ଦୋହଲିଲା ଲାଲଗଡ: ‘ସ୍ୱାଭିମାନ’ ପାଇଁ ରାତି ଦିନ ଅପରେସନ । ୫ ଦିନ ୪ ରାତିର ନିରବଚ୍ଛିନ୍ନ ଅଭିଯାନ ପରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ପୋଲିସ କବଜାକୁ ଫେରିଲା ୭୦ ପ୍ରତିଶତ ଅଞ୍ଚଳ

372

କନକ ବ୍ୟୁରୋ: ମାଓ ଦମନ ପାଇଁ ରାତି ଦିନ ଅପରେସନ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ସୁରକ୍ଷାକର୍ମୀ ଓ ଲାଲ୍ ବାହିନୀର ମୁକାବିଲା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ଏହି ଚିତ୍ର ହିଁ ପ୍ରମାଣ କରୁଛି ମାଓବାଦୀ ଦମନ ପାଇଁ କେଉଁ ଭଳି ଏକ ବଡ଼ ଅପରେସନ୍ କରିଥିଲା ପୋଲିସ । ଇନସାସ୍ ରାଇଫଲ୍, ଷ୍ଟେନଗନ୍, ଏସଏଲଆର୍ ରାଇଫଲ୍, ଥ୍ରୀ ଜିରୋ ଥ୍ରୀ ରାଇଫଲ୍, ପିସ୍ତଲ, ସମେତ ବ୍ୟାପକ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷା କର୍ମୀ ।

ଜାନୁୟାରୀ ୧୫ ତାରିଖ । ସ୍ଥାନ ଗୋଇଗୁଡ଼ା, ସ୍ୱାଭିମାନ ଅଂଚଳ । ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ମାଓବାଦୀ । ଓଡ଼ିଶା ପୁଲିସ୍, ଆନ୍ଧ୍ର ପୁଲିସ୍, ବିଏସଏଫ୍, କୋବ୍ରା ଯବାନଙ୍କ ମିଳିତ ଚଢ଼ାଉରେ ଛିନଛତ୍ର ହୋଇଯାଇଥିଲା ମାଓବାଦୀଙ୍କ ଗଡ଼ । ସ୍ଥିତି ଏବେ ଏଭଳି ରହିଛି ଯେ, ସ୍ୱାଭିମାନ ଅଂଚଳରେ ମାଓବାଦୀମାନେ ସ୍ଥିତି ଜାହିର କରିବାକୁ ସଂଘର୍ଷ କରୁଛନ୍ତି । ସ୍ୱାଭିମାନ ଅଂଚଳର ୭୦ ପ୍ରତିଶତ ଅଂଚଳ ଉପରେ ପୋଲିସର ନିୟନ୍ତ୍ରଣ ଆସିଛି । ।

ତେବେ କିଛି ଦିନ ତଳେ ମାଲକାନଗିରି ଜିଲ୍ଲାର ଯୋଡାମ୍ବ ଅଂଚଳରେ ମାଓବାଦୀଙ୍କୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ରାସ୍ତା ନିର୍ମାଣ କାମକୁ ବିରୋଧ କରିବା ପାଇଁ ମାଓମାଦୀମାନେ ପ୍ରବର୍ତ୍ତାଉଥିବା ବେଳେ ମୁହାଁମୁହିଁ ହୋଇଥିଲେ ଗ୍ରାମବାସୀ ଓ ମାଓବାଦୀ । ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ବନ୍ଧୁକର ଗୁଳି ଆଗରେ ଜିତିଥିଲା ଧନୁତୀର । ତେବେ ମାଓବାଦୀଙ୍କ ମୃତ୍ୟୁ ହେବା ପରେ ସୁରକ୍ଷା ଦେବା ପାଇଁ ଲୋକଙ୍କ ପାଖରେ ପହଂଚିଥିଲା ପ୍ରଶାସନ ଓ ସୁରକ୍ଷାବଳ । ଆଉ ଏହାର ମାତ୍ର କିଛି ଦିନ ପରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା ।