୍ର ମେଡେଲିନ ମୋସାଦର ଏ ଚାଲକୁ ମଧ୍ୟ ବୁଝି ନପାରି ତାଙ୍କ କଥାରେ ରାଜି ହେଇଯାଏ । ସେମାନେ ସମସ୍ତେ ହୋଟେଲ ବାହାରକୁ ଆସି ନିଜ ନିଜ ଗାଡିରେ ବସନ୍ତି । ଆଗରେ ଏଲିଷ୍ଟର ଗାଡି । ତା ପଛେ ପଛେ ମେଡେଲିନର ଗାଡି । ମେଡେଲିନ ଜାଣି ପାରେନି ଯେ ଆହୁରି ଦୁଇଟା ଗାଡି ତା ପଛେ ପଛେ ତାଙ୍କୁ ଅନୁସରଣ କରୁଛି ବୋଲି ।

ସହରଠୁ ମାତ୍ର ଅଳ୍ପ ଦୂର, ପ୍ରାୟ ଅଧ ଘଣ୍ଟାର ରାସ୍ତା ପାର କଲା ପରେ ଏଲିଷ୍ଟର ଗାଡି ଯାଇ ଗୋଟେ ଦୁଇ ମହଲା ଘର ସାମ୍ନାରେ ଅଟକେ । ଏଲିଷ୍ଟ ଏବଂ ତା ସହଯୋଗୀ ଗଡିରୁ ଓଲ୍ହାଇ ପଡନ୍ତି । ପଛେ ପଛେ ମେଡେଲିନ ଗାଡି ଆସି ଲାଗେ । ସେ ସ୍ଥାନକୁ ଦେଖି ମେଡେଲିନ ମନରେ ଟିକେ ସନ୍ଦେହ ହୁଏ ବୋଧେ । ସେ ପୁନର୍ବାର ଗାଡି ଡୋର ଖୋଲି ଭିତରକୁ ଯାଇ ଡ୍ରାଇଭର ପାଖ ସିଟରେ ବସି ଡୋର ବନ୍ଦ କରି କାର ଡ୍ୟାସ୍ ବୋର୍ଡରୁ ଗୋଟେ ବହୁତ ଛୋଟ ରିଭଲଭର କାଢି ଭ୍ୟାନୀଟି ବ୍ଯାଗରେ ଭର୍ତ୍ତି କରେ ଏବଂ ପୁଣି ଡୋର ଖୋଲି ବାହାରକୁ ଆସି କୁହେ ଘର କାଗଜପତ୍ର ଗାଡିରେ ରହି ଯାଇଥିଲା । ସେମାନକ ପଛେ ପଛେ ଆସୁଥିବା ଦୁଇଟି ଯାକ ଗାଡି ସେଇ ରାସ୍ତା ଦେଇ କିଛି ଆଗକୁ ଯାଇ ପାଖରେ ଥିବା ଅନ୍ୟ ଏକ ବିଲଡିଙ୍ଗ ପାଖରେ ଅଟକି ଯାଏ । ସେଥିରୁ ଆଠ ଜଣ ଲୋକ ବାହାରି ପାଖ ବିଲଡିଙ୍ଗ ଭିତରକୁ ଖପଖାପ ପଶି ଯାଆନ୍ତି । ଏଠି କହିବାକୁ ପଡିବନି ଯେ ସେମାନେ ସମସ୍ତେ ମୋସାଦର ଏଜେଣ୍ଟ ବୋଲି ।
ଆଗେ ଆଗେ ମୋସାଦର ଛଦ୍ମବେଶୀ ଏଜେଣ୍ଟ ଏଲିଷ୍ଟ ଓ ତା ସହଯୋଗୀ ଘର ଭିତରକୁ ଯାଆନ୍ତି ଏବଂ ତାଙ୍କ ପଛେ ପଛେ ମେଡେଲିନ ପ୍ରବେଶ କରେ । ଲମ୍ବା ହଲ । ବଡ ସୋଫାଟେ ପଡିଥାଏ । ଦୁଇଟି ବଡ ବଡ କାଚ ଝରକାରେ ଗାଢ କଳା ରଙ୍ଗର ପରଦା ଝୁଲୁଥାଏ । ଗୋଟେ କୋଣକୁ ଟେବୁଲ ଉପରେ ଟିଭିରେ ସେଠାକାର ଏକ ନ୍ଯୁଜ ଚ୍ଯାନେଲ ଚାଲୁଥାଏ । ଭିତର ପଟକୁ ଦୁଇଟ ଦ୍ଵାର ଏବଂ ଆଉ ଗୋଟିଏ ଶିଡି ଉପର ମହଲକୁ ଯାଇଥାଏ । ଏଲିଷ୍ଟ ମେଡେଲିନକୁ ସୋଫାରେ ବସିବାକୁ ଅନୁରୋଧ କରି କୁହେ ଓକିଲ ଏବେ ସଙ୍ଗେ ସଙ୍ଗେ ଆସିବେ । ମେଡେଲିନ ଘରର ଚାରିଆଡେ ଏକ ସତର୍କ ଦ୍ରୁଷ୍ଟି ବୁଲେଇ ସାରି ସୋଫାରେ ବସିଯାଏ । କିଛି ଅନୌପଚାରିକ କଥାବାର୍ତ୍ତା ମଧ୍ୟରେ ଭିତର କବାଟ ଖୋଲି ହଲକୁ ପ୍ରବେଶ କରନ୍ତି ଜଣେ ବ୍ୟକ୍ତି । ଆକର୍ଷଣୀୟ ଚେହେରା, ଫ୍ରେଞ୍ଚ କଟ୍ ଦାଢି, ସୁନେଲି ଫ୍ରେମର ଚଷମା ଓ ଉଚ୍ଚତା ପ୍ରାୟ ଛ ଫୁଟ ପାଖାପାଖି ହେବ । ପ୍ରଭାବିତ କଲା ପରି ବ୍ୟକ୍ତିତ୍ବ । ତାଙ୍କ ପଛେ ପଛେ ତାଙ୍କ ସହଯୋଗୀ ହାତରେ କିଛି ଫାଇଲ । ପ୍ରଥମେ ମେଡେଲିନ ସହ କରମର୍ଦନ କରି ନିଜର ପରିଚୟ ଦିଅନ୍ତି । ମେଡେଲିନ ହାତରୁ ଘରର କାଗଜପତ୍ର ନେଇ ଏଲିଷ୍ଟର ଓକିଲଙ୍କୁ ଦିଅନ୍ତି । ଓକିଲ ଜଣକ କାଗଜପତ୍ର ସବୁ ଖେଳେଇ ଦେଖୁଥିବା ସମୟରେ ହଠାତ ଘରର ଭିତର ଦ୍ଵାର ପଟୁ ପ୍ରବେଶ କରନ୍ତି ୪ ଜଣ କଳା ମୁଖାଧାରୀ ବ୍ୟକ୍ତି । ହାତରେ ଅତ୍ୟାଧୁନିକ ଛୋଟ ଛୋଟ ପିସ୍ତଲ । ମେଡେଲିନ କିଛି ବୁଝିବା ଆଗରୁ ଓକିଲର ସହଯୋଗୀ ଭାବେ ଆସିଥିବା ବ୍ୟକ୍ତି ଆଖି ପିଛୁଳାକେ ନିଜ ଅଣ୍ଟାରୁ ରିଭଲଭର ବାହାର କରି ମେଡେଲିନ ମୁଣ୍ଡରେ ଲଗାଇ ଦିଏ । ମେଡେଲିନ ଜାଣି ସାରିଥାଏ ସେ ଏକ ବହୁତ ବଡ ଭୁଲ କରି ସାରିଛି ବୋଲି ତଥାପି ଧେର୍ଯ୍ୟ ନ ହରାଇ ସାମାନ୍ୟ ହେଇ ବସି ସମସ୍ତଙ୍କୁ ଘୁରି ଘୁରି ଅନାଉଥାଏ । ଓକିଲ ବେଶରେ ଥିବା ମୋସାଦର ଏଜେଣ୍ଟ ଯାକୋଭ କାରୋଜ ଯିଏ ଅପରାଧୀଙ୍କ ମୁହଁରୁ କଥା ବାହାର କରାଇବାରେ ଅତ୍ୟନ୍ତ ପାରଙ୍ଗମ ମେଡେଲିନ ପାଖକୁ ଯାଇ ଅତି ସହଜରେ କୁହନ୍ତି ।
- ମ୍ୟାଡାମ୍ ଆପଣଙ୍କୁ ଏଠି ଘରର ବିକ୍ରି ବିଷୟ ନୁହେଁ ଅନ୍ୟ ଏକ କାରଣ ପାଇଁ ଅଣା ଯାଇଛି’ ।
ମେଡେଲିନ ପ୍ରକୃତ ବିଷୟ କିଛି ବୁଝି ପାରୁ ନଥାଏ କିନ୍ତୁ ଏହା ପୁରା ଅନୁମାନ କରି ସାରିଥାଏ କି ତାର ପୂର୍ବର କୌଣସି ଏକ ଅପରେସନ ପାଇଁ ତାକୁ ଅପହରଣ କରା ଯାଇଛି ବୋଲି । ଭୟଭୀତ ନହେଇ ମେଡେଲିନ କୁହେ
- ଏଠି କଣ ସବୁ ଚାଲିଛି, କଣ ପାଇଁ ମୋତେ ଏଠାକୁ ଅଣା ଯାଇଛି ?
- ଯୋସେଲ ସୁମାକର ଏବେ କୋଉଠି ?
ମେଡେଲିନ ଅନୁମାନ କରିନିଏ କି ସେ ଏବେ ଇସ୍ରାଏଲର କୁଖ୍ୟାତ ‘ମୋସାଦ’ କବଳରେ । ତଥାପି ମୁହଁରେ ଲେଶ ମାତ୍ର ଭୟର ଚିହ୍ନବର୍ଣ ନଥାଏ ବେପରୁଆ ଭାବେ ଉତ୍ତର ଦିଏ ।
- କୋଉ ୟୋସେଲ, ମୁଁ କୌଣସି ବି ୟୋସେଲ ସୁମାକାରକୁ ଜାଣିନି ।
ଯେତେ ପ୍ରକର ଧମକ ଚମକ ଦେଲା ପରେ ବି ମେଡେଲିନ ଶୁଆ ପରି ସେଇ ଗୋଟିଏ କଥା ଦୋହରାଉଥାଏ ୟୋସେଲ ସୁମାକାର ବିଷୟରେ ସେ କିଛି ବି ଜାଣିନି ।
ୟାକୋଭ ଜାଣି ସାରିଥାଏ ଯେ ଏ ଧୂର୍ତ୍ତ ମହିଳାଠୁ କୌଣସି ବି ତଥ୍ୟ ହାସଲ କରିବା ଏତେ ସହଜ ନୁହେଁ । ଖାଲି ଏତିକି କହି ଘରୁ ବାହାରି ଯାଏ କି ‘ତମ ପୁଅ ଏରିଏଲ ଏବେ ମୋସାଦ କବଜାରେ’ ।
ଏ କଥା ବି ମେଡେଲିନ ଉପରେ କୌଣସି ପ୍ରଭାବ ପକେଇ ପାରେନି , ରାଗିକି ଅତନ୍ତ ଅଭଦ୍ର ଭାଷାରେ ୟାକୋଭକୁ ଗାଳିଗୁଲଜ କରେ ।
ୟା ପରେ ଘରକୁ ପ୍ରବେଶ କରେ ମୋସାଦର ମହିଳା ଏଜେଣ୍ଟ ୟେହୁଦିତ ମେସିୟାହୁ ।
ୟେହୁଦିତ କଥା ବାହାର କରେଇବାର ସମସ୍ତ ପ୍ରକାର କୌଶଳ ଆପଣେଇ ସାରିଲା ପରେ ମଧ୍ୟ ମେଡେଲିନ ମୁହଁରୁ ୟୋସେଲ ବିଷୟରେ ପଦେ ବି ତଥ୍ୟ ବାହାର କରାଇ ପାରେନି ।
ଏପଟେ ଇସ୍ରାଏଲରେ ମେଡେଲିନର ପୁଅକୁ ମୋସାଦ ଏକ ଗୁପ୍ତ ସ୍ଥାନକୁ ନେଇ ପଚରାପଚରି କରିବା ଆରମ୍ଭ କରି ଦେଇଥାଏ । ମୋସାଦର ଅଭିଜ୍ଞ ଏଜେଣ୍ଟ ଆବ୍ରାହାମ ଆଦେର୍ସ ମେଡେଲିନର ପୁଅ ଏରିଏଲକୁ ଏତେ ଡରେଇ ଦିଅନ୍ତି ଯେ ସେ ଧୀରେ ଧୀରେ ମୁହଁ ଖୋଲିବା ଆରମ୍ଭ କରିଦିଏ । ଏରିଏଲ କହିବା ଅନୁସାରେ ତା ମା’ ୟୋସେଲକୁ ଝିଅ ବେଶରେ ଦେଶ ବାହାରକୁ ପଠେଇ ଦେଇଛି । ନକଲି ପାସପୋର୍ଟରେ ୟୋସେଲକୁ କ୍ଲାଡିନ୍ ନାଁ ଦେଇ ସୁଇଜରଲାଣ୍ଡ ପଠେଇ ଦିଆ ହେଇଛି ।
ଏପଟେ ଫ୍ରାନ୍ସରେ ମେଡେଲିନକୁ କୁହାଯାଏ କି ତୋ ପୁଅ ଏରିଏଲ ସବୁ କଥା କହି ଦେଇଛି ଆଉ ଏଥିପାଇଁ ତାକୁ ବହୁତ ଲମ୍ବା ସଜା ବି ହେଇପାରେ, ଯଦି ତୋ ପୁଅ ପ୍ରତି ତୋର ଟିକିଏ ବି ଶ୍ରଦ୍ଧା ଅଛି ତେବେ କହିଦେ ଯୋସେଲକୁ ସୁଇଜରଲାଣ୍ଡରେ କୋଉଠି ଲୁଚେଇ ରଖିଛୁ । ଏକଥା ଶୁଣି ମେଡେଲିନ ରାଗିକି କୁହେ ‘ ମୋ ପୁଅ ଆଜିଠୁ ମୋ ପାଇଁ ମରିଗଲା ବୋଲି ଭାବିଲି‘ ।
ମେଡେଲିନ ମୁହଁରୁ ଏମିତି କଥା ଶୁଣି ମୋସାଦର ଅନୁଭବି ଏଜେଣ୍ଟ ମାନେ ଜାଣି ସାରିଲେଣି କି ୟା ମୁହଁରୁ କଥା ବାହାର କରିବା ଏତେ ସହଜ ନୁହେଁ ଯେତେ ସହଜ ସେମାନେ ଭାବିଥିଲେ । ଏ କଥା ଶୁଣି ମୋସାଦର ମୁଖ୍ୟ ହାରେଲ ସବୁକାମ ଛାଡି ଫ୍ରାନ୍ସ ଅଭିମୁଖେ ଯାତ୍ରା କରନ୍ତି ।
ଫ୍ରାନ୍ସର ଅରଲିଆନ୍ସ ସହରର ଏକ ଘର,
ସମୟ ରାତି ୧୧  ଟା,
ଘର ଭିତର ପୁରା ଅନ୍ଧାର କହିଲେ ଚଳେ, ଖାଲି ଗୋଟେ ଟେବୁଲ ଆଉ ଦୁଇଟି ଚେୟାର ସାମ୍ନା ସାମ୍ନୀ ହେଇ ପଡିଥାଏ ଏତିକି ଛାଡିଦେଲେ ଘରେ ଆଉ କିଛି ବି ଆସବାବପତ୍ର ନଥାଏ । ଟେବୁଲ ଉପରକୁ ତାରରେ ଝୁଲିଥାଏ ଗୋଟେ ଇଲେକ୍ଟ୍ରିକ ବଲ୍ବ । ଗୋଟେ ପଟେ ମେଡେଲିନ ମୁହଁ ସମ୍ପୂର୍ଣ ଦେଖା ଯାଉଥାଏ ଅନ୍ୟ ପଟେ ଝାପସା ଝାପସା ଆଲୁଅରେ ବସିଥାନ୍ତି ମୋସାଦ ମୁଖ୍ୟ ହାରେଲ ।
ହାରେଲ ତାଙ୍କର ଶେଷ ଅସ୍ତ୍ର ଚଳାନ୍ତି .....
Emotional blackmailing
କ୍ରମଶଃ ……