ଭାଗ-୨
Operation TIGER CUB……
ପୂର୍ବ ପ୍ରକାଶିତ ଉତ୍ତାରୁ……

ହାରେଲ ନିଜର ବଛା ବଛା ୪୦ ଜଣ ସୁଦକ୍ଷ ଅଫିସରଙ୍କୁ ନେଇ ଏକ ଟିମ୍ ନିର୍ମାଣ କରନ୍ତି ଏବଂ ତୁରନ୍ତ ତଦନ୍ତ ଆରମ୍ବ କରିବାକୁ ନିର୍ଦେଶ ଦିଅନ୍ତି । ପୂର୍ବର ସବୁ ଫାଇଲ କୁ ତନ୍ନତନ୍ନ କରି ଅନୁଧ୍ୟାନ କଲା ପରେ ହାରେଲ ଏହି ନିଷ୍କର୍ଷରେ ପହଞ୍ଚନ୍ତି ଯେ ୟୋସେଲ ଇସ୍ରାଇଲରେ ନାହିଁ ତାକୁ ବାହାରକୁ ପଠେଇ ଦିଆଯାଇଛି । କିନ୍ତୁ କୋଉଠିକୁ ? କୋଉ ଦେଶରେ ଏବେ ସେ ? ଏତେବଡ ଦୁନିଆରେ ଗୋଟେ ଛୋଟପିଲାକୁ ଖୋଜିବା ସମୁଦ୍ର ଭିତରେ ଛୁଞ୍ଚି ଖୋଜିଲା ପରି ଅତ୍ୟନ୍ତ ଅସମ୍ଭବ କାମ । କିନ୍ତୁ ଅସମ୍ଭବ କୁ ସମ୍ଭବ କରି ପାରିବାର ଅନ୍ୟନାମ ‘ମୋସାଦ’ । ଏତେ ଜଲ୍ଦି ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି ହାରେଲ । ଖାସ ଏହି ଅପରେସନ ପାଇଁ ମୋସାଦ ପ୍ୟାରିସରେ ନିଜର ଏକ ଅସ୍ଥାୟୀ କାର୍ଯ୍ୟଳୟ ସ୍ଥାପନ କରି ସେଠାରୁ ନିଜର ଏଜେଣ୍ଟ ମାନଙ୍କୁ ସ୍ପେନ, ଇଟାଲୀ, ଆମେରିକା, ସୁଇଜରଲାଣ୍ଡ, ବେଲଜିଅମ, ଇଂଲାଣ୍ଡ, ସାଉଥ ଆମେରିକା ଏବଂ ନର୍ଥ ଆଫ୍ରିକା ପ୍ରଭୃତି ଦେଶ ଗୁଡିକରେ ଅନୁସନ୍ଧାନ କରିବାକୁ ପଠାଇଦିଏ । ମୋସାଦର ଏଜେଣ୍ଟ ମାନେ ଧାର୍ମିକ ଛାତ୍ର, ସାଧୁ, ସାଧ୍ଵୀ ଏବଂ ଟୁରିଷ୍ଟ ବେଶ ଧରି ଏ ସବୁ ଦେଶରେ ଖେଳେଇ ହେଇ ଯାଆନ୍ତି ଏବଂ ସେହିଦେଶରେ ରହୁଥିବା ରୂଢିବାଦୀ ଇହୂଦି ମାନଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରନ୍ତି । ମୋସାଦର ଜଣେ ମହିଳା ଏଜେଣ୍ଟ ୟୋସେଲର ଆଈ ଘରେ ପହଞ୍ଚି ତା ବିଶ୍ବାସ ଜିତି ସେଠି ରହିବାକୁ ଲାଗେ । ଅତ୍ୟନ୍ତ କୃର ସ୍ଵଭାବର କୁଖ୍ୟାତ ଏହି ମହିଳା ଏଜେଣ୍ଟର ନାଁ ଯେହୁଦିତ ନେସିୟାହୁ । ରୂପରେ ଦେଖିବାକୁ ଯେମିତି ସୁନ୍ଦର ଗୁଣରେ ତାର ବିପରୀତ, ଅତ୍ୟନ୍ତ ନୃଶଂସ ସ୍ଵଭାବ । ସନ୍ଦେହ ହେଲାମାତ୍ରେ ଶତ୍ରୁକୁ ଟିକେ ବି ଫୁରୁସତ ଦିଏନି ସେ । ପିସ୍ତଲ ଶବ୍ଦରେ ଶତ୍ରୁ ସାବଧାନ ହୋଇଯିବେ ବୋଲି ଛୁରୀରେ ମାରିବାକୁ ପସନ୍ଦ କରେ । ତା ହାତରୁ କେହି କେବେ ଖସିକି ଯାଇ ପାରିନାହାନ୍ତି । ଇଟାଲିରେ ଗୋଟେ ଅପରେସନ ସମୟରେ ଜଣେ ପାଲେଷ୍ଟାଇନିୟ ଏଜେଣ୍ଟର ମୁଣ୍ଡଗଣ୍ଡି ଖାଲି ଛୁରୀରେ ଦି ଖଣ୍ଡ କରିଦେଇଥିଲା । ୟେହୁଦିତ କୌଣସି ବିଷକନ୍ୟାଠୁ କମ ନଥିଲା ।
Mossad Logo Sticker Decal (Israel spy Israeli Jewish) Size: 4 x 4 inch c
ସବୁ ଏଜେଣ୍ଟ ମାନେ ନିଜ ନିଜ କାମରେ ଲାଗିଥିବା ସମୟରେ ଏପ୍ରିଲ ୧୬, ୧୯୬୨ ଦିନ ବେଲଜିଅମ ଏଜେଣ୍ଟ ମୀର ଠାରୁ ଏକ ଖବର ଆସି ହାରେଲଙ୍କ ପାଖରେ ପହଞ୍ଚେ । ମେସେଜଟି ଏମିତି ଥିଲା ଯେ ସେଠାକାର ଏକ ବହୁତ ପ୍ରଭାବଶାଳି ୟିହୁଦି ହୀରା ବେପାରୀଙ୍କ ଗୋଷ୍ଠୀ ଭିତରେ ମୀର ନିଜର ଏଜେଣ୍ଟ ଭର୍ତି କରେଇବାରେ ସକ୍ଷମ ହେଇଥାଏ ଏବଂ ସେ ଏଜେଣ୍ଟ ତଥ୍ୟ ଅନୁସାରେ ଧାର୍ମିକ ପ୍ରବୃତ୍ତିର ଏହି ହୀରା ବେପାରୀ ଗୋଷ୍ଠୀ ରେବାଈ ନାମକ ଜଣେ ଲୋକଙ୍କୁ ବହୁତ ମାନନ୍ତି ଯାହାର ବେଲଜିଅମ ସମେତ ଅନେକ ଦେଶରେ ବହୁତ ପ୍ରଭାବ ଥାଏ । ମୀରର ଏଜେଣ୍ଟର ଆଉ କିଛି ସୂଚନା ଭିତରେ ଜଣେ ଅତ୍ୟନ୍ତ ସୁନ୍ଦରୀ ନୀଳ ଆଖି ବାଲି ରହସ୍ୟମୟୀ ମହିଳା ବିଷୟରେ ଉଲ୍ଲେଖ ଥାଏ । ଯିଏ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ପ୍ରଥମ ଥର ପାଇଁ ରେବାଈ ସମ୍ପର୍କରେ ଆସି ପ୍ରଭାବିତ ହୋଇ ୟିହୁଦି ଧର୍ମ ଗ୍ରହଣ କରିଥିଲା । ଗୋଟେ ପୁତ୍ରର ମା’ ଏହି ମହିଳା ଜଣକ ବିଭିନ୍ନ ପ୍ରକାର ବେଶଭୁଷା ବଦଳାଇବାରେ ପାରଙ୍ଗମ ରେବାଈ ପାଇଁ ଏହି ମହିଳା ଜଣକ ଇଉରୋପର ବହୁତ ଦେଶରେ ବଡ ବଡ ଅପରେସନ ସଫଳତାର ସହ ପୁରା କରିବାର କଥା ମଧ୍ୟ ସେଥିରେ ଉଲ୍ଲେଖ ଥାଏ । କିନ୍ତୁ ମୀରର ଏହି ରିପୋର୍ଟରେ ସେ ପିଲା ବିଷୟରେ କିଛି ବି ସୂଚନା ନଥିଲା ଆହୁରି ମଧ୍ୟ ଏମିତି ବି କିଛି ସୂଚନା ନଥିଲା ଯେଉଁଥିପାଇଁ ସେ ପିଲା ସହ ଏହି ମହିଳାକୁ ଯୋଡି ହେବ । କିନ୍ତୁ ଅତ୍ୟନ୍ତ ଚତୁର ମୋସାଦର ଚିଫ ହାରେଲ ମୁଣ୍ଡରେ ସେ ମହିଳାର ଉଲ୍ଲେଖ କୋଉଠି ନା କୋଉଠି ମାଡି ବସୁଥିଲା । ହାରେଲର ଭାବନା ଅନୁଯାୟୀ ଯଦି ସେ ପିଲାକୁ ଅପହରଣ କରିବାରେ କିଛି ବଡ ଧରଣର ଷଡଯନ୍ତ୍ର ହେଇଥିବ ଏବଂ ୟୋସେଲକୁ କୌଣସି ଇଉରୋପୀୟ ଦେଶକୁ ପଠା ଯାଇଥିବ ତେବେ ଏହି ମହିଳା ଜଣଙ୍କ ନିଶ୍ଚୟ ସେ ବିଷୟରେ କିଛି ନା କିଛି ତ ଜାଣିଥିବ ତେଣୁ ସେ ଏହି ମିଶନରେ ଲାଗିଥିବା ସମସ୍ତ ଏଜେଣ୍ଟ ମାନଙ୍କୁ ସବୁକାମ ଛାଡି ଏହି ମହିଳା ଆଉ ତା ପୁଅକୁ ଖୋଜି ତାଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଅନ୍ତି । ମାତ୍ର କିଛିଦିନ ଭିତରେ ହିଁ ଏହି ରହସ୍ୟମୟୀ ମହିଳା ବିଷୟରେ ସବୁ ତଥ୍ୟ ହାରେଲକୁ ମିଳିଯାଏ । ହାରେଲ ଏହି ସୂଚନା ସବୁକୁ ପ୍ୟାରିସରେ ଥିବା ନିଜର ଅସ୍ଥାୟୀ ଅଫିସକୁ ପଠେଇ ଦେଇ ସେ ମହିଳାକୁ ଟ୍ରାପ କରିବାକୁ ନିର୍ଦେଶ ଦିଅନ୍ତି ।
ସେହି ରହସ୍ୟମୟୀ ମହିଳାର ନାଁ ମେଡେଲିନ ଫେରେଲ ଉର୍ଫ ରୂଥ ବେନ ଡାଭିଡ, ତା ପୁଅ ନାଁ ଏରିଏଲ ଯିଏ ଇସ୍ରାଇଲରେ ରହି ପାଠ ପଢୁଥାଏ । ଜଣେ ଏଜେଣ୍ଟର ଗୁପ୍ତ ସୂଚନା ଅନୁଯାୟୀ ମେଡେଲିନ ଫ୍ରାନ୍ସର ଏକ୍ସଲାବାନ ନାମକ ଏକ ଛୋଟ ସହରରେ ରହୁଛି । ଏ ଖବର ପାଇ ହାରେଲ ତୁରନ୍ତ ନିଜର ଦୁଇଜଣ ସୁଦକ୍ଷ ଏଜେଣ୍ଟକୁ ମେଡେଲିନକୁ ଖୋଜି ତା ଉପରେ ଚବିଶ ଘଣ୍ଟା ନଜର ରଖିବାକୁ ପଠାଇ ଦିଅନ୍ତି ମାତ୍ର ସପ୍ତାହେ ଧରି ଖୋଜଖବର ନେଲା ପରେ ମଧ୍ୟ ମେଡେଲିନ ବିଷୟରେ କୌଣସି ସୁରାଗ ମିଳେନି ମାତ୍ର ହାରେଲ ନିରାଶ ନ ହୋଇ ଏଜେଣ୍ଟ ମାନଙ୍କୁ ଯେମିତି ହେଲେ ମେଡେଲିନକୁ ଖୋଜି ବାହାର କରିବାକୁ ନିର୍ଦେଶ ଦିଅନ୍ତି । ଖୋଜାଖୋଜି ଭିତରେ ଦିନେ ଫ୍ରାନ୍ସ ଇଣ୍ଟେଲିଜେଣ୍ଟ ସଂସ୍ଥାରୁ ଏକ ଖବର ମିଳେ । ମେଡେଲିନ କିଛିଦିନ ତଳେ ଅରଲିଆନ୍ସରେ ଥିବା ନିଜର ଘର ବିକ୍ରି କରିବା ସଂକ୍ରାନ୍ତ ଏକ ବିଜ୍ଞାପନର ଉତ୍ତରରେ ସେ ଦେଇଥିବା ଚିଠିର କପି ହାରେଲର ହସ୍ତଗତ ହେଇଯାଏ । ଏହା ମୋସାଦ ପାଇଁ ଏକ ବହୁତ ବଡ ସଫଳତା କହିଲେ ଅତ୍ଯୁକ୍ତି ହେବନାହିଁ । ସେ ଚିଠିରେ ମେଡେଲିନ ଠିକଣା ଜାଗାରେ ଏକ ପୋଷ୍ଟ ବକ୍ସ ନମ୍ବର ଦେଇଥାଏ । ମୋସାଦ ତୁରନ୍ତ ଏକ ଛଦ୍ମ ନାମରେ ସେ ଦେଇଥିବା ପୋଷ୍ଟ ବକ୍ସ ନମ୍ବରରେ ଘର କିଣିବା ପାଇଁ ଈଛୁକ ଦର୍ଶାଇ ଏବଂ ମେଡେଲିନ ଠିକ କରିଥିବା ଦାମଠୁ ବହୁ ଅଧିକା ମୂଲ୍ୟ ଦେବାର ପ୍ରସ୍ତାବ ଦେଇ ଏକ ପ୍ରସ୍ତାବ ପଠାଇଦିଏ । ବନଶୀକଣ୍ଟାରେ ଚାରା ଲଗେଇ ମୋସାଦ ମାଛକୁ ଅପେକ୍ଷା କରିବସେ । ବେଶି ଦିନ ଅପେକ୍ଷା କରିବାକୁ ପଡେନି ମୋସାଦକୁ । ଅତ୍ୟନ୍ତ ଧୁର୍ତ ମେଡେଲିନ କିନ୍ତୁ ଏଇଠି ଧୋକା ଖାଇଯାଏ ଏବଂ ମୋସାଦ ବିଛେଇ ଥିବା ଜାଲରେ ଅତି ସହଜରେ ଧରା ପଡିଯାଏ । ଏ ପ୍ରସ୍ତାବର ଉତ୍ତରରେ ସେ ଛଦ୍ମ ନାମଧାରୀ ମୋସାଦର ଏଜେଣ୍ଟ ଏଲିଷ୍ଟକୁ ଘର ବିକ୍ରି କରିବା ସଙ୍କ୍ରାନ୍ତରେ ଆଲୋଚନା କରିବା ପାଇଁ ନିଜ ଘରକୁ ଡକାଇ ପଠାଏ । ଯେଉଁଥିରେ ସେ ଅରଲିଆନ୍ସରେ ଥିବା ନିଜର ଘରର ସଠିକ ଠିକଣା ଦେଇଦିଏ । ଏତେ ସହଜରେ ଶିକାର ଧରା ପଡିଯିବ ଏକଥା ମୋସାଦ କେବେ ବି ଭାବି ପାରି ନଥିଲା । ଅତ୍ୟନ୍ତ ସତର୍କତାର ସହ ନିଜର କାମ କରିବାକୁ ନିଜର ଏଜେଣ୍ଟ ମାନଙ୍କୁ ପରାମର୍ଶ ଦିଅନ୍ତି ହାରେଲ କାରଣ ମେଡେଲିନ ଅତ୍ୟନ୍ତ ଚତୁରା ଏବଂ ଧୂର୍ତ୍ତ । ବହୁତ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ମେଡେଲିନ କିଛି ବିପଦର ଆଶଙ୍କା କରି ପାରେନି । ମୋସାଦର ଏଜେଣ୍ଟ ଏଲିଷ୍ଟର ଚିଠି ଦିଏ ଯେ ସେ ତା ଘର ଦେଖି ସାରିଛି ଏବଂ ତାକୁ ସେ ଘର ବହୁତ ପସନ୍ଦ ଆସିଛି ଆଉ ଯଦି କୌଣସି ଆପତ୍ତି ନଥାଏ ତେବେ ସେମାନେ ୨୧ ଜୁନ ୧୯୬୨ ରେ ପ୍ୟାରିସର କୌଣସି ଏକ ସ୍ଥାନରେ ଏ ବିଷୟରେ ଆଲୋଚନା କରି ପାରିବେ । ଘର ବିକିବାକୁ ଅତ୍ୟନ୍ତ ବ୍ଯଗ୍ର ମେଡେଲିନ କୌଣସି ପ୍ରକାର ଏ ସୁଯୋଗ ହାତଛଡା ନ କରିବା ପାଇଁ ତା କଥାରେ ହଁ ଭରିଦିଏ । ମେଡେଲିନ ରାଜି ହେବା ପରେ ମୋସାଦର ବଛା ବଛା ଏଜେଣ୍ଟ ଜଣ ଜଣ କରି ଅଲଗା ଅଲଗା ଦେଶ ଦେଇ ବିଭିନ୍ନ ବାଟରେ ପ୍ୟାରିସରେ ପହଞ୍ଚିବାକୁ ଆରମ୍ଭ କରି କାମ ଆରମ୍ଭ କରନ୍ତି । ପ୍ରଥମେ ମିଛ ନାଁ ପରିଚୟ ପତ୍ର ତିଆରି ହୁଏ , ତାପରେ ଜନବସତିଠୁ ଦୂରରେ ଅଲଗା ଅଲଗା ଘର ଏବଂ ଗାଡି ଭଡାରେ ନିଆଯାଏ । ୟା ପରେ ଇସ୍ରାଏଲରୁ ବିଭିନ୍ନ ବିଭାଗର ସୁଦକ୍ଷ ଏଜେଣ୍ଟ ମାନଙ୍କୁ ଅଣାଯାଏ । ମୋସାଦ ଚିଫ ଜାଣିଥିଲେ ତାଙ୍କ ଏଜେଣ୍ଟ ମାନେ ମେଡେଲିନକୁ ଟ୍ରାପ କରି ଅପହରଣ କରିବାରେ ଏତେ କଷ୍ଟ ହେବନି କିନ୍ତୁ ତା ମୁହଁରୁ କଥା ବାହାର କରିବାକୁ ବହୁତ କଷ୍ଟ ହେବ । ତାଙ୍କ ମନକୁ ଏକ ଆଉ ଗୋଟେ ପ୍ରଭାବଶାଳି ବିଚାର ଆସିଲା ଦରକାର ପଡିଲେ ତାକୁ କାମରେ ଲଗେଇବେ ବୋଲି ସେ କଥାକୁ ଶେଷ ପର୍ଯ୍ୟନ୍ତ ଗୁପ୍ତ ରଖିଲେ । ପ୍ରତୀକ୍ଷାର ଦିନ ୨୧ ଜୁନ ଆସିଗଲା । ମୋସାଦର ଏଜେଣ୍ଟ ମାନେ ସବୁ ନିଜ ନିଜ ଲୁଚିବା ସ୍ଥାନରୁ ବାହାରି ଆସିଲେ ଏବଂ କାମରେ ଲାଗିଗଲେ । ସକାଳ ୮.୩୦ , ହୋଟେଲ ଲେ’ ମେରିଡିଆନ , ହୋଟେଲ ଲବିରେ ଛଦ୍ମବେଶୀ ମୋସାଦ ଏଜେଣ୍ଟ ଏଲିଷ୍ଟର ଏବଂ ତା ସହଯୋଗୀ ମେଡେଲିନ ଅପେକ୍ଷାରେ । ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କଳା ପରି ଜଣେ ଅତ୍ୟନ୍ତ ସୁନ୍ଦରୀ ମହିଳା ଲବିରେ ପ୍ରବେଶ କରନ୍ତି । ବୟସ ୪୦ ପାଖାପାଖି ହେବ, ବେଶଭୁଷା ଅତ୍ୟନ୍ତ ଆଧୁନିକ, ଆଖିରେ ଲାଲ ରଙ୍ଗର ଚଷମା, କାନ୍ଧରେ ଏକ ଦାମୀ କମ୍ପାନୀର ଭ୍ୟାନିଟି ବ୍ୟାଗ । ମୋସାଦର ଏଜେଣ୍ଟ ମାନେ ସତର୍କ ହେଇ ଯାଆନ୍ତି । ହୋଟେଲ ଲବିରେ ଛଦ୍ମବେଶରେ ପ୍ରାୟ ୭ ଜଣ ଏଜେଣ୍ଟ ନିଜକୁ ଅନ୍ୟ କାମରେ ବ୍ୟସ୍ତ ଦେଖାଇ ମେଡେଲିନ ଉପରେ ନଜର ରଖିଥାନ୍ତି । ହୋଟେଲ ବାହାରେ ଦୁଇ ଜଣ ମେଡେଲିନ ଆସିଥିବା ଗାଡି ପାଖରେ ପହଞ୍ଚି ଯାନ୍ତି । ଏମାନଙ୍କୁ ଛାଡି ଆହୁରି ୪  ଜଣ ଏଜେଣ୍ଟ ହୋଟେଲ ବାହାରେ ଏକ କଳା କାଚ ଘେରା ଗାଡିରେ ଅତ୍ୟନ୍ତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେଇ ପ୍ଳାନ 'B' ପାଇଁ ପ୍ରସ୍ତୁତ ହେଇ ରହିଥାନ୍ତି , ଯଦି କୌଣସି ଅଘଟଣ ଘଟେ ତେବେ ସେମାନେ ନିଜର ଏଜେଣ୍ଟ ମାନଙ୍କୁ ତୁରନ୍ତ ସେ ସ୍ଥାନରୁ ନେଇଯିବା ପାଇଁ । ଜଣେ ମାତ୍ର ମହିଳାକୁ ଧରିବା ପାଇଁ ଏତେ ସଜବାଜ ଅନ୍ୟ ମାନଙ୍କ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହେଇ ପରେ କିନ୍ତୁ ମୋସାଦର କାର୍ଯ୍ୟ ପଦ୍ଧତି ହିଁ ସେମିତି ଯେଉଥିପାଇଁ ତାର ସବୁ ଅପରେସନ ପରେ କୌଣସି ବି ଟେର କେହି ପାଇ ପାରନ୍ତି ନାହି ।
କ୍ରମଶଃ……